Friday, October 2, 2026
28.6 C
Odisha

    ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌ ଘଟଣା: ତଦନ୍ତ ଆରମ୍ଭ କଲା ପୁଲିସ

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିର ମଧ୍ୟରେ ଚିତ୍ର ଓ ଭିଡିଓ ଉତ୍ତୋଳନ ସମ୍ପୂର୍ଣ୍ଣ ନିଷେଧ ଥିଲେ ହେଁ ଗତ ୧୨ ତାରିଖରେ ଗୌରବ କୁମାର ସାହୁ ନାମକ ଜଣେ ବ୍ୟକ୍ତି ନିଜ ସୋସିଆଲ ମିଡିଆ ସାଇଟ୍‌ରେ ଏହାକୁ ସେୟାର କରି ଭାଇରାଲ୍‌ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ୍‌ଙ୍କ ସହ ଆଲୋଚନା କରିଛନ୍ତି। ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ୍‌ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ ଶ୍ରୀମନ୍ଦିର ମଧ୍ୟକୁ ମୋବାଇଲ୍‌ କିମ୍ବା କ୍ୟାମେରା ନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁନର୍ବାର ଶ୍ରୀମନ୍ଦିରର ସମସ୍ତ ସେବକ, ଅଧିକାରୀ ତଥା କର୍ମଚାରୀମାନେ ଶ୍ରୀମନ୍ଦିର ମଧ୍ୟକୁ ମୋବାଇଲ୍‌ ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯିଏ ଏହାର ବ୍ୟତିକ୍ରମ କରିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ଚିତ୍ର ଓ ଭିଡିଓ ଉତ୍ତୋଳନ କରିଥିବା ବ୍ୟକ୍ତିଙ୍କୁ ଦର୍ଶନ କରାଇଥିବା ସେବକ ବା ପଣ୍ଡାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଗତ ୧୨ ତାରିଖରେ ଗୌରବ ସାହୁ ଶ୍ରୀମନ୍ଦିର ଭିତର ବେଢ଼ା କୀର୍ତ୍ତନ ମଣ୍ଡପ ନିକଟରେ ଫଟୋ ଉଠାଇଥିଲେ। ଫଟୋରେ ଗାରଦ, ଜଗମୋହନ ସମେତ କିଛି ପାର୍ଶ୍ୱ ଦେବଦେବୀ ଦୃଶ୍ୟମାନ ହୋଇଥିଲେ। ପରେ ଏହାକୁ ସେ ସୋସିଆଲ ମିଡିଆରେ ଅପଲୋଡ୍‌ କରିଥିଲେ। ଶ୍ରୀମନ୍ଦିର ଚାରିଦ୍ୱାରରେ ମାଳମାଳ ପୁଲିସ ଚେକିଂ କରି ଛାଡ଼ୁଥିଲେ ହେଁ କିଭଳି ମୋବାଇଲ ଶ୍ରୀମନ୍ଦିର ଭିତରକୁ ଯାଉଛି ଓ ପୁଲିସର ପଇଁତରା ସତ୍ତ୍ୱେ କେମିତି ନିର୍ବିଘ୍ନରେ ଭିଡିଓଗ୍ରାଫି ହେଉଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାରମ୍ବାର ଏପରି ଘଟଣା ଘଟୁଛି। ଏନେଇ ଥାନାରେ ଏତଲା ସହ ତାଗିଦ କରାଯାଉଛି। ତଥାପି ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇବାର ପ୍ରବଣତା କମୁନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ