Wednesday, September 16, 2026
24.4 C
Odisha

    ବୀରମିତ୍ରପୁରରେ ଜଙ୍ଗଲୀ ହାତୀ ଆତଙ୍କ: ମହିଳାଙ୍କୁ ପାଦରେ ଦଳି ମାରିଲା ଦନ୍ତା

    ଆଗକୁ ପଢନ୍ତୁ

    ବୀରମିତ୍ରପୁର: ବୀରମିତ୍ରପୁର ବନରେଞ୍ଜ ଅନ୍ତର୍ଗତ ହାତିବାଡି ବନାଞ୍ଚଳର କକେରମା ଗ୍ରାମପଞ୍ଚାୟତର କାଠକରଞ୍ଜିଆ ଗ୍ରାମରେ ଗତକାଲି ରାତିରେ ଜଣେ ମହିଳାଙ୍କୁ ବଣୁଆ ହାତୀ ପାଦରେ ଦଳି ଦେବାରୁ ତାଙ୍କର ପ୍ରାଣହାନି ଘଟିଛି। ମୃତ ମହିଳାଙ୍କ ନାମ ସାବିତ୍ରୀ ଗୌଡ଼(୫୪) ବୋଲି ଜଣାପଡିଛି।
    ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ୨୨ଟିକିଆ ହାତୀପଲ ରାତି ପ୍ରାୟ ତିନିଟା ସମୟରେ କକେରମା ଗ୍ରାମପଞ୍ଚାୟତର କାଠକରଞ୍ଜିଆ ଗ୍ରାମରେ ରହୁଥିବା ସାବିତ୍ରୀ ଗୌଡ଼ଙ୍କ ଘର ଉପରେ ଆକ୍ରମଣ କରି ଘରକୁ ଭାଙ୍ଗିଦେବା ସହ ଘର ଭିତରେ ମହଜୁଦ ଥିବା ଚାଉଳ ସବୁ ଖାଇଦେଇଥିଲେ। ହାତୀ ଘର ଉପରେ ଆକ୍ରମଣ କରିଥିବା ଜାଣି ଘରେ ସୋଇଥିବା ସାବିତ୍ରୀ ଗୌଡ଼ ଘରୁ ବାହାରି ସେଠାରୁ ଦୌଡ଼ି ପଳାଇବା ପାଇଁ ଚେଷ୍ଟା କରିଥିଲେ ବି ହାତୀଙ୍କ ହାବୁଡ଼ରେ ପଡିଯାଇଥିଲେ। ସାବିତ୍ରୀ ଗୌଡ଼ଙ୍କୁ ହାତୀ ପାଦରେ ଦଳିଦେବାରୁ ଘଟଣା ସ୍ଥଳରେ ହି ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା।

    ଘଟଣା ସମ୍ପର୍କରେ ସୂଚନା ପାଇଁ ବୀରମିତ୍ରପୁର ରେଞ୍ଜର ଦୁର୍ଯ୍ୟୋଧନ ଜରେଇ, ହାତିବାଡି ଥାନା ଏସଆଇ ପ୍ରଫୁଲ୍ଲ ସେଠୀ ପୁଲିସ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ୠୁଜୁକରି ଘଟଣାର ତଦନ୍ତ ଚଳାଇଛନ୍ତି। ଗତ କେତେଦିନ ହେଲା ଝାରଖଣ୍ଡୀ ହାତିପଲ ହାତିବାଡି ଅଞ୍ଚଳରେ ନିଜର ଆଧିପତ୍ୟ ଜାହିର କରିଆସୁଛନ୍ତି। ନିଜର ଵାସସ୍ଥଳୀ ଭାବରେ ପରିଣତ କରିଥିବା ଏହି ଜଙ୍ଗଲୀ ହାତୀପଲ ସନ୍ଧ୍ୟା ହେଲେ ଜଙ୍ଗଲ ପାଦଦେଶରେ ଥିବା ବସ୍ତି ଗୁଡିକରେ ବୁଲାବୁଲି କରୁଥିବା ବେଳେ ଅନେକ ସମୟରେ ଧନଜୀବନ ହାନି ଘଟାଉଥିବା ଜଣାପଡିଛି। ହାତିବାଡି ବନାଞ୍ଚଳର ବର୍ତ୍ତମାନ ଏହି ହାତିପଲ ହାତିବାଡି ନିକଟସ୍ଥ କଦୋପାନୀର ଧୂଆଁଡେଙ୍ଗା ଜଙ୍ଗଲରେ ରହିଥିବା ବେଳେ ସନ୍ଧ୍ୟା ହେବାମାତ୍ରେ ଉକ୍ତ ହାତୀପଲ ଜଙ୍ଗଲରୁ ବାହାରି ହାତିବାଡି, ଓଲ୍ଲାଣି, କରଡେଗା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ପଶି ଆତଙ୍କ ଖେଳାଉଥିବା ବେଳେ ଗତ ତିନିମାସରେ ପଚାଶରୁ ଅଧିକ ଲୋକଙ୍କ ଘର ଭାଙ୍ଗିଥିବା ଜଣାପଡିଛି। ବୀରମିତ୍ରପୁର ବନ ବିଭାଗ ପକ୍ଷରୁ ଜଙ୍ଗଲୀ ହାତୀପଲ ଉପରେ ନଜର ରଖଯାଇଛି। ଖୁବ୍ ଶୀଘ୍ର ହାତିପଲକୁ ଏଠାରୁ ଘଉଡାଇ ଝାରଖଣ୍ଡ ଜଙ୍ଗଲକୁ ପଠାଇଦିଆଯିବ ବୋଲି ଶ୍ରୀ ଜରେଇ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.4 ° C
    24.4 °
    24.4 °
    86 %
    1.4kmh
    19 %
    Tue
    24 °
    Wed
    31 °
    Thu
    31 °
    Fri
    30 °
    Sat
    31 °

    ସମ୍ବନ୍ଧିତ