Wednesday, September 9, 2026
28.8 C
Odisha

    ଜ୍ୟେଷ୍ଠ ଗଣ୍ଡକି ମୃତ୍ୟୁ ଘଟଣା: ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ର ତନାଘନା

    ଆଗକୁ ପଢନ୍ତୁ

    ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଡାଙ୍ଗଣାମ ଘାଟି ରାସ୍ତାରୁ ଜ୍ୟେଷ୍ଠ ଗଣ୍ଡକିଙ୍କ ଶବ ମିଳିବା ଘଟଣାରେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି। କ୍ରାଇମ୍‌ବ୍ରାଞ୍ଚ ଟିମ୍ ଗତକାଲି ସନ୍ଧ୍ୟାରେ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଅନ୍ଧାର ହୋଇଯିବାରୁ ତଦନ୍ତ ପ୍ରକ୍ରିୟା ଅଟକିଥିଲା। ଆଜି ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସାଇବର ବିଶେଷଜ୍ଞ ଟିମ୍‌ର ମିଳିତ ସହଯୋଗରେ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ରଜତ କୁମାର ରାୟଙ୍କ ନେତୃତ୍ବରେ ୩ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସରଜମିନ୍ ତଦନ୍ତ କରିଥିଲେ। ଡାଙ୍ଗଣାମ ଘାଟିରେ ପହଞ୍ଚି ରାସ୍ତା ଏବଂ ଘାଟିରୁ କେତେ ଫୁଟ ତଳେ ଜ୍ୟେଷ୍ଠଙ୍କ ମୃତଦେହ ପଡ଼ିଥିଲା, ତାହାର ମାପଚୁପ କରାଯାଇଥିଲା। ତଦନ୍ତ ସବୁ ସତ୍ୟ ସାମ୍ନାକୁ ଆସିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଶ୍ରୀ ରାୟ ସୂଚନା ଦେଇଛନ୍ତି।
    ଅନ୍ୟପଟେ ଜ୍ୟେଷ୍ଠଙ୍କୁ ଗୋଛାପଡ଼ା ପୁଲିସ ହତ୍ୟା କରିଛି ବୋଲି ଅଭିଯୋଗ କରି ପତ୍ନୀ ସୁମନ୍ତୀ ଗଣ୍ଡକିଙ୍କ ସମେତ ଗୋଛାପଡ଼ା, ସଲାଗୁଡ଼ା, କ୍ରାଣ୍ଡିବାଲି, ପକାରି, ବାଲନ୍ଦାପଡ଼ା, ଲୁଇସିଂ, ପାହିରାଜୁ, କୁଏରିମାଣ୍ଡୁ ଓ ପଲାବ୍ରୁଡ଼ି ଅଞ୍ଚଳର ଶତାଧିକ ଅଞ୍ଚଳବାସୀ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ଆଜି କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଶ୍ରୀ ରାୟଙ୍କୁ ଭେଟି ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଜୋର୍‌ଦାର କରାଯିବ ବୋଲି କଂଗ୍ରେସ ନେତା ଘନ କୁମାର ଶବର ଏବଂ କଟ୍ରିଙ୍ଗିଆ ସରପଞ୍ଚ ପ୍ରତିଭା କହଁର ଚେତାବନୀ ଦେଇଛନ୍ତି। ବିଜେପି ସରକାର ଅମଳରେ ରାଜ୍ୟରେ ପୁଲିସ ଅତ୍ୟାଚାର ବଢ଼ିଛି ବୋଲି ଶ୍ରୀ ଶବର ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି।

    ଗତମାସ ୨୮ରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ବେହେରାପଡ଼ାର ଜ୍ୟେଷ୍ଠ ଗଣ୍ଡକି (୩୪)ଙ୍କ ମୃତଦେହ ଗୋଛାପଡ଼ା ଥାନା ଅନ୍ତର୍ଗତ ଡାଙ୍ଗଣାମ ଘାଟିରୁ ମିଳିଥିଲା। ତେବେ କେଉଁ କାରଣରୁ ଜ୍ୟେଷ୍ଠଙ୍କର ମୃତ୍ୟୁ ହୋଇଛି ତାକୁ ନେଇ ଏଯାଏ ରହସ୍ୟ ଜାରି ରହିଛି। ଶବ ବ୍ୟବଚ୍ଛେଦ ଏବଂ ଭିସେରା ରିପୋର୍ଟକୁ କାହିଁକି ଏଯାଏ ସାର୍ବଜନୀନ କରାଯାଉନାହିଁ ବୋଲି କଟ୍ରିଙ୍ଗିଆ ସରପଞ୍ଚ ଶ୍ରୀମତୀ କହଁର ପ୍ରଶ୍ନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.8 ° C
    28.8 °
    28.8 °
    75 %
    2.1kmh
    100 %
    Wed
    31 °
    Thu
    30 °
    Fri
    28 °
    Sat
    27 °
    Sun
    28 °

    ସମ୍ବନ୍ଧିତ