ନୂଆଦିଲ୍ଲୀ : ଆଜି ଦିଲ୍ଲୀରେ ‘ଲେହରା ଦୋ ତିରଙ୍ଗା’ ପ୍ରତିବାଦ । କନଟ୍ ପ୍ଲେସ୍ ରେ ଶକ୍ତି ପ୍ରଦର୍ଶନ ପାଇଁ CJPର ଆହ୍ୱାନ । ସେପଟେ CJPର ପ୍ରତିବାଦ ଡାକରାକୁ ନେଇ କଟକଣା । କନଟ୍ ପ୍ଲେସ୍ ରେ ଧାରା ୧୬୩ ଲାଗୁ। ଦିଲ୍ଲୀରେ ପୁଣି ପ୍ରତିବାଦକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ । କକ୍ ରୋଚ୍ ଜନତା ପାର୍ଟି ପକ୍ଷରୁ ଅକ୍ଟୋବର ୧୬ ତାରିଖରେ କନଟ୍ ପ୍ଲେସ୍ ର ସେଣ୍ଟ୍ରାଲ ପାର୍କରେ ଜାତୀୟ ପତାକା ଧରି ଏକାଠି ହେବାକୁ ଦିଆଯାଇଥିବା ଆହ୍ୱାନ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସତର୍କ ହୋଇଛି ଦିଲ୍ଲୀ ପୋଲିସ। ଏହି କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟି ମଧ୍ୟ ନିଜ କର୍ମୀ, ସମର୍ଥକ ଓ ସାଧାରଣ ଲୋକଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଥିବା ପୋଲିସ କହିଛି ।
DCPRO ନେହା ଯାଦବଙ୍କ ସୂଚନା ଅନୁସାରେ, ଆଜି ଅପରାହ୍ଣ ୫ଟାରେ ସେଣ୍ଟ୍ରାଲ ପାର୍କରେ ଏକାଠି ହେବା ପାଇଁ CJP ସୋସିଆଲ ମିଡିଆ ଓ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆହ୍ୱାନ ଦେଇଛି । ତେବେ ବର୍ତ୍ତମାନର ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କନଟ୍ ପ୍ଲେସ୍ ଓ ଆଖପାଖ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ବା BNSSର ଧାରା ୧୬୩ ଅନୁଯାୟୀ ପୂର୍ବରୁ ନିଷେଧାଜ୍ଞା ଲାଗୁ ରହିଛି । ଅନ୍ୟପଟେ ପ୍ରଶାସନିକ କାରଣରୁ ଆଜି ଓ କାଲି ସେଣ୍ଟ୍ରାଲ ପାର୍କ ବନ୍ଦ ରହିବ ବୋଲି ନୂଆଦିଲ୍ଲୀ ନଗରପାଳିକା ପରିଷଦ ବା NDMC ପୋଲିସକୁ ଚିଠି ଲେଖି ଜଣାଇଛି । ପାର୍କରେ ଅନଧିକୃତ ପ୍ରବେଶ ରୋକିବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ ଅନୁରୋଧ କରାଯାଇଛି ।
କନଟ୍ ପ୍ଲେସ୍ ଓ ଏହାର ଆଖପାଖ ବ୍ୟବସାୟିକ ସଂଘଗୁଡ଼ିକ ମଧ୍ୟ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷା ପାଇଁ ପୋଲିସର ହସ୍ତକ୍ଷେପ ଲୋଡ଼ିଛନ୍ତି । ବିଶେଷକରି ପାର୍ବଣ ଋତୁରେ ବେଆଇନ ସମାବେଶ ଓ ବିଶୃଙ୍ଖଳା ଯୋଗୁଁ ବ୍ୟବସାୟ ପ୍ରଭାବିତ ହେଉଥିବା ସେମାନେ ଦର୍ଶାଇଛନ୍ତି । ନିଷେଧାଜ୍ଞା ଉଲ୍ଲଂଘନ କରି କୌଣସି ସମାବେଶରେ ଯୋଗ ନଦେବାକୁ ଦିଲ୍ଲୀ ପୋଲିସ ଆନ୍ଦୋଳନକାରୀ ଓ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି । ନିୟମ ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ ଚେତାବନୀ ଦିଆଯାଇଛି । ତେବେ ଜାତୀୟ ପତାକା ଧରିବା ଓ ଜାତୀୟ ସଙ୍ଗୀତ ଗାନ ପାଇଁ ସୀମିତ ସଂଖ୍ୟକ ବ୍ୟକ୍ତିଙ୍କୁ ଏକ ଉପଯୁକ୍ତ ବିକଳ୍ପ ସ୍ଥାନରେ ଏକାଠି ହେବାର ଅନୁମତି ଦେବା ନେଇ ବିଚାର କରାଯାଇପାରେ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି ।
