Sunday, October 4, 2026
29.6 C
Odisha

    ବିପଦ ସାଜିଛି ଦୂଷିତ ପାଣି: ଢେଙ୍କାନାଳରେ ଝାଡ଼ାବାନ୍ତି, ୨ମୃତ

    ଆଗକୁ ପଢନ୍ତୁ

    ଓଡ଼ାପଡ଼ା: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ଖଡ଼ଗପ୍ରସାଦ ଗାଁରେ ଝାଡ଼ାବାନ୍ତି ଭୟ ମନରୁ ଲିଭି ନଥିବା ବେଳେ ଏହି ବ୍ଲକ୍‌ର ନୟାଭାଗୀରଥିପୁର ପଞ୍ଚାୟତ ଅଧୀନ କୁଞ୍ଜବିହାରୀପୁର ଗ୍ରାମରେ ଝାଡ଼ାବାନ୍ତି ରୋଗ ଆତଙ୍କ ସୃଷ୍ଟି କରିଛି। ଗତ ୪ ଦିନ ହେଲା ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଏଥିରେ ଆକ୍ରାନ୍ତ ହୋଇ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜ‌ଣଙ୍କୁ କଟକ ବଡ଼ ଡାକ୍ତରଖାନା ଓ ଦୁଇ ଜଣଙ୍କୁ ଢେଙ୍କାନାଳ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇ ଦିଆଯାଇଛି। ଗ୍ରାମବାସୀ ଦୂଷିତ ପାଣି ପିଇବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ଓଡ଼ାପଡ଼ା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।
    ସୂଚନାଯୋଗ୍ୟ ଯେ ୧୦ ଦିନ ପୂର୍ବରୁ ଓଡ଼ାପଡ଼ା ବ୍ଲକ୍ ଖଡ଼ଗପ୍ରସାଦ ଗ୍ରାମରେ ଝାଡ଼ାବାନ୍ତିରେ ଶତାଧିକ ବ୍ୟକ୍ତି ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ବ୍ରାହ୍ଣଣୀ ନଦୀର ଦୂଷିତ ପାଣି ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଥିବା କୁହାଯାଇଥିଲା। ଏହି ଘଟଣାର କିଛିଦିନ ପରେ ପୁଣି କୁଞ୍ଜବିହାରୀ ଗ୍ରାମରେ ଝାଡାବାନ୍ତି ବ୍ୟାପିବାକୁ ଆଖପାଖ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବା ଜଣାଯାଇଛି। ସୋମବାର ଦିନ କୁଞ୍ଜବିହାରୀପୁର ଗ୍ରାମର ମହିଳା ଚୁନ ଦେହୁରୀ (୬୫) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଆଜି ଚୁଙ୍ଗୁଲା ଦେହୁରୀ (୪୦ )ଙ୍କ ଆଜି ଢେଙ୍କାନାଳ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଚୁନ ଦେହୁରୀଙ୍କ ବୋହୂ ଝଟକ ଦେହୁରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଉକ୍ତ ଗ୍ରାମର ପବିତ୍ର ଦେହୁରୀ (୬୦) ଓ ଜଣେ ୧୦ ବର୍ଷର ବାଳକ ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ନିମନ୍ତେ ଢେଙ୍କାନାଳ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଝାଡ଼ାବାନ୍ତି‌ରେ ଆକ୍ରାନ୍ତ ଅନ୍ୟ ୮ ଜଣ ଓଡ଼ାପଡ଼ା ଓ ମେରାମଣ୍ଡଳୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଡାକ୍ତର ଓ କର୍ମଚାରୀମାନେ ଗ୍ରାମରେ ପହଞ୍ଚି ଆବଶ୍ୟକ ପଦକ୍ଷେପ ନେଇଥିବା ଓଡ଼ାପଡ଼ା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡା. ଅନନ୍ତ କୁମାର ରାଉଳ କହିଛନ୍ତି, ଦୂଷିତ ପାଣି ପିଇ କୁଞ୍ଜବିହାରୀପୁର ଗ୍ରାମର ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀମାନେ ଉକ୍ତ ଗ୍ରାମକୁ ଯାଇଛନ୍ତି। ସେଠାରେ ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତମାନଙ୍କୁ ଚିକିତ୍ସା କରୁଥିବା ସେ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ