ମୟୂରଭଞ୍ଜ /ବଣାଇ : ଶୀତରେ ଥରୁଛି ସାରା ଓଡ଼ିଶା । ଆହୁରି ଦୁଇ ଦିନ ଥରାଇବ ହାଡ଼ଭଙ୍ଗା ଶୀତ । ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ଏବେ ନିମ୍ନଗାମୀ । ଭାଙ୍ଗିଛି ୧୩ ବର୍ଷର ରେକର୍ଡ। ଆଜି ତାପମାତ୍ରା ହ୍ରାସ ପାଇ ମାଇନାସ ୧ ଡିଗ୍ରୀରେ ପହଞ୍ଚିଛି । ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଉପରବାରହାକାମୁଡାରେ ତାପାମାତ୍ରା ଶୂନ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୪ ଘଣ୍ଟାରେ ତାପାମାତ୍ରା ମାଇନସ ୧ ଡିଗ୍ରୀରେ ରହିଥିବା ନେଇ ରେକର୍ଡ ହୋଇଛି।
ସେହିପରି ରାଉରକେଲା ଏବେ ପାଲଟିଛି ଦେଶର ଚତୁର୍ଥ ଥଣ୍ଡା ସହର । ଏଠାରେ ରାତିର ତାପମାତ୍ରା ୨.୬ ଡିଗ୍ରୀ ସେଲସିଅସ ଥିବା ରେକର୍ଡ କରାଯାଇଛି । ସୁନ୍ଦରଗଡ ଜିଲ୍ଲା କୋଇଡା ଅଂଚଳରେ ଚଳିତ ବର୍ଷର ତୃତୀୟ ଦିନରେ ପ୍ରବଳ ତୁଷାରପାତ ଦେଖିବାକୁ ମିଳିଛି । ପୂର୍ବ ରାତ୍ରିରେ ତାପମାତ୍ରା ୩ ଡିଗ୍ରୀ ତଳେ ରହିବା ପରେ କୋଇଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାର ଦେଖିବାକୁ ମିଳିଛି । ଖୋଲା ପଡ଼ିଆ ,ଗାଡିର ଉପର ଭାଗରେ ବରଫର ଚାଦର ଢାଙ୍କି ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।
ଶିମିଳିପାଳ ସଂଲଗ୍ନ ଜନବସତି ସମେତ ଜିଲାବ୍ୟାପି ଶୀତର ପ୍ରକୋପ ଅସମ୍ଭାଳ କରିଦେଇଛି । ଶିମିଳିପାଳ ଅଭୟାରଣ୍ୟର ଚହଲା ଓ ଗୁଡୁଗୁଡିଆରେ ୨ଡିଗ୍ରୀ, ବରେହିପାଣିରେ ୫ଡିଗ୍ରୀ, ରାମତୀର୍ଥ ଓ ସାତକୋଶିଆରେ ୯ଡିଗ୍ରୀ ଏବଂ କିଆଝରୀରେ ୧୦ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଜିଲାର ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀ ପାଖାପାଖି ରହିଛି ।

