Monday, March 9, 2026
36.7 C
Odisha

    ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା, ଅଭିଯୋଗ ଆଣିଲେ ବାପା

    ଆଗକୁ ପଢନ୍ତୁ

    ନୂଆପଡ଼ା: ଛତିଶଗଡ଼ ଦୁର୍ଗ ଜିଲ୍ଲା ମୋହନନଗର ଥାନା ଜବାହରନଗରରେ ନୂଆପଡ଼ା ସହରର ଜଣେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଝିଅଙ୍କ ବାପା ମୋହନନଗର ଥାନାରେ ଏତଲା ଦେଇଛନ୍ତି।

    ସୂଚନା ଅନୁସାରେ, ୨୦୨୩ ଜୁନ୍‌ ୨୮ରେ ନୂଆପଡ଼ା ସହରର ରାଜକୁମାର ସିଂ ଠାକୁରଙ୍କ ଝିଅ ଅର୍ପିତାଙ୍କୁ ଛତିଶଗଡ଼ ରାଜ୍ୟ ଦୁର୍ଗ ଜିଲ୍ଲା ମୋହନନଗର ଥାନା ଜବାହରନଗରର ସୌରଭ ରାଜପୁତଙ୍କ ସହ ବୈଦିକ ରୀତିନୀତି ଅନୁସାରେ ବିବାହ କରାଇଥିଲେ। ବିବାହ ସରିବା ପରେ ବିବାହ ଖର୍ଚ୍ଚ ପାଇଁ ୨୫ ଲକ୍ଷ ଟଙ୍କା ଦାବି କରି ଶ୍ବଶୁର ଘର ଲୋକେ ବାରମ୍ବାର ନିର୍ଯାତନା ଦେଉଥିଲେ। ଏନେଇ ଅର୍ପିତା ତାଙ୍କ ବାପା ରାଜକୁମାରଙ୍କୁ ଜଣାଇଥିଲେ। ଏହି ମୋଟ ରକମର ଅର୍ଥ ଯୋଗାଡ଼ କରିବାକୁ ବାପା କିଛି ଦିନର ସମୟ ମାଗିଥିଲେ। ଗତ ୨୩ ତାରିଖ ରାତିରେ ଅର୍ପିତା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଶ୍ବଶୁର ଘର ଲୋକେ କୋଠରିର କବାଟ ଭାଙ୍ଗି ଅର୍ପିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦୁର୍ଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଅର୍ପିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଗତକାଲି ସକାଳେ ନୂଆପଡ଼ାରୁ ଅର୍ପିତାଙ୍କ ବାପା ଓ ସଂପର୍କୀୟମାନେ ଡାକ୍ତରଖାନାରେ ପହଞ୍ଚିଥିଲେ। ସେହି ସମୟରେ ହସ୍ପିଟାଲରେ ଅର୍ପିତାଙ୍କ ଶ୍ବଶୁର ଘର ଲୋକେ କେହି ଉପସ୍ଥିତ ନଥିଲେ। ମଧ୍ୟାହ୍ନରେ ଅର୍ପିତାଙ୍କ ବାପା ଯୌତୁକ ପାଇଁ ଝିଅକୁ ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ନେଇ ମୋହନନଗର ଥାନାରେ ଅଭିଯୋଗ କରିଥିଲେ। ମୋହନନଗର ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା। ଥାନା ଅଧିକାରୀ ମୋନିକା ପାଣ୍ଡେୟ ପୁଲିସ ଟିମ୍‌ ସହ ସୌରଭଙ୍କ ଘରେ ପହ‌ଞ୍ଚି ଥିଲେ। ଘରେ ତାଲା ପଡ଼ିଥିବା ବେଳେ ସୌରଭ ଓ ତାଙ୍କ ପରିବାର ଲୋକେ କେହି ଉପସ୍ଥିତ ନଥିଲେ। ପୁଲିସ ଘର କବାଟ ଖୋଲି ଛାନଭିନ କରିଥିଲା। ପରେ ଘଟଣାସ୍ଥଳରେ ଫରେନସିକ ଟିମ୍‌ ପହ‌ଞ୍ଚି ତଦନ୍ତ କରିଥିଲା। ଅର୍ପିତା ଆତ୍ମହତ୍ୟା କରିଛନ୍ତି ନା’ ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ଅଧିକ ତଦନ୍ତ ଚାଲିଥିବା ମୋହନନଗର ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.7 ° C
    36.7 °
    36.7 °
    21 %
    2.4kmh
    0 %
    Mon
    35 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ