ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର କୋଟମା ସହରରେ ଏକ ଚାରି ମହଲା କୋଠା ଭୁଶୁଡି ପଡିଛି । ଏହି ଦୁର୍ଘଟଣା ଘଟିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ଶାହଡୋଲକୁ ପଠାଯାଇଛି । କିଛି ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ପୋଲିସ ଅଧିକାରୀ କହିଛନ୍ତି । ତେଣୁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଜାରି ରହିଛି ।
ସୂଚନାନୁଯାୟୀ, କୋଟମାରେ ଦୁର୍ଭାଗ୍ୟଜନକ କୋଠା ଭୁଶୁଡ଼ିବା ଘଟଣାରେ ୨ ଜଣଙ୍କର ମୃତ୍ୟୁ ଗଟିଥିଲା । ରାତିସାରା ୫ ଜଣଙ୍କୁ ଭଗ୍ନାବଶେଷରୁ ବାହାର କରାଯାଇଥିଲା ବୋଲି ଅନୁପପୁର ଜିଲ୍ଲା ମାଜିଷ୍ଟ୍ରେଟ୍ ହର୍ଷଲ ପାଞ୍ଚୋଲି କହିଛନ୍ତି । କୋଟମା ବସ୍ ଷ୍ଟାଣ୍ଡ ନିକଟରେ ଅବସ୍ଥିତ “ଅଗ୍ରୱାଲ ଲଜ୍” ନାମକ କୋଠାଟି ଶନିବାର ସନ୍ଧ୍ୟା ପ୍ରାୟ ୫:୩୦ ସମୟରେ ଭୁଶୁଡ଼ି ପଡ଼ିଥିଲା । ଫଳରେ ବିସ୍ଫୋରଣ ହେବା ସହ ଧୂଳି ବାହାରିଥିଲା । ସେହି ମୃତକଙ୍କ ପରିଚୟ ମିଳିଛି । ମୃତକ ହେଲେ ହନୁମାନ ଦୀନ ଯାଦବ (୫୫) ଏବଂ ରାମକୃପାଳ ଯାଦବ (୫୦) । ଭଗ୍ନାବଶେଷରୁ ସେହି ୫ ଜଣ ଆହତ ଉଦ୍ଧାର କରାଯାଇ ଶାହଡୋଲକୁ ପଠାଯାଇଛି । ଉଦ୍ଧାରକାରୀ ଟିମ୍ ରାତିସାରା ଅଭିଯାନ ଜାରି ରହିଛି । ଏଥିସହିତ ମଧ୍ୟପ୍ରଦେଶ ବନ ମନ୍ତ୍ରୀ ଏବଂ ଅନୁପପୁର ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀ ଦିଲୀପ ଅହିରୱାର ଏବଂ କୁଟୀର ଏବଂ ଗ୍ରାମୋଦ୍ୟୋଗ ମନ୍ତ୍ରୀ ଦିଲୀପ ଜୟସୱାଲ ଶନିବାର ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚି ବରିଷ୍ଠ ଅଧିକାରୀଙ୍କ ସହିତ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ତଦାରଖ କରିଥିଲେ ।
ଅନ୍ୟପଟେ ର୍ଘଟଣାର ପ୍ରତ୍ୟେକ ଦିଗର ତଦନ୍ତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଦିଲୀପ ଅହିରୱାର । ଏହା ଛଡ଼ା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଛନ୍ତି । ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ମଧ୍ୟ ସେ କହିଛନ୍ତି । ତିନି ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।
