ରାଉରକେଲା : ରାଉରକେଲାର ଝିଅ ରୋଜାଲିନଙ୍କ ସଫଳତା । ନବମ ଓଡ଼ିଶା ବାଟାଲିୟନ NCCର କ୍ୟାଡେଟ୍ ତଥା ମ୍ୟୁନିସିପାଲ କଲେଜର ଛାତ୍ରୀ ରୋଜାଲିନ୍ ମାଝୀ ଏକ ଅସାଧାରଣ ସଫଳତା ହାସଲ କରିଛନ୍ତି । ସିକିମରେ ଆୟୋଜିତ ବେସିକ୍ ମାଉଣ୍ଟେନିୟରିଂ କୋର୍ସ ସମୟରେ୧୬ ହଜାର ୫୦୦ ଫୁଟ ଉଚ୍ଚତା ପାହାଡ଼ ଆରୋହଣ କରି ଏହି ସଫଳତା ପାଇଛନ୍ତି । ସିକିମର ମାଉଣ୍ଟ ବାରୁମଖାଙ୍ଗସିର ଶୀର୍ଷ କୁ ଚଢି ଗର୍ବ ଆଣିଛନ୍ତି ରୋଜାଲିନ । ଏହାକୁ ନେଇ ତାଙ୍କୁ ପଶ୍ଚିମାଞ୍ଚଳ ଡ଼ିଆଇଜି ଏବଂ ରାଉରକେଲା ଏସପିଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।
ଗତ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୨୦ ତାରିଖ ‘ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ଅଲ୍ଟିଚ୍ୟୁଡ୍ କ୍ଲାଇମ୍ବିଂ ଆଣ୍ଡ ଆଡଭେଞ୍ଚର’ ଠାରେ ରୋଜାଲିନ୍ କଠିନ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ପାହାଡ଼ର ପ୍ରତିକୂଳ ଓ ଆହ୍ୱାନପୂର୍ଣ୍ଣ ପରିବେଶ ମଧ୍ୟରେ ସେ ଅସାଧାରଣ ସାହସ, ଦୃଢ଼ ସଂକଳ୍ପ ଓ ଧୈର୍ଯ୍ୟର ପରିଚୟ ଦେଇଛନ୍ତି।ସାରା ଦେଶରୁ ଅଂଶଗ୍ରହଣ କରିଥିବା ୩୦ ଜଣ NCC କ୍ୟାଡେଟଙ୍କ ମଧ୍ୟରେ ରୋଜାଲିନଙ୍କ ଏହି ସଫଳତା ଆଜିର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା ପାଲଟିଛି ।
