Wednesday, August 20, 2025
23.5 C
Odisha

    ନବୀନ, ପାଣ୍ଡିଆନଙ୍କ ଉପରେ ବର୍ଷିଲେ ବିଜେପିର ପାଞ୍ଚ ହେଭିୱେଟ୍ ନେତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନବୀନ ସରକାର ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ଓଡ଼ିଶା ବିଜେପିର ୫ ହେଭିୱେଟ୍ ନେତା । ଏହି ୫ ନେତା ହେଲେ ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ ଏବଂ ମନମୋହନ ସାମଲ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ନ୍ୟୁ ମାରିଅନ୍ ରେ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାଠାରୁ ଆରମ୍ଭ କରି ସରକାରରେ ପାଣ୍ଡିଆନଙ୍କ ଭୂମିକା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଉପରେ ମନଭରି ବର୍ଷିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ବିଜେଡି ବିଭିନ୍ନ କଥା କହି ଓଡ଼ିଶାର ଜନତାଙ୍କୁ ବିଭିନ୍ନ ସମୟରେ ବିଭ୍ରାନ୍ତ କରି ଆସିଛି । ଲୋକେ ବିଜେପିକୁ ଭୋଟ ଦେବାକୁ ମନସ୍ଥ କରିଛନ୍ତି । ବିଜୁ ବାବୁ ୫ଟି ସ୍ଥାନରୁ ନିର୍ବାଚନ ହାରିଥିଲେ । ଏହାକୁ ସ୍ୱୀକାର ମଧ୍ୟ କଲେ । କିନ୍ତୁ ଗୁମାସ୍ତା ଦଳୀୟ ପରାଜୟକୁ ସ୍ୱୀକାର କରିପାରୁନାହାନ୍ତି, ନିର୍ବାଚନରେ ହାରିଲେ ସନ୍ନ୍ୟାସ ନେବି କହୁଛନ୍ତି । ହାରିବା ଜିତିବା ରାଜନୀତିରେ ସ୍ୱାଭାବିକ ପ୍ରକ୍ରିୟା । ଯେଉଁମାନେ ମୁହଁରେ ସୁନା ଚାମଚ ଧରି ଜନ୍ମ ହୋଇ ରାଜନୀତି କରୁଛନ୍ତି, ସେମାନେ ଟଙ୍କା ବିଦେଶରେ ରଖିଛନ୍ତି, କେଉଁ ଜାଗାରେ ରହିବ ତାହାର ଯୋଜନା କରୁଛନ୍ତି । ବିଜେଡି ନେତାମାନେ ହତାଶ ଓ ନିରାଶ ଅବସ୍ଥାରେ ପହଂଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ବିବୃତି ଦେବା ଆରମ୍ଭ କରିଛନ୍ତି । ସାଢ଼େ ୪କୋଟି ଓଡ଼ିଆ ଆମ ସହ ଅଛନ୍ତି । ଓଡ଼ିଶାରେ ସରକାର ପରିବର୍ତନ ହେବ ବୋଲି ଲୋକ ସଂକଳ୍ପ ନେଇଛନ୍ତି । ବିଜେଡି ଦଳରେ ରାଜନୈତିକ ବ୍ୟବସ୍ଥା ନାହିଁ । ଓଡ଼ିଆ ସଂସ୍କୃତି ଅସ୍ମିତାକୁ ଆଧାର କରି ବିଜେପି ନିର୍ବାଚନ ଲଢ଼ୁଛି । ବିଜେପି ସାଧାରଣ ଲୋକଙ୍କ ଦଳ, ସ୍ୱତନ୍ତ୍ର ବିଚାରଧାରାରେ ବିଶ୍ୱାସ ରଖେ । ଆମ ଦଳ ସାମୁହିକ ନେତୃତ୍ୱରେ ବିଶ୍ୱାସ ରଖେ । ଏହା ବିଜେଡି ପରି ବ୍ୟକ୍ତିଗତ ମାଲିକାନା ଦଳ ନୁହେଁ ।

    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ ମୃତ୍ୟୁହାର(ଆଇଏମ୍‌ଆର) ୩୬ଥିବା ବେଳେ ଗୁଜୁରାଟରେ ୨୩ ଏବଂ ଜାତୀୟହାର ୨୮ଅଛି । ଶିଶୁ ମୃତ୍ୟୁରେ ଓଡ଼ିଶା ତୃତୀୟ ସର୍ବାଧିକ ରାଜ୍ୟ ଭାବେ ଗ୍ରସିତ ଥିବା ରିପୋର୍ଟ ପ୍ରକାଶ ପାଇଛି । ଜାତୀୟସ୍ତରରେ ସ୍ୱାସ୍ଥ୍ୟ ସେବା ବାବଦକୁ ସରକାର ମୁଣ୍ଡପିଛା ୨୦୧୪ଟଙ୍କା ଖର୍ଚ୍ଚ କରୁଥିବାବେଳେ ଗୁଜରାଟରେ ସରକାର ୧୮୬୧ଟଙ୍କା ଓ ଓଡିଶା ସରକାର ମାତ୍ର ୧୪୪୯ ଟଙ୍କା ଖର୍ଚ୍ଚ କରୁଛନ୍ତି । ଓଡ଼ିଶାରେ ମାଟ୍ରିକ ପରୀକ୍ଷାରେ ଫର୍ମ ପୂରଣ କରି ପ୍ରାୟ ୫୦ପ୍ରତିଶତ ପିଲା ପରୀକ୍ଷା ଦେଉନାହାନ୍ତି । ପ୍ରାୟ ୪୯.୯ପ୍ରତିଶତ ପିଲାମାନେ ହାଇସ୍କୁଲ ସ୍ତରରେ ଅଧାରୁ ପାଠ ଛାଡୁଛନ୍ତି । ଏହା ତୁଳନାରେ ଗୁଜରାଟରେ ୨୮ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ ୨୦ପ୍ରତିଶତ ଅଛି । ଦୀର୍ଘ ୨୫ବର୍ଷ ଶାସନରେ ହିଞ୍ଜିଳିରୁ କାହିଁକି ଅଧିକ ଲୋକ ଗୁଜରାଟକୁ ଦାଦନ ଖଟିବାକୁ ଯାଉଛନ୍ତି? ଏଥିରୁ ଓଡ଼ିଶାର ବାସ୍ତବ ସ୍ଥିତି ଏବଂ ସତ୍ୟ କ’ଣ ଅନୁମେୟ ।
    ଆମ ଦଳ ବିଜେପି ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା ଏବଂ ବିକାଶରେ ବିଶ୍ୱାସ ରଖୁଥିବା ଦଳ । ମାତ୍ର ଏହିସବୁ ସମ୍ବେଦନଶୀଳ ବିଷୟଗୁଡିକ ଆଜି ଓଡ଼ିଶାରେ ବଡ ପ୍ରଶ୍ନବାଚୀ । ଓଡ଼ିଶାକୁ ଏପରିସ୍ଥିତିରୁ ବାହାରକୁ ଆଣିବାକୁ ହେବ । ଏକ ବିଂଶ ଶତାବ୍ଦୀରେ ଓଡ଼ିଶା ଭାଷାଭିତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ବର୍ଷ ପାଳନ କରିବ । ଏହି ସମୟରେ ଓଡ଼ିଶାକୁ ନଅଙ୍କ ଦୁର୍ଭିକ୍ଷ ଆଡକୁ ନେବା ନାଁ ରାଜ୍ୟକୁ ଏକ ନମ୍ବର କରିବା, ଏହା ହିଁ ମୂଳ ପ୍ରସଙ୍ଗ । ଓଡ଼ିଶାର କିଛି ଲୋକ ରାଜ୍ୟର ଗଣତନ୍ତ୍ରକୁ କଣ୍ଠରୋଧ କରିବାର ପ୍ରୟାସ କରୁଛନ୍ତି ଏବଂ ଭୁଲ୍ ତଥ୍ୟ ଦେଉଛନ୍ତି । ଦେଶର କୌଣସି ରାଜ୍ୟର ସଙ୍ଗୀତକୁ “ଶାସ୍ତ୍ରୀୟ ସଙ୍ଗୀତ” ମାନ୍ୟତା ଦିଆଯିବାର ବ୍ୟବସ୍ଥା ହିଁ ନାହିଁ । ଯାହା ବ୍ୟବସ୍ଥାର ନାହିଁ ସେ ପ୍ରସଙ୍ଗକୁ ଉଠାଇ ବାରମ୍ବାର ପ୍ରଶ୍ନ କରିବା ଠିକ୍ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
    ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବା ଓ ଅନ୍ୟପଟେ ୨୫ବର୍ଷରେ ଓଡ଼ିଶା ଯେଉଁ ସ୍ଥାନକୁ ଯିବା କଥା ସେହି ସ୍ଥାନରେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ବିଗତ ୨୫ବର୍ଷରେ ଓଡ଼ିଶାରେ ପିଇବା ପାଣି ନାହିଁ । ଦୂଷିତ ପାଣି ପିଇବା କାରଣରୁ ହଇଜା ହେଉଛି । ଜଳସେଚନର ଘୋର ଅଭାବ । ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟୟ । ଏମ୍‌ସିଆରବି ତଥ୍ୟ ଅନୁସାରେ- ମହିଳା ରାଜ୍ୟରେ ମହିଳା ଅତ୍ୟାଚାର କଥା କହୁଛନ୍ତି । ଓଡ଼ିଶାର ଏକ ତୃତୀୟାଂଶ ଲୋକ ବାହାର ରାଜ୍ୟକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏ ଉପରେ ପ୍ରଶ୍ନ କଲେ ବିଜେଡି ମୋତେ ନିଚ୍ଚ ଦେଖାଇବା ସହ ଦାଦନ ଭଳି ଅପମାନ ସୂଚକ ମନ୍ତବ୍ୟ ଦେଉଛି । ରାଜମିସ୍ତ୍ରୀ ଓ ଡାକପିଅନର ଆଖ୍ୟା ଦେଉଛନ୍ତି । ଓଡ଼ିଶାବାସୀଙ୍କ କଥାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଁଚାଇବା ପାଇଁ ମୁଁ ଦାଦନ ଓ ଡାକ ପିଅନ ହେବା ପାଇଁ ଶ୍ରେୟସ୍କର ମନେ କରିବି । ଏକ ବିଂଶ ଶତାବ୍ଦୀରେ ସ୍ୱାଭିମାନୀ ଓଡ଼ିଶା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ସମସ୍ତେ ରାଜମିସ୍ତ୍ରୀର ଦାୟିତ୍ୱ ନିର୍ବାହ କରିବାକୁ ପ୍ରସ୍ତୁତ । ଏଥର ଓଡ଼ିଶାରେ ନିଶ୍ଚିୟ ପରିବର୍ତନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
    ସେହିପରି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ସରକାର ଆଉଟସୋର୍ସ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ କାହିଁକି ଆଉ କାହା ସହ ଦେଖାଯାଉ ନାହାନ୍ତି କି ମିଶୁନାହାନ୍ତି । କେବଳ ଜଣଙ୍କୁ ତାଙ୍କ ସହ ଦେଖିବାକୁ ମିଳୁଛି । ତାଙ୍କୁ ଏକପ୍ରକାର ନଜର ବନ୍ଦୀ କରାଯାଇଛି । ନବୀନ ବାବୁଙ୍କୁ ନଜର ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା ଦରକାର ହେଉଛି । ନବୀନ ବାବୁଙ୍କର ଯେଉଁ ଭିଡିଓ ଆସୁଛି ତାହା “ଡିପ୍ ଫେକ” ଭିଡିଓ । କେହି ଜଣେ ତାକୁ ମାଇକ୍ରୋଫୋନ ଧରି କୁହାଉଛି । “ଓଡ଼ିଶାବାସୀ ତାଙ୍କୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀ କରିଥିଲେ, ତେଣୁ ବିଷୟରେ ସମସ୍ତେ ଜାଣିବା ଦରକାର” । ଏବେ ଓଡ଼ିଆ ଅସ୍ମିତା ବିପଦରେ ।
    ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସୁରକ୍ଷା ବ୍ୟବସ୍ଥା ଜାଣିଶୁଣି ଢ଼ିଲା କରାଯାଇଥିଲା । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିଲା । ଏହି ହତ୍ୟାକାଣ୍ଡ ପଛରେ ଷଡଯନ୍ତ୍ର ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉତର ଦିଅନ୍ତୁ । ଧର୍ମାନ୍ତରିକରଣ ତତ୍ୱମାନଙ୍କ ସହିତ ନବୀନ ବାବୁଙ୍କ ସମ୍ପର୍କ କଣ? କାହିଁକି ନବୀନ ବାବୁ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି । କଣ ପାଇଁ ଦରକାର ୨ଟି ନ୍ୟାୟିକ ତଦନ୍ତ କମିଶନର ରିପୋର୍ଟ ସାର୍ବଜୀନନ କରୁନାହାନ୍ତି । ରିପୋର୍ଟ ପ୍ରକାଶ ପାଇଲେ ବିଜେଡି ନେତାଙ୍କ ମୁଖା ଖୋଲିଯିବ, କାରଣ ସରକାରୀ ଦଳର ବହୁ ନେତା ଧର୍ମାନ୍ତିକରଣରେ ସଂଶ୍ଳିଷ୍ଟ ।
    ସେହିପରି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, ଓଡ଼ିଶାରେ ନିର୍ଣ୍ଣାୟକ ନିଷ୍ପତି ନେବାର ସମୟ ଆସିଛି । ନିର୍ବାଚନରେ ଆମେ ନେତା ବାଛିବାକୁ ଯାଉଛୁ ନା କ୍ରୀତଦାସ ବାଛିବାକୁ ଯାଉଛୁ । ବିଜେଡି ପକ୍ଷରୁ ବାରମ୍ବାର ଗୋଟିଏ କଥା କୁହାଯାଉଛି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ନେତା ବିରୋଧ କରୁଛନ୍ତି । ବିଜେପି ସବୁବେଳେ ବିକାଶର ରାଜନୀତି କରିଛି । ବିକାଶମୂଳକ କାମକୁ କେବେ ବିଜେପି ବିରୋଧ କରିନି ।
    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି, ଡିପିଆର କାହିଁକି ଭୁଲ ହେଲା ଓ ଏହା ବଦଳା ଗଲା କାହିଁକି? ଯେଉଁ ପ୍ରାଚୀନ ମଠ ସବୁ ଭଙ୍ଗା ଗଲା କେବେ ତିଆରି ହେବ । ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ୪୨ଶହ କୋଟିର ବ୍ୟୟ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି । ଗତ ୫ବର୍ଷ ହେବ ଓଡ଼ିଶାର ଶାସନଭାରକୁ ଜଣେ ହାଇଜାକ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମସ୍ତଙ୍କୁ ଦୂରେ ରଖିଛନ୍ତି ଗୁମାସ୍ତା । ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା କରିବାକୁ ଏ ସାନ ବାବୁଙ୍କର ଅନୁମତି ଦରକାର ପଡୁଛି । ବିଜେଡି ନିଜ ଇସ୍ତାହାରରେ ୧୦୦ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ନନେବାକୁ ଘୋଷଣା କରିଛନ୍ତି । ବିଜେପି ଗ୍ୟାରେଂଟି ଦେଇଚି ଯେ ଲୋକେ ଆଦୌ ବିଜୁଳି ବିଲ୍ ଦେବେନି, ବରଂ ସମସ୍ତଙ୍କ ଘର ଉପରେ ସୋଲାର ପ୍ୟାନେଲ ବସାଇବୁ । କାହିଁକି ଓଡ଼ିଶାରେ ବିଜୁଳି ମହଙ୍ଗା? ଓଡ଼ିଶାରେ ୪୨% ଶିକ୍ଷିତ ଯୁବ ବର୍ଗ ଏବେ ବେକାରୀ ରହିଛନ୍ତି । ଦେଶର ୨୨ରାଜ୍ୟରେ ହୋଇଥିବା ବେକାରୀ ହାର ସର୍ଭେରେ ଓଡ଼ିଶା ୧ନମ୍ବର ଅଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    23.5 ° C
    23.5 °
    23.5 °
    93 %
    1.5kmh
    98 %
    Tue
    23 °
    Wed
    28 °
    Thu
    31 °
    Fri
    26 °
    Sat
    24 °

    ସମ୍ବନ୍ଧିତ