Friday, September 18, 2026
25.4 C
Odisha

    ଟ୍ରମ୍ପ୍‌ଙ୍କ ରାଲିରେ ଏଲନ୍ ମସ୍କ: ‘ଟ୍ରମ୍ପ୍‌ ଜିତିଲେ ହିଁ ଗଣତନ୍ତ୍ର ତିଷ୍ଠିବ’

    ଆଗକୁ ପଢନ୍ତୁ

    ୱାସିଂଟନ: ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ସମର୍ଥନ ଜଣାଇ ବିଶ୍ବର ପ୍ରମୁଖ ଧନୀ ବ୍ୟକ୍ତି ଏଲନ୍ ମସ୍କ ସିଧାସଳଖ ରାଜନୀତିକୁ କୁଦିଛନ୍ତି। ଜୁଲାଇ ମାସରେ ପେନ୍ସିଲଭାନିଆର ବଟ୍‌ଲରରେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ ଯେଉଁ ସ୍ଥାନରେ ହତ୍ୟା ଉଦ୍ୟମରୁ ବର୍ତ୍ତିଯାଇଥିଲେ, ଠିକ୍‌ ସେହି ସ୍ଥାନରେ ଅନୁଷ୍ଠିତ ଏକ ମେଗା ରାଲିରେ ମସ୍କ ଯୋଗଦେଇ ଟ୍ରମ୍ପ୍‌ଙ୍କୁ ବିପୁଳ ଭୋଟ୍‌ରେ ବିଜୟୀ କରାଇବାକୁ ଆହ୍ବାନ ଦେଇଛନ୍ତି। କଳା ରଙ୍ଗର ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ (ମାଗା) ଟୋପି ପିନ୍ଧିଥିବା ମସ୍କ ଟ୍ରମ୍ପ୍‌ ସମର୍ଥକଙ୍କ ଉତ୍ସାହିତ ଭିଡ଼ ଭିତରେ ମଞ୍ଚକୁ ଓହ୍ଲାଇବା ବେଳେ ତାଙ୍କୁ ବିପୁଳ ସମର୍ଥନ ମିଳିଥିଲା। ମସ୍କଙ୍କ ଏହି ପଦକ୍ଷେପ ଉପରେ ପୂରା ବିଶ୍ବର ନଜର ରହିଥିଲା। ମସ୍କ ରାଲିକୁ ସମ୍ବୋଧିତ କରିବା ପୂର୍ବରୁ ଟ୍ରମ୍ପ୍‌ଙ୍କ ସହ ହାତ ମିଳାଇ କହିଥିଲେ ଯେ ଟ୍ରମ୍ପଙ୍କୁ ଭୋଟ୍ ଦେବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ନୁହେଁ। ଟ୍ରମ୍ପ୍‌ ଜିତିଲେ ହିଁ ଆମେରିକାରେ ଗଣତନ୍ତ୍ର ତିଷ୍ଠି ରହିବ ବୋଲି ଏହି ଅବସରରେ ମସ୍କଙ୍କ ଘୋଷଣା ଡେମୋକ୍ରାଟ୍‌ ଦଳରେ କମ୍ପନ ସୃଷ୍ଟି କରିଛି। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଚେତାବନୀ ଦେଇଛନ୍ତି ଯେ ଯଦି ଟ୍ରମ୍ପ ବିଜୟୀ ନ ହୁଅନ୍ତି ତା‌’ହେଲେ ଆମେରିକୀୟଙ୍କ ଅଧିକାର ଉଲ୍ଲଂଘନ ହେବ।

    ଆମେରିକା ଇତିହାସରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ

    ମସ୍କ କହିଛନ୍ତି, ମୁଁ ଭାବୁଛି ଏହି ନିର୍ବାଚନ ଆମ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ। ସମ୍ବିଧାନର ସୁରକ୍ଷା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜିତିବାକୁ ପଡ଼ିବ। ଆମେରିକାରେ ଗଣତନ୍ତ୍ରକୁ ବଜାୟ ରଖିବାକୁ ହେଲେ ତାଙ୍କୁ ଜିତିବାକୁ ପଡ଼ିବ। ସେ ଜିତିବା ନିହାତି ଜରୁରୀ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଟାର୍ଗେଟ କରି ମସ୍କ କହିଛନ୍ତି ଯେ ବାଇଡେନ ଏଭଳି ଜଣେ ବ୍ୟକ୍ତି ଯିଏ କି ନିଜକୁ ପରିଚାଳନା କରିବାକୁ ଅସମର୍ଥ। ଜୁଲାଇ ୧୩ରେ ସେହି ମଞ୍ଚରେ ହୋଇଥିବା ଗୁଳିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଥିବା ଟ୍ରମ୍ପ୍‌ଙ୍କ ଦୃଢ଼ତାକୁ ମସ୍କ ଭୂୟସୀ ପ୍ରଶଂସା କରିଥିଲେ। ଗୁଳି ବାଜିବା ପରେ ବି ଟ୍ରମ୍ପ୍‌ ଦୃଢ଼ତାର ସହ ପରିସ୍ଥିତିକୁ ମୁକାବିଲା କରି ଲଢ଼େଇ ପାଇଁ ଆହ୍ବାନ ଦେବା ଅତ୍ୟନ୍ତ ପ୍ରେରଣାଦାୟୀ ଥିଲା ବୋଲି ମସ୍କ କହିଛନ୍ତି।

    ପ୍ରଥମ ଥର ପାଇଁ ମସ୍କ ଟ୍ରମ୍ପ୍‌ଙ୍କ ଏକ ପ୍ରଚାର ରାଲିରେ ଯୋଗଦେଇ ଆମେରିକା ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛନ୍ତି ଏବଂ ଆଗକୁ ଏହା ଟ୍ରମ୍ପ୍‌ଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି ବିଭିନ୍ନ ମହଲ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଚଳିତ ରାଷ୍ଟ୍ରପତି ନିର୍ବାଚନରେ ମସ୍କ ଟ୍ରମ୍ପ୍‌ଙ୍କୁ ଲଗାତାର ସମର୍ଥନ ଜଣାଇଛନ୍ତି ଏବଂ ଏବେ ଅନ୍ତିମ ମାସରେ ରିପବ୍ଲିକାନ ପ୍ରାର୍ଥୀଙ୍କ ପ୍ରଚାରକୁ ସୁଦୃଢ଼ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    87 %
    1.2kmh
    100 %
    Fri
    25 °
    Sat
    31 °
    Sun
    31 °
    Mon
    29 °
    Tue
    30 °

    ସମ୍ବନ୍ଧିତ