Monday, October 19, 2026
21.6 C
Odisha

    ୫୯୧ ଜଣଙ୍କୁ ନିଯୁକ୍ତିପତ୍ର ଦେଲେ ମୁଖ୍ୟମନ୍ତ୍ରୀ, ଦୁର୍ନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୋଟ ୫୯୧ ଜଣ ନୂତନ ନିଯୁକ୍ତିପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ଏବଂ ସେମାନଙ୍କୁ ଦୁର୍ନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।  ଭୁବନେଶ୍ୱରର ଓୟୁଏଟିର କୃଷି ଶିକ୍ଷା ସଦନରେ ୧୩ତମ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରୀକୁ ସବୁବେଳେ ଜନସେବା ଭାବେ ମନେ କରିବେ ।   ସରକାରୀ ଚାକିରି ମିଳିଯିବା ପରେ କେବେହେଲେ କାର୍ଯ୍ୟରେ ଅବହେଳା କରିବେ ନାହିଁ ଓ ଦୁର୍ନୀତି ଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ ।  ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର ବିଭିନ୍ନ ଜଳସେଚନ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

    ସୂଚନା ଯୋଗ୍ୟଯେ, ଆଜିର ନିଯୁକ୍ତି ମେଳାରେ ଜଳ ସମ୍ପଦ ବିଭାଗର ୨୩୨ ଜଣ, ପୂର୍ତ୍ତ ବିଭାଗର ୧୯୭ ଜଣ, ଓ ଗୃହ ଓ ନଗର ଉନ୍ନୟନ ବିଭାଗର ୧୪୨ ଜଣ ସହାୟକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (Assistant Executive Engineer ), ୫ ଜଣ ଅର୍ଥ ଓ ହିସାବ ଅଧିକାରୀ ଏବଂ ୧୫ ଜଣ ଯୋଜନା ସହାୟକ (Planning Assistant) ଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି ।  ଆଜି ଏହି ନିଯୁକ୍ତି ମେଳା ଜରିଆରେ ଆମେ ପ୍ରଥମ କରି GATE SCORE ଆଧାରରେ, ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (AEE) ଙ୍କୁ ଚୟନ କରି, ତିନି ଗୋଟି ଇଞ୍ଜିନିୟରିଂ ବିଭାଗରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (AEE) ପଦବୀରେ ନିଯୁକ୍ତି ପ୍ରଦାନ କରାଯାଇଛି  l ସମୁଦାୟ ୫୯୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । କୃଷି ଶିକ୍ଷା ସଦନ ଠାରେ ଉପସ୍ଥିତ ନବନିଯୁକ୍ତଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଜୁନ୍ ମାସରୁ ଆଜି ଭିତରେ ଅର୍ଥାତ ୧୮ ମାସ ମଧ୍ୟରେ ୩୭ ହଜାର ୯୧୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଆଗାମୀ ଛ’ ମାସ ମଧ୍ୟରେ ଆଉ ୩୦ ହଜାର ପଦବୀ ପୂରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି । ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ ଲକ୍ଷ ପଦ ପୂରଣ କରିବା ସହ ଦୁଇ ବର୍ଷ ଭିତରେ ୬୫ ହଜାର ସରକାରୀ ପଦବୀ ପୂରଣ କରିବା ପାଇଁ ଆମ ସରକାର ପ୍ରତିଶୃତି ଦେଇଥିଲେ । ତେଣୁ ଆପଣମାନେ ସମସ୍ତେ ଦୁର୍ନୀତିରୁ ଉର୍ଦ୍ଧ୍ୱରେ ରହି ସରକାରଙ୍କର ସମସ୍ତ ଜନ କଲ୍ୟାଣକାରୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ଦୃଢ ପ୍ରତିବଦ୍ଧ ହୋଇପାରିଲେ ସମାଜ ତଥା ରାଜ୍ୟ ବିକଶିତ ହୋଇପାରିବ ବୋଲି  ମୁଖ୍ୟମନ୍ତ୍ରୀ କହିଥିଲେ  lଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ମଧ୍ୟ ଲୋକାର୍ପିତ କରିଥିଲେ  ।  ଏହି ଯୋଜନା ପାଇଁ ୨୭୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ଏହାଦ୍ୱାରା ଆଗାମୀ ୫ ବର୍ଷରେ ୩ ହଜାର ନୂଆ ଚେକ୍‌ ଡ୍ୟାମ୍ ନିର୍ମାଣ ହେବା ସହିତ ୨ ହଜାର ପୁରୁଣା ଚେକ୍‌ ଡ୍ୟାମ୍‌ର ପୁନଃରୁଦ୍ଧାର କରାଯିବ । ଏହାଦ୍ୱାରା ରାଜ୍ୟରେ ପ୍ରାୟ ୪୮ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିପାରିବ ।

    ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନାରେ ଆଜି ରାଜ୍ୟର ୨୨ ଟି ଜିଲ୍ଲାରେ ୧୦୧ ଟି ଚେକ୍‌ଡ୍ୟାମ୍ ଲୋକାର୍ପିତ କରାଯାଇଛି ।  ଏଥିପାଇଁ ୭୦ କୋଟି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଦ୍ୱାରା ୨୪୧୬ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିବ ।  ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନା ୩.୦ ରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ୨୦୧ ଟି ଚେକ୍‌ଡ୍ୟାମ୍ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖାଯାଇଛି । ପ୍ରାୟ ୧୬୦ କୋଟି ଟଙ୍କା ବିନିଯୋଗରେ ଏହା ନିର୍ମାଣ କରାଯିବ ଏବଂ ଏହାଦ୍ୱାରା ୫୩୪୨ ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିବ ।

    ଆଜି ଉଦ୍‌ଘାଟିତ ହୋଇଥିବା ଜଳସେଚିତ ପ୍ରକଳ୍ପ ଗୁଡ଼ିକ ଦ୍ୱାରା ୧୬,୨୫୨ ହେକ୍ଟର ଚାଷଜମିରେ ଜଳସେଚନର ସୁବିଧା ସହିତ ୬୪ ହଜାର ଚାଷୀ ଭାଇ ଉପକୃତ ହେବେ । ସେହିପରି ଭିତ୍ତିପ୍ରସ୍ତର ରଖାଯାଇଥିବା ପ୍ରକଳ୍ପ ଦ୍ୱାରା ୧, ୫୫,୩୬୦ ହେକ୍ଟର ଜମିରେ ଜଳସେଚନ ସୁବିଧାର ବିକାଶ ହେବ ଏବଂ ପ୍ରାୟ ୬୩ ହଜାର କୃଷକ ଉପକୃତ ହେବେ। ସମୁଦାୟ ପ୍ରାୟ ୧ ଲକ୍ଷ ୨୭ ହଜାର କୃଷକ ଉପକୃତ ହେବେ ।

    କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ ଯେ, ଉନ୍ନତି ପାଇଁ ନିଯୁକ୍ତି ଆବଶ୍ୟକ ଏବଂ ଏହି କଥାକୁ ମୁଖ୍ୟମନ୍ତ୍ରୀ ହୃଦୟଙ୍ଗମ କରି ତ୍ୱରିତ ଗତିରେ ଆଜି ଅନେକ ଖାଲି ପଦବୀ ପୂରଣ କରୁଛନ୍ତି ।  ସତ୍ୟନିଷ୍ଠା, ପେଶାଦାରୀତା ଓ ନିଷ୍ଠାର ସହ ଆଜିଠାରୁ ଭବିଷ୍ୟତ ପାଇଁ ମାନସିକତା ନେଇ କାର୍ଯ୍ୟ କରିବାକୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ନବ ନିଯୁକ୍ତମାନଙ୍କୁ କହିଥିଲେ  । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତଭାଷଣ ଦେଇଥିବା ବେଳେ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଧନ୍ୟବାଦ ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ