Tuesday, October 13, 2026
28.9 C
Odisha

    ୨ବର୍ଷ ପୂରିବା ପୂର୍ବରୁ ଶେଷ ହେବାକୁ ଯାଉଛି ହରି ବାବୁ କମ୍ଭମପାଟିଙ୍କ କାର୍ଯ୍ୟକାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାର ରାଜ୍ୟପାଳ ଭାବେ ଡକ୍ଟର ହରି ବାବୁ କମ୍ଭମପାଟିଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ପୂରିବା ପୂର୍ବରୁ ଶେଷ ହେବାକୁ ଯାଉଛି । ଝାଡ଼ଖଣ୍ଡର ବରିଷ୍ଠ ବିଜେପି ନେତା ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିବା ସୂଚନା ମଧ୍ୟରେ ହରି ବାବୁଙ୍କ କାର୍ଯ୍ୟକାଳ ପୁଣି ଚର୍ଚ୍ଚାକୁ ଆସିଛି ।

    ୨୦୨୪ ଡିସେମ୍ବର ୨୪ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହରି ବାବୁ କମ୍ଭମପାଟିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ । ତତ୍କାଳୀନ ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ପରେ ଏହି ନିଯୁକ୍ତି ହୋଇଥିଲା । ୩ ଜାନୁଆରୀ ୨୦୨୫ରେ ଭୁବନେଶ୍ୱର ରାଜଭବନରେ ଆୟୋଜିତ ସମାରୋହରେ ଓଡ଼ିଶା ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ତାଙ୍କୁ ଶପଥ ପାଠ କରାଇଥିଲେ । ସେ ରଘୁବର ଦାସଙ୍କ ସ୍ଥାନ ନେଇଥିଲେ । ରାଜ୍ୟପାଳ ଭାବେ ହରି ବାବୁ କମ୍ଭମପାଟିଙ୍କ କାର୍ଯ୍ୟକାଳରେ ଉଚ୍ଚଶିକ୍ଷା କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦେଖିବାକୁ ମିଳିଥିଲା । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ଭାବେ ସେ କୁଳପତି ନିଯୁକ୍ତି, ଖାଲି ଅଧ୍ୟାପକ ପଦ ପୂରଣ ଏବଂ ଶିକ୍ଷାର ଗୁଣବତ୍ତା ଉପରେ ଗୁରୁତ୍ୱ ଦେଇଥିଲେ । ତାଙ୍କ କାର୍ଯ୍ୟକାଳରେ ଗୋଟିଏ ଦିନରେ ୧୪ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ ହୋଇଥିଲେ । ୩ ଅକ୍ଟୋବର ୨୦୨୬ରେ ସେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନଭେମ୍ବର ଶେଷ ସୁଦ୍ଧା ଖାଲି ଶିକ୍ଷକ ପଦ ପୂରଣ ପ୍ରକ୍ରିୟା ଶେଷ କରିବାକୁ କହିଥିଲେ ।

    ୨୦୨୬ ଅଗଷ୍ଟରେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅତିକମରେ ଗୋଟିଏ ଲେଖାଏଁ ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ଗ୍ରାମାଞ୍ଚଳରେ ଦକ୍ଷତା ବିକାଶ, ଉଦ୍ୟୋଗ ସୃଷ୍ଟି ଏବଂ ରୋଜଗାର ସୁଯୋଗ ବଢ଼ାଇବା ଉପରେ ତାଙ୍କର ଗୁରୁତ୍ୱ ରହିଥିଲା । ତାଙ୍କ କାର୍ଯ୍ୟକାଳରେ ଲୋକଭବନ ପରିସରରେ ୪୮୫ କିଲୋୱାଟ୍ ପିକ୍ କ୍ଷମତାର ନୂଆ ରୁଫ୍ ଟପ୍ ସୌରଶକ୍ତି ପ୍ରକଳ୍ପ ଉଦ୍ ଘାଟିତ ହୋଇଥିଲା । ଏହାଦ୍ୱାରା ମୋଟ ସୌରଶକ୍ତି କ୍ଷମତା ୬୩୫ କିଲୋୱାଟ୍ ରେ ପହଞ୍ଚିଥିଲା । ସେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ମଧ୍ୟ ସବୁଜ କ୍ୟାମ୍ପସ୍ ଓ ସୌରଶକ୍ତି ବ୍ୟବହାର ପାଇଁ ଉତ୍ସାହିତ କରିଥିଲେ । ରାଜ୍ୟପାଳ ଭାବେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ସମୟରେ ଦାୟିତ୍ୱ ତୁଲାଇଥିଲେ ।

    ନିକଟରେ ୯ ଅକ୍ଟୋବର ୨୦୨୬ରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଲୋକଭବନରେ ସାକ୍ଷାତ କରିଥିଲେ। ଏହି ଅବସରରେ ରାଜ୍ୟର ବିକାଶ, ଜନକଲ୍ୟାଣ ଓ ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ବ୍ରଜ ମୋହନ ରାମଙ୍କ ନିଯୁକ୍ତି ଘୋଷଣା ହୋଇଛି । ନୂଆ ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ହରି ବାବୁ କମ୍ଭମପାଟିଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ନୂଆ ଦାୟିତ୍ୱ ଘୋଷଣା କରାଯାଇନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.7kmh
    0 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ