Monday, October 19, 2026
23.2 C
Odisha

    ନାବାଳକଙ୍କ ମଧ୍ୟରେ ଆପରାଧିକ ମାନସିକତା: ୩ ବର୍ଷରେ ୩୫୦ କୋର୍ଟଚାଲାଣ

    ଆଗକୁ ପଢନ୍ତୁ

    ଗତ କିଛି ବର୍ଷ ହେଲା ମୟୂରଭଞ୍ଜ ଜିଲ୍ଲାରେ ନାବାଳକ ଅପରାଧୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନାବାଳକ ନ୍ୟାୟିକ ପରିଷଦର ରିପୋର୍ଟ ଅନୁଯାୟୀ, ୨୦୨୧ରୁ ଆଜି ୨୦୨୪ ଅଗଷ୍ଟ ସୁଦ୍ଧା ଜିଲ୍ଲାର ୩୫୦ ଜଣ ନାବାଳକଙ୍କୁ ବିଭିନ୍ନ ଅଭିଯୋଗରେ କୋର୍ଟରେ ହାଜର କରାଯାଇଛି। ଚୋରି, ଗଣ୍ଡଗୋଳ, ପ୍ରେମ ଜନିତ କାଣ୍ଡ କାରନାମା ଓ ନାବାଳିକା ଅପହରଣ ଘଟଣାରେ ସର୍ବାଧିକ ନାବାଳକଙ୍କ ସମ୍ପୃକ୍ତି ରହିଛି। ବୈଶିଙ୍ଗା ଉପକଣ୍ଠ ଦାହିବାଡି ହାଟରୁ ଗଲା ୬ ମାସରେ ଶହେରୁ ଅଧିକ ମୋବାଇଲ୍‌ ଚୋରି ହୋଇଥିବା ବେଳେ ଏହି ମାମଲାରେ ୧୦ରୁ ଅଧିକ ନାବାଳକ ଧରାପଡ଼ିଥିଲେ। ଅଧିକାଂଶ ନାବାଳକ ଖଣ୍ଡି ଓଡ଼ିଆରେ କଥା କହୁଥିଲା ବେଳେ ସେମାନେ ଘରୁ ରାଗି ପଳାଇ ଆସିଥିବା ଓ ଲୋଭରେ ପଡ଼ି ଏମିତି କରିଥିବା ପୁଲିସ ଆଗରେ ବୟାନ ଦେଇଥିଲେ। ପୁଲିସର ଖୋଳତାଡ଼ରୁ ଜଣା ପଡ଼ିଛି ଯେ, ସେମାନଙ୍କର କୌଣସି ସ୍ଥାୟୀ ଠିକଣା ନାହିଁ। କାହା ଘର ବ୍ରହ୍ମପୁର ତ’ କିଏ କେନ୍ଦ୍ରାପଡ଼ାର।
    ସେହିପରି ବିହାର ଓ ପଶ୍ଚିମବଙ୍ଗର ପିଲା ବି ଧରା ପଡ଼ିଛନ୍ତି। ଘୋର ଆର୍ଥିକ ଅନଟନ ଓ ପରିବାରର ଅବହେଳା ଯୋଗୁ ଏହି ଛୋଟ ଛୋଟ ପିଲାମାନେ ଚୋରି ଡକାୟତି କରୁଥିବା ଜଣାପଡ଼ିଛି। ତେବେ ସେମାନଙ୍କ ବିରୋଧରେ କେହି ଲିଖିତ ଅଭିଯୋଗ କରିନଥିବାରୁ ପୁଲିସ ମେସାନଙ୍କୁ ବୁଝାସୁଝା କରି ଛାଡ଼ି ଦେଉଛି। ଅନୁରୂପ ଭାବେ କିଛି ଦିନ ପୂର୍ବରୁ ଅନ୍ତଃଜିଲ୍ଲା ବାଇକ୍‌ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ୍‌ ହୋଇଥିବା ବେଳେ ସେଥିରେ ୪ ଜଣ ନାବାଳକ ଧରା ପଡ଼ିଥିଲେ। ସେହିପରି ରଥଯାତ୍ରା ସମୟରେ ବୈଶିଙ୍ଗା ପୁଲିସ ସହାୟତାରେ ଧରା ଯାଇଥିବା ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗରେ ୬ଜଣ ବାଳପରାଧୀ ସାମିଲ ଥିଲେ।
    ପୁଲିସର ତଦନ୍ତରୁ ଜଣାପଡ଼ିଛି; ନାବାଳକମାନଙ୍କୁ ଅସ୍ତ୍ର ସଜାଇ ବଡ଼ ଅପରାଧୀମାନେ ବି ନିଜ ଗ୍ୟାଙ୍ଗ ଚଳଳାଉଛନ୍ତି। ମୁଖ୍ୟତଃ ଚୋରି, ଡକାୟତି, ଛିନ୍‌ତାଇ, ଗଣ୍ଡଗୋଳ ଆଦି ମାମଲାରେ ବାଳପରାଧୀମାନଙ୍କୁ ସହଜରେ ଜାମିନ୍‌ ମିଳି ଯାଉଥିବାରୁ ସେମାନେ ଏହି ଗ୍ୟାଙ୍ଗର ହାତ ବାର୍‌ସି ସାଜି କାର୍ଯ୍ୟ କରୁଛନ୍ତି। ଆର୍ଥିକ ଅନଟନ, କୁସଂସ୍କାର, ଶିକ୍ଷାଦୀକ୍ଷାର ଅଭାବରୁ କଅଁଳ ବୟସରେ ଏହି ପିଲାମାନେ ଅବାଟରେ ପାଦ ଖସାଇ ଦେଉଛନ୍ତି। କେବଳ ଯେ ଗରିବ ଘରର ପିଲା ଅପରାଧ କରୁଛନ୍ତି ତା’ ନୁହେଁ, ଉଗ୍ର ଆଧୁନିକ ସଭ୍ୟତା ସହ ତାଳ ଦେବା ଆଳରେ ଆର୍ଥିକ ସ୍ବଚ୍ଛଳ ଘରର ପିଲାମାନେ ମଧ୍ୟ ଖରାପ ରାସ୍ତାକୁ ଚାଲି ଯାଉଛନ୍ତି। ପୁଲିସ ସେମାନଙ୍କୁ ଧରି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରୁଥିବା ବେଳେ ଅନେକ ସମୟରେ ନାବାଳକ ପାଇଁ ଅନ୍ୟାୟସରେ ଜାମିନ ମିଳିଯାଉଛି। ସୁଧାର ଗୃହରୁ ଫେରି ପୁରୁଣା ଅପରାଧରେ ଲିପ୍ତ ରହୁଥିବାର ପରିଲକ୍ଷିତ ହେଉଛି।
    କିଏ କ’ଣ କହନ୍ତି…
    ନୈତିକ ଶିକ୍ଷାର ଅଭାବ ଓ ଅଭିଭାବକମାନଙ୍କ ବ୍ୟସ୍ତବହୁଳ ଜୀବନ, ପିଲାମାନଙ୍କୁ ବିପଥଗାମୀ କରିବାର ମୁଖ୍ୟ କାରଣ। ସେହିପରି ମୋବାଇଲ୍‌ର ବହୁଳ ବ୍ୟବହାର ବି ଅନ୍ୟତମ କାରଣ। ଏନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମେତ ପିଲାମାନଙ୍କୁ ଅପରାଧରୁ ଦୂରେଇ ରଖିବା ପାଇଁ ଅନ୍ୟ ସାମାଜିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ବ୍ୟବସ୍ଥା କରିବାକୁ ହେବ।
    -ରମାକାନ୍ତ ସିଂହ, ପୂର୍ବତନ ଅଧ୍ୟକ୍ଷ, ବେତନଟୀ ମହାବିଦ୍ୟାଳୟ
    ୧୮ ବର୍ଷରୁ କମ୍‌ କିଶୋରଙ୍କୁ ଶିକ୍ଷା ଓ ସୁ-ସଂସ୍କାର ପ୍ରଦାନର ଆବଶ୍ୟକତା ରହିଛି। ବାଳପରାଧୀଙ୍କୁ ଭଳ ମନ୍ଦର ପାର୍ଥକ୍ୟ ବୁଝାଇଦେଲେ ସେମାନେ ନିଜେ ନିଜକୁ ସୁଧାରିବାକୁ ଚେଷ୍ଟା କରିବେ। ପୁଲିସ ଅଧିକାରୀମାନେ, ବାଳପରାଧୀମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ଅପରାଧୀ ଭଳି ବିବେଚନା ନ କରିବା ଉଚିତ। ସେମାନଙ୍କ ଭିତରେ ସଂଶୋଧନ ପାଇଁ ଉଦ୍ୟମ ହେବା ଉଚିତ।
    -କ୍ଷେତ୍ରମୋହନ ପଣ୍ଡା, ବରିଷ୍ଠ ଆଇନଜୀବୀ
    ଅନେକ ପିଲାଙ୍କୁ ସେମାନଙ୍କ ଅଭିଭାବକମାନେ ବିନା ଦ୍ବିଧାରେ ଖର୍ଚ୍ଚ କରିବାକୁ ଟଙ୍କା ଓ ବ୍ୟବହାର ପାଇଁ ମୋବାଇଲ୍‌ ଦେଉଛନ୍ତି। ହେଲେ ଏହାର ତଦାରଖ କରୁନାହାନ୍ତି। ଆଉ, ପିଲାମାନେ କ’ଣ କଲେ ଜାଣିଲା ବେଳକୁ ନେଡ଼ିଗୁଡ଼ କହୁଣିକୁ ବୋହିଯାଉଛି। ତେଣୁ ନିଜ ପିଲା, କାହା ସହ ମିଶୁଛି, କେଉଁ କାର୍ଯ୍ୟରେ ସମୟ ଦେଉଛି; ସେ ନେଇ ଅଭିଭାବକ ନଜର ରଖିବା ଦରକାର। ଶୈଶବର ପ୍ରଥମ ୧୦ ବର୍ଷ ଭିତରେ ପିଲାଙ୍କୁ ସୁସଂସ୍କାର ଦେଲେ ସେମାନେ ବିଶୃଙ୍ଖଳିତ ହେବାର ଆଶଙ୍କା କମିଯିବ।
    -ସୁଦର୍ଶନ ଦାଶ, ଏସ୍‌ଡିପିଓ, ବେତନଟୀ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ