Saturday, October 10, 2026
29.2 C
Odisha

    ୧୯ ଘଣ୍ଟା ପରେ ସ୍ବାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର  :  ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପଞ୍ଚବକ୍ର ଦେବଙ୍କୁ ନେଇ ଉପୁଜିଥିବା ବିବାଦର ସମାଧାନ ହୋଇଛି। ମନ୍ଦିର ପ୍ରଶାସନର ହସ୍ତକ୍ଷେପ ଏବଂ ଦୁଇ ନିଯୋଗ ସହଯୋଗରେ ବିବାଦର ଅନ୍ତ ଘଟିଛି। ପ୍ରାୟ ୧୯ ଘଣ୍ଟା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଛି। ଗତକାଲି ରାତିରୁ ପଞ୍ଚବକ୍ରଙ୍କ ବିଜେକୁ ନେଇ ବ୍ରାହ୍ମଣ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ ଉପୁଜିଥିଲା। ବିବାଦ ଯୋଗୁଁ ମହାପ୍ରଭୁଙ୍କ ନୀତି ବନ୍ଦ ରହିଥିଲା। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶୁକ୍ରବାର ସକାଳେ ମନ୍ଦିର ଖୋଲିଥିଲେ ହେଁ ନୀତିକାନ୍ତ ସ୍ବାଭାବିକ ହୋଇନଥିଲା। ଦିଅଁ ଗତକାଲିଠାରୁ ଉଜାଗର ଓ ଅପୂଜା ରହିଥିଲେ। ଏବେ ବିବାଦର ଅନ୍ତ ଘଟିଥିବା ବେଳେ ମହାସ୍ନାନ, ମଙ୍ଗଳଆଳତି ଏବଂ ଅବକାଶ ସହିତ ଅନ୍ୟାନ୍ୟ ନୀତି କରାଯାଇଥିଲା।  ପୂର୍ବପରି ନୀତିକାନ୍ତି ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକର ଏକ ଲିଖିତ ନକଲ ଶ୍ରୀଲିଙ୍ଗରାଜ ଥାନାକୁ ପ୍ରଦାନ କରାଯାଇଛି।

    ଗୁରୁବାର ବିଳମ୍ବିତ ରାତିରେ ପଞ୍ଚବକ୍ରଙ୍କ ବିଜେକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ପୂର୍ବରୁ ଏହାକୁ ପୂଜାପଣ୍ଡା ନିଯୋଗ କରୁଥିବା ବେଳେ ବ୍ରାହ୍ମଣ ନିଯୋଗ ଏହି ନୀତିକୁ କରିବାକୁ କହିଥିଲେ। ବିବାଦ ଯୋଗୁଁ ନୀତିରେ ବିଭ୍ରାଟ ହୋଇଥିଲା। ଏହାପରେ ଗତକାଲି ରାତି ୧୧ରୁ ଶୁକ୍ରବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିଅଁଙ୍କ କୌଣସି ନୀତି ହୋଇପାରିନଥିଲା। ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କ ଉପସ୍ଥିତିରେ ନୀତି ବନ୍ଦ ସମ୍ପର୍କରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୩ ରୁ ୪ ଘଣ୍ଟା ଆଲୋଚନା ପରେ ସମାଧାନର ପନ୍ଥା ବାହାରିଥିଲା। ସମାଧାନ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ନ୍ୟାସ ମଣ୍ଡଳୀ ସଭାପତିଙ୍କୁ ଅବଗତ କରିଥିଲେ ଏବଂ ତାହା ଆସନ୍ତା ନ୍ୟାସ ମଣ୍ଡଳୀ ବୈଠକରେ ଉପସ୍ଥାପନା କରାଯିବ। ଏ ସତ୍ତ୍ବ ସମ୍ପର୍କିତ କାଗଜାତ ଉଭୟ ବ୍ରାହ୍ମଣ ଏବଂ ପୂଜାପଣ୍ଡା ନିଯୋଗ ମନ୍ଦିର କାର୍ଯ୍ୟାଳୟରେ ଜମା କରିବେ। କୌଣସି ବିବାଦ ଉପୁଜିଲେ ଧାରା-୪୧ ଅନୁଯାୟୀ ‌େ‌ଦବୋତ୍ତର ଆୟୁକ୍ତଙ୍କ ନିକଟରେ ମୋକଦ୍ଦମା ଦାଏର କରିପାରିବେ। ବର୍ତ୍ତମାନ ଦିଅଁଙ୍କ ନୀତି ପୂର୍ବରୁ ଯେଭଳି କରାଯାଉଥିଲା ସେଭଳି କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ ସଦସ୍ୟଙ୍କୁ ଜଣାଇଥିଲେ। ଏହି ବୈଠକରେ ହିମାଦ୍ରୀ ଶେଖର ମହାପାତ୍ର, ଅଞ୍ଚଳ ବଡୁ, ରାକେଶ ମକଦ୍ଦମ, ବିରଞ୍ଚି ନାରାୟଣ ପତି, ସଚ୍ଚିକାନ୍ତ ପୂଜାପଣ୍ଡା, ନାରାୟଣ ମହାପାତ୍ର ଏବଂ ପ୍ରସନ୍ନ ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ