ଭୁବନେଶ୍ବର: ବାଜା ଭେରୀ ତୁରୀ କାହାଳୀ ବଜାଇ ଶୋଭାଯାତ୍ରାରେ ବାହାରିଛନ୍ତି ପ୍ରଭୁ ଲିଙ୍ଗରାଜ । ସାଙ୍ଗରେ ଅଛନ୍ତି ଦେବୀ ପାର୍ବତୀ ଏବଂ ଶ୍ରୀବାସୁଦେବ ମହାପ୍ରଭୁ । ସେବାୟତମାନେ ପାଲିଙ୍କୀରେ କାନ୍ଧେଇ ଏହି ୩ ଦିଅଁଙ୍କୁ ନେଇ ଭାସ୍କରେଶ୍ବର ମନ୍ଦିର ପରିସରରେ ପହଞ୍ଚିଥିଲେ । ପରେ ପାଲିଙ୍କୀ ଭିତରୁ ୩ ଦିଅଁଙ୍କୁ ବାହାର କରି ପାଛୋଟି ନେଲେ ମନ୍ଦିର ବାହାରେ ଥିବା ଆସନ ନିକଟକୁ । ଆସନ ଉପରେ ୩ ଦିଅଁଙ୍କୁ ସ୍ଥାପିତ କରି ଆରମ୍ଭ କଲେ ପୂଜାର୍ଚ୍ଚନା । କିଛି ସମୟ ପରେ ଆଳତି, ଧୂପ ଦୀପରେ ପୂଜା ପାଇଲେ ୩ ଦିଅଁ । ହେଲେ ୩ ଦିଅଁ ଏହି ଭାସ୍କରେଶ୍ବର ମନ୍ଦିର ଆସନ୍ତି କାହିଁକି ? ନିଶ୍ଚିତ ଭାବରେ ଆପଣ ମାନଙ୍କ ମଧ୍ୟରୁ ଅନେକ ହୁଏତ ଜାଣିଥିବେ, କିନ୍ତୁ ଆଉ କେତେ ଜଣ ଜାଣି ନଥିବେ ଏହାର କାରଣ । ତେବେ ଆସନ୍ତୁ ଜାଣିବା ।
କିମ୍ବଦନ୍ତୀ କହେ ଭାସ୍କରେଶ୍ବର ମନ୍ଦିର ହେଉଛି ଲିଙ୍ଗରାଜ, ବାସୁଦେବ ମହାପ୍ରଭୁଙ୍କର ମାମୁଁଘର । ଅଶୋକାଷ୍ଟମୀରେ ମାଉସୀ ଘରକୁ ଯିବା ପୂର୍ବରୁ ୩ ଦିଅଁ ମାମୁଁଘରୁ ବୁଲି ଆସନ୍ତି । ମାମୁଁଘର ବୁଲିବା ସହ ପରମ୍ପରା ରହିଛି କି ମନ୍ଦିରର ଉଚ୍ଚତା, ରୂପରେଖ ଏବଂ ଓସାର ମାପି ନିଅନ୍ତି ରୁକୁଣା ରଥ ତିଆରି ପାଇଁ । କାରଣ ହେଲା ମାଉସୀ ଘରକୁ ଅଶୋକାଷ୍ଟମୀରେ ଯେତେବେଳେ ଯାଆନ୍ତି, ସେଇଠି ୩ ଦିଅଁ ଦର୍ଶାଇ ଥାଆନ୍ତି ମାମୁଁ ଘରକୁ ବୁଲି ଯାଇଥିଲେ ବୋଲି ଇଏ ଏକ ପ୍ରମାଣ ।
ଭୁବନେଶ୍ବରର ଟଙ୍କପାଣି ରୋଡ ତଥା ବ୍ରହ୍ମେଶ୍ୱର ପାଟଣାଛକରେ ଅବସ୍ଥିତ ପ୍ରସିଦ୍ଧ ଶ୍ରୀଭାସ୍କରେଶ୍ଵର ମନ୍ଦିର । ନାଁ ଯେମିତି ଏହାର କାରୁକାର୍ଯ୍ୟ ବି ସେମିତି । ଏହି ମନ୍ଦିରକୁ ଏକାମ୍ର କ୍ଷେତ୍ରର ଅଧିଶ୍ୱର ଶ୍ରୀଲିଙ୍ଗରାଜ ମହାପ୍ରଭୁ ଯାତ୍ରା କରିଥିଲେ । ମହାପ୍ରଭୁଙ୍କ ସହିତ, ଦେବୀ ପାର୍ବତୀ, ଦେବୀଦୂର୍ଗା, ଏବଂ ଶ୍ରୀ ବାସୁଦେବ ମହାପ୍ରଭୁ , ଦୁଇଟି ସୁସଜ୍ଜିତ ବିମାନ ଏବଂ ପାଲିଙ୍କିରେ ଲିଙ୍ଗରାଜ ମନ୍ଦିରରୁ ବାହାରି ଥିଲେ । ଘଣ୍ଟଘଣ୍ଟା, କାହାଳୀ, ଛତା ତ୍ରାସ ସହିତ ଭାସ୍କରେଶ୍ୱର ମନ୍ଦିରରେ ପହଞ୍ଚିଥିଲେ ସେବାୟତମାନେ । ସେଠାରେ ପୂଜାପଣ୍ଡା ସେବାୟତ ପ୍ରସନ୍ନ ପୂଜାପଣ୍ଡାଙ୍କ ଦ୍ୱାରା ଭୋଗ ନୈବେଦ୍ୟ ଅର୍ପଣ ଓ ଆଳତୀ କରାଯାଇଥିଲା । ମହାରଣା ସେବକଙ୍କୁ, ଭାସ୍କରେଶ୍ୱର ମନ୍ଦିର ଶୈଳୀରେ, ରୁକୁଣା ରଥ ନିର୍ମାଣ ପାଇଁ ମାପ ନେବା ଲାଗି ପରାମର୍ଶ ଦିଆଯାଇଥିଲା । ଏହି ଭୋଗ, ପ୍ରତିବର୍ଷ ପରି ଚଳିତ ବର୍ଷ ନିକଟସ୍ଥ ବଡ଼ଗଡ଼ ଗ୍ରାମର ଦୀପାଞ୍ଜନ ସାମନ୍ତରାୟ ପରିବାର ପକ୍ଷରୁ ଯୋଗାଇ ଦିଆଯାଇଥିଲା । ପରିଶେଷରେ ସମସ୍ତ ଦେବାଦେବୀଙ୍କୁ ଭାସ୍କରେଶ୍ୱର ମହାଦେବଙ୍କ ସମ୍ମୁଖକୁ ନିଆଯିବା ପରେ ସେଠାରେ ଭେଟ ଆଳତୀ କରାଯାଇଥିଲା । ଏହି ନୀତିକାନ୍ତି ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ନିଜର ଶ୍ୱଶୁରଘର ଅର୍ଥାତ କେଦାରଗୌରୀ ମନ୍ଦିର ଯାତ୍ରା କରିଥିଲେ । ସେଠାରେ ପୂଜାର୍ଚ୍ଚନା ସମ୍ପନ୍ନ ପରେ ସମସ୍ତ ଦେବାଦେବୀ, ଲିଙ୍ଗରାଜ ମନ୍ଦିରକୁ ବିଳମ୍ବିତ ରାତ୍ରିରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଯାତ୍ରାରେ ସମସ୍ତ ସେବାୟତ ସାମିଲ ହୋଇଥିଲେ ।… ଇଏ ପ୍ରଭୁ ଲିଙ୍ଗରାଜଙ୍କର ଏକ ଅନନ୍ୟ ପରମ୍ପରା ।

