Sunday, August 30, 2026
24.7 C
Odisha

    ଓଡ଼ିଶାର ବିକାଶ ପାଇଁ ଏହି ନିର୍ବାଚନ: ଜେପି ନଡ୍ଡା

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ବିକାଶ ଦିଲ୍ଲୀରେ କରୁଛନ୍ତି, ତାହା ଓଡ଼ିଶାରେ ମଧ୍ୟ କରିବେ। ମୋଦୀଙ୍କ ରାଜନୀତିରେ ଭାରତ ବଦଳିଛି। ଏହା ବିଶ୍ବ କହୁଛି। ପରିବର୍ତ୍ତିତ ଭାରତରେ ଉତ୍ସାହ ଦେଖାଯାଉଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ‌ଜଗତ ପ୍ରକାଶ ନଡ୍ଠା ବ୍ରହ୍ମପୁରର ଆମ୍ବପୁଆ ଠାରେ ଅନୁଷ୍ଠିତ ‘ବିଜୟ ସଂକଳ୍ପ ସମାବେଶ’ରେ ଏହା କହିଛନ୍ତି। ସେ କହିଛନ୍ତି ଯେ, ଏହି ନିର୍ବାଚନ ମୋଦୀଙ୍କ ନେତୃତ୍ବରେ ବିକଶିତ ଭାରତ ନିର୍ମାଣ ପାଇଁ। ଓଡ଼ିଶାର ବିକାଶ ପାଇଁ। ଦେଶର ୮୦ କୋଟି ଲୋକଙ୍କୁ ମୋଦୀ ସରକାର ପ୍ରତିମାସ ରାସନ ଦେଉଛନ୍ତି। ଓଡ଼ିଶାରେ ୩ କୋଟି ୨୦ ଲକ୍ଷ ଲୋକ ଗରିବ କଲ୍ୟାଣ ଯୋଜନାରେ ସାମିଲ ଅଛନ୍ତି। ପ୍ରତି ପଞ୍ଚାୟତକୁ ବିକାଶ ପାଇଁ ୩ରୁ ୫ କୋଟି ଟଙ୍କା ମିଳୁଛି। ଉଜ୍ଜଳା ଯୋଜନାରେ ୧୦ କୋଟି ଲୋକଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଛି।

    କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଳି ଶ୍ରୀ ନଡ୍ଠା ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଶ୍ରୀ ନଡ୍ଡା କହିଛନ୍ତି, ଓଡ଼ିଶାର ୨୧ ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ବିଜୟୀ କରାନ୍ତୁ। ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରନ୍ତୁ। ନବୀନ ସରକାର ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ କରୁ ନାହାନ୍ତି। ଓଡ଼ିଶାରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଓଡ଼ିଶା ଚଳାଇବା ପାଇଁ ରାଜ୍ୟରେ ନେତା ନାହାନ୍ତି କି ବୋଲି ପ୍ରଶ୍ନ ପଚାରିଛନ୍ତି। ଓଡ଼ିଶାରେ ବାହାର ଲୋକଙ୍କୁ ପ୍ରତ୍ସୋହନ ଦିଆଯାଉଛି। ବିଜେଡି ସରକାରରେ ଦୁର୍ନୀତି ରହିଛି ଅଛି। ବାବୁ ରାଜ ଚାଲିଛି। ଏଠାରେ ନେତା, ଅଫିସରଙ୍କ ଦୁର୍ନୀତି ଚାଲିଛି। ନବୀନ ସରକାର ହଟାନ୍ତୁ। ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ରହିବା ଦରକାର ନାହିଁ। ରାଜ୍ୟରେ ପରିବର୍ତ୍ତନ ଆଣନ୍ତୁ। ବିକଶିତ ଓଡ଼ିଶା ପାଇଁ ବିଜେପିକୁ ଭୋଟ୍‌ ଦିଅନ୍ତୁ।

    ଶ୍ରୀ ନଡ୍ଡା କହିଛନ୍ତି, ମୋଦୀ ଆପଣଙ୍କୁ ଅବହେଳା କରି ନାହାନ୍ତି। ଆପଣଙ୍କୁ ଅଧିକାର ଦେଇଛନ୍ତି। ଆଇଆଇଏମ୍‌ ସମ୍ବଲପୁରର ସ୍ଥାୟୀ ପରିସର ନିର୍ମାଣ କରିଛନ୍ତି। ମୋଦୀ ସରକାର ଓଡ଼ିଶାରେ ୪୩୦୦କିମି ଜାତୀୟ ରାଜପଥ ନିର୍ମାଣ କରିଛନ୍ତି। ରାୟପୁର-ବିଶାଖାପାଟଣା ଗ୍ରିନ କରିଡର ନିର୍ମାଣ କରାଯାଉଛି। ରେଳବାଇରେ ଓଡ଼ିଶାରେ ୧୨ ଗୁଣ ବଜେଟ ବଢ଼ାଯାଇଛି। ୨ଟି ବନ୍ଦେ ଭାରତ ଏକ୍ସପ୍ରେସ, ୪ଟି ବିମାନବନ୍ଦର ନିର୍ମାଣ କରାଯାଇଛି। ଅମୃତ ଭାରତ ଯୋଜନାରେ ୫୭ଟି ଷ୍ଟେସନ ନିର୍ମାଣ କରାଯାଉଛି। ରାଜ୍ୟରେ ବିଶ୍ବସ୍ତରୀୟ ରେଳ ଷ୍ଟେସନ ନିର୍ମାଣ କରାଯାଉଛି।

    ଅଟୋମୋବାଇଲ ଉତ୍ପାଦନ କ୍ଷେତ୍ରରେ ବିଶ୍ବର ତୃତୀୟ ସ୍ଥାନରେ ପହଞ୍ଚିଛି ଭାରତ। ଜାପାନ ଭଳି ଦେଶକୁ ପଛରେ ପକାଇଛି। ଆଜି ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍‌ ଅଛି। ଦଶ ବର୍ଷ ପୂର୍ବରୁ ମୋବାଇଲରେ ଲେଖାଯାଉଥିଲା ଚାଇନା, ଜାପାନ, କୋରିଆ, ତାଇୱାନ। ଏବେ କିନ୍ତୁ ଆପଣଙ୍କର ମୋବାଇଲରେ ଲେଖାହେଉଛି ଭାରତ। ମୋଦୀଙ୍କ ନେତୃତ୍ବରେ ସମାଜର ସବୁ ବର୍ଗର ଲୋକଙ୍କୁ ବଳ ମିଳିଛି। ଗାଁରେ ସଡ଼କ, ଅପଟିକାଲ ଫାଇବର, କମନ ସର୍ଭିସ ସେଣ୍ଟର ଖୋଲିଛି।  ବିଶ୍ବରେ ଭାରତ ପଞ୍ଚମ ଅର୍ଥ ବ୍ୟବସ୍ଥାର ଦେଶ ହୋଇଛି। ପୂର୍ବରୁ ଏହା ୧୧ ନମ୍ବରରେ ଥିଲା।

    ଏହା ପୂର୍ବରୁ ଶ୍ରୀ ନଡ୍ଡା ମହାପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ଆଜି ମଧୁବାବୁଙ୍କ ଜୟନ୍ତୀ। ସେ ଓଡ଼ିଶାକୁ ଗଠନ କରିବାରେ ବଡ଼ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମତେ ଓଡ଼ିଶା ଗଠନ କରିବାରେ ଯେଉଁମାନେ ନିଜକୁ ବାଜି ଲଗାଇଥିଲେ ସେମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଉଛି।ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସ୍ବର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇଥିଲେ। କିନ୍ତୁ ସେ ରାଜ୍ୟ ସରକାର ପରିଚାଳନା ବ୍ୟବସ୍ଥାକୁ ତୀବ୍ର ନିନ୍ଦା କରିଥିଲେ।

    ସୂଚନାଯୋଗ୍ୟ, ଶ୍ରୀ ନଡ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ପ୍ରାୟ ୫ଟାରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚି ଥିଲେ। ସେଠାରୁ ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁର ଅଭିମୁଖେ ବାହାରିଥିଲେ। ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିଲା ପରେ ଶ୍ରୀ ନଡ୍ଡାଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମର ଓ ଅନ୍ୟ ବରିଷ୍ଠ ନେତାମାନେ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁର, ଆସିକା, ନବରଂଗପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କ ସମେତ ବରିଷ୍ଠ ନେତା ଓ କର୍ମୀମାନେ ଉତ୍ସାହିତ ଦେଖାଯାଇଛନ୍ତି। ଶ୍ରୀ ନଡ୍ଡା ସଂଧ୍ୟାରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ। ଏହି ବୈଠକରେ ବ୍ରହ୍ମପୁର, ଆସିକା, ନବରଙ୍ଗପୁର ଓ କୋରାପୁଟରେ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀଙ୍କ ସମେତ ଜିଲ୍ଲା ସଭାପତି, ପଦାଧିକାରୀ ଯୋଗଦେବେ। ନଡ୍ଡା ବ୍ରହ୍ମପୁରରେ ରାତ୍ରିଯାପନ କରି ସୋମବାର ସକାଳେ ଭାୟା ଭୁବନେଶ୍ବର ହୋଇ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    24.7 ° C
    24.7 °
    24.7 °
    93 %
    2.5kmh
    100 %
    Sun
    25 °
    Mon
    24 °
    Tue
    22 °
    Wed
    26 °
    Thu
    26 °

    ସମ୍ବନ୍ଧିତ