ଭୁବନେଶ୍ୱର: ସ୍ୱଚ୍ଛତା ବଜାୟ ରଖିବା, ଆବର୍ଜନାର ସୁବ୍ୟବସ୍ଥିତ ପରିଚାଳନା ଏବଂ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହନ ଦେବା ଦିଗରେ ଓଡ଼ିଶା ଖଣି ନିଗମ (OMC) ପକ୍ଷରୁ କୋରାପୁଟ ଜିଲ୍ଲା ସ୍ଥିତ ନିଜସ୍ଵ କୋଡ଼ିଙ୍ଗାମାଳି ବକ୍ସାଇଟ ଖଣି ପାର୍ଶ୍ୱବର୍ତ୍ତୀ ଲକ୍ଷ୍ମୀପୁରଠାରେ ଏକ ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ପ୍ରତିଷ୍ଠା କରାଯାଇଛି । ଏହି ୟୁନିଟ୍ ମାଧ୍ୟମରେ ଘରକୁ ଘର ଯାଇ ଆବର୍ଜନା ସଂଗ୍ରହ କରାଯିବା ସହ ଏହାର ପୃଥକୀକରଣ ଏବଂ ଜୈବିକ ବର୍ଜ୍ୟରୁ କମ୍ପୋଷ୍ଟ ବା ଜୈବିକ ଖତ ପ୍ରସ୍ତୁତ କରାଯାଉଛି । ଏହି ପଦକ୍ଷେପ ଲକ୍ଷ୍ମୀପୁର ଅଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନାକୁ ସୁସଂଗଠିତ କରିବା ସହ ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ସୃଷ୍ଟି ଦିଗରେ ଓଏମ୍ସିର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁ ଛି।
ସହରାଞ୍ଚଳରେ ଦୈନନ୍ଦିନ ଜୀବନରୁ ସୃଷ୍ଟି ହେଉଥିବା ଆବର୍ଜନାର ଉପଯୁକ୍ତ ପରିଚାଳନା, ପରିବେଶ ସୁରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଆବର୍ଜନାକୁ ଅନିୟନ୍ତ୍ରିତ ଭାବେ ବାହାରେ ଫିଙ୍ଗିବା ଦ୍ୱାରା ରାସ୍ତାଘାଟ ଓ ସାଧାରଣ ସ୍ଥାନରେ ଅପରିଚ୍ଛନ୍ନତା ସୃଷ୍ଟି ହେବା ସହ ପରିବେଶ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଏହାକୁ ଦୃଷ୍ଟିରେ ରଖି ଲକ୍ଷ୍ମୀପୁରରେ ଆବର୍ଜନା ସଂଗ୍ରହ, ପ୍ରକ୍ରିୟାକରଣ ଓ ପୁନଃବ୍ୟବହାରକୁ ଗୁରୁତ୍ୱ ଦେଇ ଏହି ୟୁନିଟ୍ ସ୍ଥାପନ କରାଯାଇଛି ।
ଏହି ୟୁନିଟର ସୁପରିଚାଳନା ପାଇଁ ଆବଶ୍ୟକ ମାନବ ସମ୍ବଳ ନିୟୋଜିତ କରାଯିବା ସହ ପ୍ରତିଦିନ ଲକ୍ଷ୍ମୀପୁର ବାସିନ୍ଦାଙ୍କ ଘର ସମ୍ମୁଖରୁ ଆବର୍ଜନା ସଂଗ୍ରହ କରିବା ପାଇଁ ଦୁଇଟି ବିଦ୍ୟୁତ୍ଚାଳିତ ଯାନ (ଇଭି) ନିୟୋଜିତ ହୋଇଛି । ଯାହାଦ୍ୱାରା ସ୍ଥାନୀୟ ଲୋକମାନେ ନିଜ ଘରର ଆବର୍ଜନାକୁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ମାଧ୍ୟମରେ ଦେଇପାରୁଛନ୍ତି । ଫଳରେ ଆବର୍ଜନା ସଂଗ୍ରହ କାର୍ଯ୍ୟକୁ ବ୍ୟବସ୍ଥିତ କରିବା ସହ ଏହାର ପରବର୍ତ୍ତୀ ପ୍ରକ୍ରିୟାକରଣ ପାଇଁ ପଦକ୍ଷେପ ନିଆଯାଉଛି ।
ୟୁନିଟରେ ପହଞ୍ଚୁଥିବା ଆବର୍ଜନାକୁ ପ୍ରଥମେ ପୃଥକୀକରଣ କରାଯାଉଛି । ପରେ ଜୈବିକ ବର୍ଜ୍ୟକୁ ଉପଯୁକ୍ତ ପ୍ରକ୍ରିୟାକରଣ ମାଧ୍ୟମରେ କମ୍ପୋଷ୍ଟ ବା ଜୈବିକ ଖତରେ ପରିଣତ କରାଯାଉଛି । ଏହି ଖତକୁ ବୃକ୍ଷରୋପଣ ଓ ଚାରାର ଉପଯୁକ୍ତ ଅଭିବୃଦ୍ଧି ପାଇଁ ବ୍ୟବହାର କରାଯାଉଛି । ଏପରି ପଦକ୍ଷେପ ଆବର୍ଜନା ପରିଚାଳନାକୁ କେବଳ ସଂଗ୍ରହ ଓ ନିଷ୍କାସନ ମଧ୍ୟରେ ସୀମିତ ନରଖି ସମ୍ବଳର ପୁନଃବ୍ୟବହାର ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଉଛି ।
ଲକ୍ଷ୍ମୀପୁର ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ଏହାକୁ ସହରର ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ପାଇଁ ଏକ ଉପଯୋଗୀ ପ୍ରୟାସ ବୋଲି ମତ ଦେଇଛନ୍ତି । ଏନେଇ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ବାସିନ୍ଦା ପି ରାଓ କୁହନ୍ତି, ଗ୍ରାମର ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ହେତୁ ଅଳିଆ ଆବର୍ଜନାର ପରିଚାଳନା ଏକ ପ୍ରମୁଖ ସମସ୍ୟା ପାଲଟିଥିଲା । ଓଏମ୍ସି ପକ୍ଷରୁ ଅଳିଆ ସଂଗ୍ରହ ପାଇଁ ଗାଡ଼ିର ବ୍ୟବସ୍ଥା ହେବା ପରେ ଲୋକମାନେ ନିୟମିତ ଭାବେ ଅଳିଆ ଦେଉଛନ୍ତି ।
