Thursday, May 14, 2026
27.6 C
Odisha

    ବବିଙ୍କ ଦାଦାଗିରି, ଅବୈଧ ଘର ଭାଙ୍ଗିଲେ, ସାମ୍ବାଦିକଙ୍କୁ ତାଲା ପକାଇଲେ

    ଆଗକୁ ପଢନ୍ତୁ

    ନିଜର ପତିଆରା ଓ କ୍ଷମତାର ଦୁରୁପଯୋଗ କରି ସରକାରୀ କ୍ୱାର୍ଟରକୁ ରାଜପ୍ରସାଦ ପରି ବେଆଇନ ନିର୍ମାଣ କରିଥିବା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବେ ପ୍ରତିହିଂସା ପରାୟଣ ହୋଇ ଉଠିଛନ୍ତି। ବିଜେଡି କ୍ଷମତାଚ୍ୟୁତ ହେବା ପରେ ସେହି ଅବୈଧ ନିର୍ମାଣକୁ ଗତ ପ୍ରାୟ ୧୫ ଦିନ ହେଲା ମନମୁଖି ଭାବେ ଭାଙ୍ଗିବାରେ ଲାଗିଛନ୍ତି ବବି।

    ଭୁବନେଶ୍ୱରସ୍ଥିତ ବବିଙ୍କ ସରକାରୀ ଆବାସ ଭିତରେ ଥିଲା ବିଶାଳ ଆଲିଶାନ୍ ବଙ୍ଗଳା। ସେଠି ଥିଲା ତିନି ମହଳା କୋଠା, ଅଣ୍ଡର ଗ୍ରାଉଣ୍ଡ୍ ଘର, ସୁଇମିଂ ପୁଲ୍, ରୁଫ୍ ଟପ୍ କଟେଜ୍। ଆଉ ଏସବୁକୁ ଏବେ  ଭାଙ୍ଗି ମାଟିରେ ମିଶା ଯାଉଛି। ଲୁଚି ଛପି କିଛି ବ୍ୟକ୍ତି ଏହି କ୍ୱାର୍ଟର୍ସ ଭିତରେ ହୋଇଥିବା ନିର୍ମାଣକୁ ଭାଙ୍ଗିବାରେ ଲାଗିଛନ୍ତି। ତେବେ କାହିଁକି ଓ କିଏ ଏହାକୁ ଭାଙ୍ଗୁଛି ସେଥିପାଇଁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।

    କେଉଁ ଉଦ୍ଦେଶ୍ୟରେ ବବିଙ୍କ ସରକାରୀ ଘରେ ଏତେ ବଡ଼  ଆଲିଶାନ କୋଠା  ନିର୍ମାଣ ହୋଇଥିଲା। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସରକାରୀ ଭାବେ ଖର୍ଚ୍ଚ ହୋଇଛି ମାତ୍ର ୯ ଲକ୍ଷ । ତେବେ କୋଟି କୋଟି ଟଙ୍କା କିଏ ଓ କେଉଁ ଉଦ୍ଦେଶ୍ୟରେ ନିର୍ମାଣ ପାଇଁ ଦେଲା କିଏ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

    ଆଜି ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଉକ୍ତ କ୍ୱାର୍ଟର ପରିସରେ ଜଣେ ସାମ୍ବାଦିକଙ୍କୁ ବି ତାଲା ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମାତ୍ର ୫୦୦ ମିଟର ଭିତରେ ଥିବା ଏହି ସରକାରୀ କ୍ୱାର୍ଟରକୁ ବବି କିଭଳି ଭାଙ୍ଗୁଛନ୍ତି ଓ ଦାଦାଗିରି ଦେଖାଇ ସାମ୍ବାଦିକଙ୍କୁ ବି ତାଲା ପକାଇବାକୁ ପଛାଉ ନାହାନ୍ତି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ।

    ସୂଚନା ଅନୁସାରେ, ବବିଙ୍କ କ୍ୱାର୍ଟରରେ ଚାଲିଥିବା ଭଙ୍ଗାରୁଜାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଆଜି ଏନେଇ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକ ଲାଇଭ୍‌ ପ୍ରସାରଣ କରିବା ପରେ ବବିଙ୍କର ସହଯୋଗୀମାନେ ଉତ୍‌କ୍ଷିପ୍ତ ହୋଇ ସାମ୍ବାଦିକଙ୍କୁ ବି ତାଲା ପକାଇବାକୁ ପଛାଇ ନ ଥିବା ଅଭିଯୋଗ ହୋଇଛି।

    ବିଜେଡି ସରକାର ଅମଳରେ ରାଜଭବନ ସମ୍ମୁଖସ୍ଥ ୟୁନିଟ-୬ ଅଂଚଳର ଭିଆଇଆଇଆଇ-ଏମଆର-୧ କ୍ୱାର୍ଟର୍ସକୁ ସାଧାରଣ ପ୍ରଶାସନ ବିଭାଗ ୨୦୧୯ ଜୁନ୍ ୧୯ତାରିଖରେ ଯାଜପୁରର ପୂର୍ବତନ ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ନାଁରେ ଆବଂଟନ କରିଥିଲା । ସେହିବର୍ଷ ଅଗଷ୍ଟ ୧୭ ତାରିଖରେ ପ୍ରଣବ ଉକ୍ତ କ୍ୱାର୍ଟରକୁ ନିଜ ଦଖଲକୁ ନେଇଥିଲେ। ତେବେ ୨୦୧୯ ସାଧାରଣ ନିର୍ବାଚନ ପରେ ମେ’ ମାସରେ ଆସିଥିବା ମହାବାତ୍ୟା ‘ଫନି’ର ଫାଇଦା ଉଠାଇ ପ୍ରଣବପ୍ରକାଶ ତାଙ୍କୁ ଆବଂଟିତ କ୍ୱାର୍ଟର ଜାଗାକୁ ବେଆଇନ ଭାବେ ବଢ଼ାଇଥିଲେ ।

    ସେହି କ୍ୱାର୍ଟରର ଦୁଇ ପାର୍ଶ୍ୱରେ ଥିବା ୨ଟି ସରକାରୀ କ୍ୱାର୍ଟର ଯଥା-ଭିଆଇଆଇଏମଆର-୨ ଏବଂ ଭିଆଇଆଇଆର-୧ର ପ୍ରାୟ ୪୦ ପ୍ରତିଶତ ପରିମିତ ଜାଗାକୁ ଆଣି ନିଜ କ୍ୱାର୍ଟର ସହ ମିଶାଇ ବିଶାଳ ପାଚେରୀ ନିର୍ମାଣ କରିଥିଲେ। ଯେପରି ଦୁଇପାଶ୍ୱର୍ରେ ଥିବା କ୍ୱାର୍ଟରର ଲୋକ ତାଙ୍କ କ୍ୱାର୍ଟର ଭିତରେ କ’ଣ ଚାଲିଛି ତାହା ଦେଖିନପାରିବେ। ଆଉ ଲୋକଙ୍କ ଆଢ଼ୁଆଳରେ ପ୍ରଣବ ବେଆଇନ ଭାବେ ହାତେଇଥିବା ଭିଆଇଆଇଆ-୧ କ୍ୱାର୍ଟରର ପ୍ରାୟ ୪୦ ପ୍ରତିଶତ ପରିମିତ ଜାଗାରେ ଏକ ଆଲିଶାନ୍ କୋଠା ନିର୍ମାଣ କରିଥିଲେ।

    ଲଣ୍ଡନରେ ଥିବା ବଙ୍ଗଳା ଷ୍ଟାଇଲରେ ନିର୍ମାଣ ହୋଇଥିବା ଉକ୍ତ ଆଲିଶାନ୍ କୋଠାର ଭିତର କେବଳ ମୂଲ୍ୟବାନ କାଠ ଓ କାଚରେ ସଜ୍ଜିତ ହୋଇଥିଲା। ଆଉ ସେ କୋଠାକୁ ଭିତରୁ ଦେଖିଲେ ତାହା ରାଜପ୍ରସାଦର ଭ୍ରମ ସୃଷ୍ଟି କରିବ। ଯାଜପୁରର କୁସୁମାଠାରେ ଅନୁରୂପ ଶୈଳୀରେ ଏକ କୋଠା ମଧ୍ୟ ପ୍ରଣବଙ୍କର ରହିଛି। ଅବଶ୍ୟ ଏସବୁ ଭବ୍ୟ ନିର୍ମାଣ ଓ ସାଜସଜ୍ଜାରେ ସରକାରୀ ଅର୍ଥ ବ୍ୟୟ କମ୍ ଓ ଠିକାଦାରୀଙ୍କ ପୁଞ୍ଜି ବେଶି ଲାଗିଥିବା ସନ୍ଦେହ କରାଯାଉଛି।

    ଭୁବନେଶ୍ୱରର ସରକାରୀ କ୍ୱାର୍ଟରକୁ ଅଣ୍ଡରଗ୍ରାଉଣ୍ଡ ଆଲିଶାନ କୋଠାରେ ରୂପାନ୍ତରିତ କରାଯାଇଥିବା ବେଳେ ସେଠାକୁ ସର୍ବସାଧାରଣ ଏପରିକି ବିଜେଡି ନେତାମାନଙ୍କ ପ୍ରବେଶ ବାରଣ ଥିଲା। ସେହି କୋଠାରେ ସୋଫା,ବେଡ୍, ଅନ୍ୟାନ୍ୟ ଉପକରଣ ଓ ଲାଇଟ୍ ଆଦି ବିଭିନ୍ନ ସାଜସଜ୍ଜା ସାମଗ୍ରୀ ବିଦେଶରୁ ଅଣାଯାଇଥିଲା। ଗାର୍ଡେନରେ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କେବଳ ‘ହ୍ୱାଇଟ ଲିଲି’ରେ ସଜ୍ଜିତ ହୋଇଥିଲା। ଏହି ଆଲିଶାନ କୋଠାରେ ପ୍ରଣବ କ’ଣ କରୁଥିଲେ ତାହା କେବଳ ସେ ହିଁ ଜାଣନ୍ତି। ମାତ୍ର ଉକ୍ତ କୋଠାର ବିଳାସମୟ ସାମଗ୍ରୀକୁ ଦେଖିଲେ ତାହା ଆଗରେ ଅତ୍ୟାଧୁନିକ ହୋଟେଲ ବି ଫିକା ପଡ଼ିଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

    କେବଳ ଏତିକି ନୁହେଁ, ସେହି କ୍ୱାର୍ଟର ମଧ୍ୟରେ ପ୍ରଣବଙ୍କ ପରିବାରର ମାଲିକାନାରେ ଥିବା ପ୍ରାୟ ୨୫ରୁ ଅଧିକ ବିଳାସପୂର୍ଣ୍ଣ କାର ପାର୍କିଂ କରୁଥିଲା। ସରକାରୀ କ୍ୱାର୍ଟର୍ସଠୁ ମାତ୍ର ୫୦୦ ମିଟର ଦୂରରେ ପ୍ରଣବଙ୍କ ନିଜସ୍ୱ ଘର ଥିଲେ ମଧ୍ୟ ସେ କେବଳ ନିଜର ପତିଆରା ଦେଖାଇବା ପାଇଁ ଏହି ସରକାରୀ କୋଠାକୁ ନେଇଥିଲେ।

    ସାଧାରଣ ପ୍ରଶାସନ ବିଭାଗ ୨୦୧୯ ଜୁନ୍ ୧୬ ତାରିଖରେ ଯେଉଁ ଚିଠି ନମ୍ବର-୧୬୬୮୭ରେ ପ୍ରଣବଙ୍କୁ ଭିଆଇଆଇଆଇ-ଏମଆର-ଏ କ୍ୱାର୍ଟରକୁ ଆବଂଟନ କରିଥିଲା ସେଥିରେ ସରକାରଙ୍କ ବିନା ଅନୁମତିରେ କୌଣସି ଭଙ୍ଗାଗଢ଼ା କାର୍ଯ୍ୟ ନକରିବା ପାଇଁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲା। ତା’ଛଡ଼ା ଇଷ୍ଟେଟ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଥିବା ବାସଭବନ ଆବଂଟନ କମିଟିଙ୍କ ସହମତି ମଧ୍ୟ ରହିଥିଲା। ଏହି କ୍ୱାର୍ଟର ମରାମତି ପାଇଁ ୨୦୧୯-୨୦ ଓ ୨୦୨୦-୨୧ରେ ମୋଟ ୯.୩୭ଲକ୍ଷ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହୋଇଥିବା ଜଣାଯାଇଛି।

    କ୍ୱାର୍ଟର୍ସ ଭଙ୍ଗାକୁ ନେଇ ସମଗ୍ର ରାଜ୍ୟରେ ତମ୍ବି ତୋଫାନ ହେବା ପରେ  ଭିଡିଓ ବାର୍ତ୍ତା ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ । ଏନେଇ ସେ କହିଛନ୍ତି, ନିୟମ ଅନୁସାରେ ଭଙ୍ଗା ଯାଉଛି । ଜିଏ ବିଭାଗ ନୋଟିସ କରିଥିବାରୁ ୧୫ ତାରିଖ ସୁଦ୍ଧା କ୍ୱାର୍ଟର୍ସ ଛାଡ଼ିଦେବି । ବିଜେଡି ସଂଗଠନ ସଂପାଦକ ଥିବାରୁ ବହୁତ ନେତା ଭେଟିବାକୁ ଆସନ୍ତି । ସେମାନଙ୍କ ବସାଉଠା ପାଇଁ କ୍ୱାର୍ଟର୍ସରେ ଏକ୍ସଟେନ୍‌ସନ୍‌ କରିଥିଲି। ନିୟମ ରହିଛି ଯେମିତି କ୍ୱାର୍ଟର୍ସ ନେଇଥିବେ, ସେହି ଅବସ୍ଥାରେ ଛାଡ଼ିବେ। ଏବେ ମୁଁ ପୁଣି ଥରେ ଉକ୍ତ କ୍ୱାର୍ଟର୍ସକୁ ପୂର୍ବ ପରି ଫେରାଇବି । ଏହାକୁ ନେଇ ଅଯଥା ରାଜନୀତି କରନ୍ତୁ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    70 %
    3.7kmh
    100 %
    Thu
    28 °
    Fri
    43 °
    Sat
    41 °
    Sun
    43 °
    Mon
    46 °

    ସମ୍ବନ୍ଧିତ