ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ତାରକା ପିଭି ସିନ୍ଧୁଙ୍କୁ ଚଳିତ ଇଣ୍ଡିଆନ୍ ଓପନ୍ ସୁପର ୭୫୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡ୍ରେ ଶକ୍ତ ଝଟକା ଲାଗିଛି । ଗତ ସପ୍ତାହରେ ମାଲେସିଆ ଓପନ୍ ସୁପର ୧୦୦୦ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଥିବା ସିନ୍ଧୁଙ୍କୁ ଭିଏତନାମର ଥୁଏ ଲିନ୍ ନୁୟେନ୍ ୨୨-୨୦, ୧୨-୨୧, ୧୬-୨୧ରେ ହରାଇ ବିଦାୟର ପଥ ଦେଖାଇ ଦେଇଛନ୍ତି । ଦୀର୍ଘ ୬୮ ମିନିଟ୍ କାଳ ଲଢ଼ିଥିଲେ ମଧ୍ୟ ଲିନ୍ଙ୍କ ଚତୁର ଓ ଆକ୍ରମଣାତ୍ମକ ଖେଳ ଆଗରେ ସିନ୍ଧୁ ଶେଷରେ ହାର ମାନି ଥିଲେ। ପ୍ରଥମ ସେଟ୍କୁ କଷ୍ଟେମଷ୍ଟେ ଜିତିବା ପରେ ପରବର୍ତ୍ତୀ ଦୁଇ ସେଟ୍କୁ ଲକ୍ଷ୍ୟହୀନ ଭାବେ ହାରି ଦ୍ବିତୀୟ ରାଉଣ୍ଡକୁ ଯିବାର ସୁଯୋଗ ହରାଇଥିଲେ ସେ । ଅନ୍ୟପକ୍ଷରେ ମାଳବିକା ବଂସୋଦ ୨୧-୧୮, ୨୧-୧୯ରେ ଚାଇନିଜ୍ ତାଇପେଇର ପାଇ ୟୋ ପୋଙ୍କୁ ହରାଇ ଆଗକୁ ବଢ଼ିଥିଲେ ।
ପୁୁରୁଷ ଏକକରେ ବିଶ୍ବର ପୂର୍ବତନ ଏକନମ୍ବର ଖେଳାଳି କିଦାମ୍ବି ଶ୍ରୀକାନ୍ତ ନିଜ ଦେଶର ତରୁଣ ମାନେପାଲୀଙ୍କୁ ୧୫-୨୧, ୨୧-୬, ୨୧-୧୯ରେ ହରାଇ ଆତ୍ମବିଶ୍ବାସର ସହ ନିଜ ଅଭିଯାନ ଆରମ୍ଭ କରିଥିଲେ । ସେହିଭଳି ମହିଳା ଯୁଗଳରେ ତ୍ରିଷା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ୨୧-୧୫, ୨୧-୧୧ରେ ଥାଇଲାଣ୍ଡର ଅର୍ଣ୍ଣିଚା ଜଙ୍ଗସାଥପଣ୍ଣପନ୍ ଓ ସୁକିତା ସୁୱାଚୀଙ୍କୁ ୨୧-୧୫, ୨୧-୧୧ରେ ପରାସ୍ତ କରିଥିଲେ । ଓଡ଼ିଆ ଭଉଣୀ ଶ୍ବେତାପର୍ଣ୍ଣା ଓ ଋତାପର୍ଣ୍ଣା ପଣ୍ଡା ମଧ୍ୟ ନିଜ ରାଉଣ୍ଡ୍ ଅଫ୍ ୬୪ ମ୍ୟାଚ୍ ହାରି ଯାଇଥିଲେ ।
ମିଶ୍ରିତ ଯୁଗଳରେ ଧ୍ରୁବ କପିଳା ଓ ନତୀଷା କ୍ରାଷ୍ଟୋ କିନ୍ତୁ ପ୍ରଥମ ରାଉଣ୍ଡ୍ରୁ ବିଦାୟ ନେଇଥିଲେ । ଏହି ଭାରତୀୟ ଯୋଡ଼ିକୁ ଥାଇଲାଣ୍ଡର ପକାପନ ତିରାତସକୁଲ ଓ ସାପସିରୀ ତେରାତନାଚାଇ ୨୧-୧୫, ୨୧-୧୪ରେ ହରାଇ ଦେଇଥିଲେ । ରୋହନ କାପୁର ଓ ରୁତ୍ବିକା ଶିବାନୀ, ଆଶିଥ ସୂର୍ଯ୍ୟା ଓ ଅମୃତା ପ୍ରମୁଥେସ ମଧ୍ୟ ନିଜ ନିଜ ମ୍ୟାଚ୍ ହାରି ଯାଇଥିଲେ ।

