Wednesday, September 9, 2026
25.2 C
Odisha

    ଅଣାୟତ୍ତ ହେଉଛି ଡେଙ୍ଗୁ! ଆକ୍ରାନ୍ତ ସଂଖ୍ୟା ୭୦୦ ଟପିଲା

    ଆଗକୁ ପଢନ୍ତୁ

    ରାଉରକେଲା: ଜିଲ୍ଲାରେ କୋକୁଆ ଭୟ ଖେଳାଇଲାଣି ଡେଙ୍ଗୁ। ବିଶେଷକରି ରାଉରକେଲାରେ ଡେଙ୍ଗୁ ଅଣାୟତ୍ତ ହେବାରେ ଲାଗିଛି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଞ୍ଚଳ ଅପେକ୍ଷା ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଅନ୍ତର୍ଗତ ସେକ୍ଟର ଅଞ୍ଚଳରେ ଏହି ସ୍ଥିତି ଉଦ୍‌ବେଗଜନକ। ଜିଲ୍ଲାର ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୭୪.୪୭% ହେଉଛନ୍ତି କେବଳ ଆର୍‌ଏସ୍‌ପି ସହରାଞ୍ଚଳ ବାସିନ୍ଦା। ଏତଦ୍‌ବ୍ୟତୀତ, ରାଉରକେଲା ସହରର ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୯୦.୬୩% ରୋଗୀ ହେଉଛନ୍ତି ଆର୍‌ଏସ୍‌ପି ଅନ୍ତର୍ଗତ ବିଭିନ୍ନ ସେକ୍ଟର ଅଞ୍ଚଳ ବାସିନ୍ଦା। ଇତିମଧ୍ୟରେ ଜଗଦା ଅଞ୍ଚଳର ଜଣେ ବୃଦ୍ଧ (୭୩)ଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଛି। ବୃଦ୍ଧ ଜଣକ ଡେଙ୍ଗୁରେ ଆକ୍ରାନ୍ତ ହେଲାପରେ ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସାଧୀନ ଥିଲେ। ଏନେଇ ଆନୁଷ୍ଠାନିକଭାବେ ଆଇଜିଏଚ୍‌ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିପାରିନାହିଁ। ପୂର୍ବବର୍ଷ ଭୁଲ୍‌କୁ ସୁଧାରିବାରେ ଆର୍‌ଏସ୍‌ପି ବିଫଳ ହୋଇଥିବାରୁ ଡେଙ୍ଗୁ ଏବେ ଅଣାୟତ୍ତ ହେଉଥିବା ଆଲୋଚନା ହେଉଛି।
    ମିଳିଥିବା ସୂଚନାନୁସାରେ, ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୭୧୭ରେ ପହଞ୍ଚିଲାଣି। ଏଥିମଧ୍ୟରୁ ୫୮୪ ଜଣ ରାଉରକେଲା (ଉଭୟ ଆର୍‌ଏମ୍‌ସି ଓ ଆର୍‌ଏସ୍‌ପି)ର ହୋଇଥିବାବେଳେ ଅବଶିଷ୍ଟ ୧୩୩ ଜଣ ହେଉଛନ୍ତି ଜିଲ୍ଲାର ଅବଶିଷ୍ଟ ଅଞ୍ଚଳର। ରାଉରକେଲାର ମୋଟ୍‌ ୫୮୪ ଜଣଙ୍କ ମଧ୍ୟରୁ ସର୍ବାଧିକ ୫୩୪ ଜଣ କେବଳ ଆର୍‌ଏସ୍‌ପିର ବିଭିନ୍ନ ସେକ୍ଟର ଅଞ୍ଚଳର ହୋଇଥିବାବେଳେ ଅବଶିଷ୍ଟ ୫୦ ଜଣ ଆର୍‌ଏମ୍‌ସି ଅଞ୍ଚଳର। ବିଭିନ୍ନ ସେକ୍ଟର ଅଞ୍ଚଳ ଏବେ ହଟସ୍ପଟ୍‌ରେ ପରିଣତ ହୋଇଛି। ସେକ୍ଟର-୧, ସେକ୍ଟର-୧୪, ସେକ୍ଟର-୧୫, ସେକ୍ଟର-୧୬, ସେକ୍ଟର-୧୯, ସେକ୍ଟର-୨୧ ଅଞ୍ଚଳରୁ ମାତ୍ରାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରେଲୱେ କଲୋନି, ଛେଣ୍ଡ୍‌, ଗୋପବନ୍ଧୁପାଲି, ଜଲଦା, ଝିରପାଣି ଆଦି ଅଞ୍ଚଳରୁ ମଧ୍ୟ ଚିହ୍ନଟ ହୋଇଛନ୍ତି। କେବଳ ଗତ ମାସକରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ିଛି। ଗତ ଜୁଲାଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ ଭିତରେ ରହିଥିଲା। କିନ୍ତୁ ଅଗଷ୍ଟ ଆରମ୍ଭରୁ ଏଥିରେ ଆଶାତୀତ ବୃଦ୍ଧି ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ମାସରେ ରାଉରକେଲା ସରକାରୀ ଡାକ୍ତରଖାନା ‌(ଆର୍‌ଜିଏଚ୍‌)ରେ ମୋଟ୍‌ ୪୪୨ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୭୦ ଜଣ ଡେଙ୍ଗୁ ଆକ୍ରାନ୍ତଥିବା ଜଣାପଡ଼ିଥିଲା। ତେବେ ଅଗଷ୍ଟ ପହିଲାରୁ ୧୯ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ପରୀକ୍ଷାରେ ଆକ୍ରାନ୍ତ ସଂଖ୍ୟା ଅଧିକ ରହିଛି। ଗତ ୧୯ ଦିନ ଭିତରେ ଆର୍‌ଜିଏଚ୍‌ରେ ମୋଟ୍‌ ୧୦୦୭ଟି ନମୁନା ପରୀକ୍ଷା କରାଯାଇଥିଲା। ଏଥି ମଧ୍ୟରୁ ୧୮୧ ଜଣ ଡେଙ୍ଗୁ ଆକ୍ରାନ୍ତଥିବା ଜଣାପଡ଼ିଛି। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଥିବା ଆର୍‌ଏସ୍‌ପି ପକ୍ଷରୁ ନିୟମିତଭାବେ ପ୍ରେସ୍‌ ବାର୍ତ୍ତାରେ କହାଯାଉଛି। କିନ୍ତୁ ଏସବୁ କେବଳ କାଗଜକଲମରେ ସୀମିତ ରହୁଥିବାରୁ ଆକ୍ରାନ୍ତ ସଂଖ୍ୟା ବଢ଼ୁଛି ସିନା କମିବାର ନାଁ ନେଉନି ବୋଲି ସାଧାରଣରେ ଆଲୋଚନା ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.2 ° C
    25.2 °
    25.2 °
    91 %
    1kmh
    100 %
    Wed
    26 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ