ମଧ୍ୟପ୍ରଦେଶ: Madhya Pradesh Accident ମଧ୍ୟପ୍ରଦେଶରେ ବଡ଼ ଅଘଟଣ । ନାଳରେ ଭାସିଗଲା କାର୍ , ଓଡ଼ିଶାର ୮ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ଜଣ ମହିଳା ଏବଂ ୩ ଜଣ ପୁରୁଷ ରହିଛନ୍ତି । ସମସ୍ତ ମୃତକ ଭୁବନେଶ୍ବର ଜୟଦେବ ବିହାରର । ମୃତକମାନେ ହେଲେ ଝିଅ ରାଧାରାଣୀ ବେହେରା, ପୁଅ ଶିବପ୍ରସାଦ ବେହେରା, ଜ୍ୱାଇଁ ଜ୍ଞନେନ୍ଦ୍ର ବେହେରା, ଦୁଇ ନାତି କ୍ରୀଷ୍ଣାରାଜବୀର ଓ ବି.ସାଇ ସ୍ୱାସ୍ତିକ ଏବଂ ନାତୁଣୀ ସାଇରା ସ୍ୱୟଂପ୍ରଭା । ମା’ ବଗଲାମୁଖୀଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ଅଘଟଣ ହୋଇଥିବା ଜଣାପଡିଛି । ଉଜ୍ଜୟିନୀରୁ ଏକ ଗାଡ଼ିରେ ନଲଖେଡ଼ାର ପ୍ରସିଦ୍ଧ ମା’ ବଗଲାମୁଖୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଅଞ୍ଚଳରେ ରାତିସାରା ପ୍ରବଳ ବର୍ଷା ହୋଇଥିବାରୁ ମନ୍ଦିର ନିକଟରେ ଥିବା ନାଳରେ ହଠାତ୍ ପାଣି ବଢ଼ିବା ସହ ସ୍ରୋତ ଅତ୍ୟନ୍ତ ପ୍ରଖର ହୋଇଯାଇଥିଲା ।
ଏହି ସମୟରେ କାରଟି ନାଳ ପାର ହେବାକୁ ଉଦ୍ୟମ କରିଥିଲା । ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ଗାଡ଼ିଟି ନିୟନ୍ତ୍ରଣ ହରାଇ ପାଣିରେ ଭାସିଯାଇଥିଲା । ପରେ ପ୍ରଶାସନ, ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କାର୍ କୁ ଉଦ୍ଧାର କରିଥିଲେ । ତେବେ ସେତେବେଳକୁ କାରରେ ଥିବା ସମସ୍ତ ୮ ଜଣଙ୍କ ଜୀବନ ଚାଲିଯାଇଥିଲା । ଅଘଟଣ ପଛରେ ସବୁଠାରୁ ବଡ଼ କାରଣ ଥିଲା ପ୍ରବଳ ବର୍ଷା ପରେ ନାଳରେ ହଠାତ୍ ବଢ଼ିଥିବା ପାଣି ଓ ପ୍ରଖର ସ୍ରୋତ। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପାଣିର ସ୍ରୋତ ପ୍ରଖର ଥିବା ସତ୍ତ୍ୱେ ଡ୍ରାଇଭର ତରବରିଆ ଭାବେ ନାଳ ପାର ହେବାକୁ ଚେଷ୍ଟା କରିଥାଇପାରନ୍ତି । ଏହା ଫଳରେ ଗାଡ଼ିଟି ସ୍ରୋତରେ ଫସି ଭାସିଯାଇଥିବା ଆଶଙ୍କା କରାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି ।
୫ଟି ବଡ଼ କାରଣ:
ମଧ୍ୟ ପ୍ରଦେଶରେ କାହିଁକି ଘଟିଲା ବଡ଼ ଅଘଟଣ? ନଜର ପକାଇବା ୫ ବଡ଼ କାରଣ ଉପରେ । ପ୍ରାଥମିକ ତଦନ୍ତ ଓ ସ୍ଥାନୀୟ ପ୍ରଶାସନର ସୂଚନାକୁ ଦେଖିଲେ ଦୁର୍ଘଟଣା ପଛରେ ପ୍ରବଳ ବର୍ଷା, ନାଳରେ ହଠାତ୍ ବଢ଼ିଥିବା ପାଣି, ତୀବ୍ର ସ୍ରୋତ ଓ ସେହି ସ୍ଥିତିରେ ନାଳ ପାର୍ କରିବାର ଉଦ୍ୟମ ପ୍ରମୁଖ କାରଣ ଭାବେ ସାମ୍ନାକୁ ଆସୁଛି । ପୋଲିସ ତଥାପି ଚୂଡ଼ାନ୍ତ କାରଣର ତଦନ୍ତ କରୁଛି । ନଲଖେଡ଼ା ଅଞ୍ଚଳରେ ରାତିରେ ବର୍ଷା ହୋଇଥିଲା । ବର୍ଷା ପାଣି ନାଳକୁ ଆସିବା ପରେ ଜଳସ୍ତର ବଢ଼ିଯାଇଥିଲା ଓ ପାଣିର ସ୍ରୋତ ଅତ୍ୟନ୍ତ ପ୍ରଖର ହୋଇଥିଲା । ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ବର୍ଷା ରେକର୍ଡ ହୋଇଥିଲା । ଏହାର ପ୍ରଭାବରେ ମା’ ବଗଳାମୁଖୀ ମନ୍ଦିର ସମ୍ମୁଖରେ ଥିବା ବର୍ଷାଜଳ ନାଳ ବିପଜ୍ଜନକ ଭାବେ ଫୁଲିଥିଲା ।
ସେହିପରି ପୋଲିସର ପ୍ରାଥମିକ ତଦନ୍ତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ପାଣିର ପ୍ରବାହ ଅଧିକ ଥିବା ବେଳେ କାରଟି ନାଳ ପାର୍ କରିବାକୁ ଚେଷ୍ଟା କରିଥିଲା । ଆଗର ମାଲୱା ଏସ୍ ପି ଦିଲୀପ କୁମାର ସୋନିଙ୍କ ରିପୋର୍ଟ ଅନୁସାରେ, ଡ୍ରାଇଭର ତରବରିଆ ଭାବେ ପ୍ରଖର ସ୍ରୋତ ମଧ୍ୟରେ ନାଳ ପାର୍ କରିବାକୁ ଉଦ୍ୟମ କରିଥାଇପାରନ୍ତି। ତେବେ ଏହା ପ୍ରାଥମିକ ଆକଳନ; ଚୂଡ଼ାନ୍ତ କାରଣର ତଦନ୍ତ ଚାଲିଛି । ସେହିପରି କାରଟି ନାଳ ମଧ୍ୟକୁ ପ୍ରବେଶ କରିବା ପରେ ତୀବ୍ର ସ୍ରୋତରେ ଫସିଯାଇଥିଲା । ପାଣିର ଚାପ ଏତେ ଅଧିକ ଥିଲା ଯେ ଗାଡ଼ିକୁ ନିୟନ୍ତ୍ରଣ କରିବାର ସୁଯୋଗ ମିଳିନଥିଲା । କାର୍ ଟି ପାଣିରେ ଭାସିଯାଇ ନାଳ ଭିତରେ ବୁଡ଼ିଯାଇଥିଲା ।
କିଛି ରିପୋର୍ଟ ଅନୁସାରେ ଅଘଟଣଟି ରାତି କିମ୍ବା ଭୋର ସମୟରେ ଘଟିଥିଲା। ଅନ୍ଧାର ଯୋଗୁଁ ନାଳରେ ପାଣିର ଗଭୀରତା ଓ ସ୍ରୋତର ତୀବ୍ରତା ଠିକ୍ ଭାବେ ଆକଳନ କରିବା କଷ୍ଟକର ହୋଇଥାଇପାରେ। କିନ୍ତୁ ଏହାକୁ ପୋଲିସ ଏପର୍ଯ୍ୟନ୍ତ ଦୁର୍ଘଟଣାର ନିଶ୍ଚିତ କାରଣ ବୋଲି କହିନାହିଁ । ଏପଟେ ଅଘଟଣ ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପ୍ରତିବାଦ କରିବା ସହ ନାଳ ଉପରେ ଉପଯୁକ୍ତ ପୋଲ ନିର୍ମାଣ ଓ ଅଞ୍ଚଳର ଭିତ୍ତିଭୂମିର ବିକାଶ ଦାବି କରିଛନ୍ତି। ଫଳରେ ଏତେ ବଡ଼ ଧାର୍ମିକ ସ୍ଥଳକୁ ଯାତାୟାତ କରୁଥିବା ରାସ୍ତାରେ ବର୍ଷା ସମୟରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିଲା କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି ।
