Tuesday, September 15, 2026
31 C
Odisha

    ଯୌତୁକ ପାଇଁ ବୋହୂକୁ ଘରୁ ବାହାର କରିଦେଲେ; ଶାଶୂ ଓ ଶ୍ବଶୁରଙ୍କ ସମେତ ନଣନ୍ଦଜ୍ବାଇଁଙ୍କ ନାମରେ ମାମଲା

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼: ଯୌତୁକ ପାଇଁ ବୋହୂକୁ ନିର୍ଯାତନା ଦେଇ ଘରୁ ବାହାର କରି ଦେଇଛନ୍ତି ଶାଶୂ, ଶ୍ବଶୁର। ଏପରିକି ପତ୍ନୀଙ୍କ ପକ୍ଷ ନେଉଥିବା ପୁଅକୁ ବି ଘରେ ପଶାଇ ଦେଉ ନଥିବା ଅଭିଯୋଗ ହୋଇଛି। ବୋହୂଙ୍କ ଏତଲକ୍ରମେ ପୁଲିସ ଶାଶୂ, ଶ୍ବଶୁର, ନଣନ୍ଦଜ୍ବାଇଁଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

    ଅଭିଯୋଗ ଆସିଛି ସୁନ୍ଦରଗଡ଼ ଟାଉନଥାନା ପତ୍ରାପଡ଼ାରୁ। ରାଉରକେଲାର ବାପ ଛେଉଣ୍ଡ ଝିଅ କାବେରୀ ଦାସଙ୍କୁ ପତ୍ରାପଡ଼ାର ସୁଦର୍ଶନ ମହାନ୍ତି ଓ ସୁନିତା ମହାନ୍ତିଙ୍କ ପୁଅ କେଶବ ମହାନ୍ତି ଗତ ୨୦୨୧ ଫେବ୍ରୁଆରି ୧୪ରେ ବିବାହ କରିଥିଲେ। କାବେରୀଙ୍କ ବିଧବା ମା’ ସାଧ୍ୟମତେ ଉପହାର ଦେଇଥିଲେ। କିନ୍ତୁ ବିବାହର ମାତ୍ର ୩ ମାସ ନଯାଉଣୁ ଶାଶୂ, ଶ୍ବଶୁର ଓ ନଣନ୍ଦ ଜ୍ବାଇଁ ୩ ଲକ୍ଷ ଟଙ୍କା ଯୌତୁକ ଦାବି କରି କାବେରୀଙ୍କୁ ନିର୍ଯାତନା ଦେଇ ଚାଲିଲେ। ଶେଷକୁ ଅନ୍ତଃସତ୍ତ୍ବା ଅବସ୍ଥାରେ ତାଙ୍କୁ ପତ୍ରାପଡ଼ାସ୍ଥ ଘରୁ ବାହାର କରି ଦେଇଥିଲେ। ସ୍ବାମୀ କେଶବ ତାଙ୍କୁ ସମର୍ଥନ କରିବାରୁ ତାଙ୍କୁ ମଧ୍ୟ ଘରେ ପଶାଇ ଦେଇ ନଥିଲେ। ଶେଷକୁ ସ୍ବାମୀସ୍ତ୍ରୀ ସହରର ଆରଆରଆଇଟି କଲୋନିରେ ଘର ଭଡ଼ା ନେଇ ରହିବାକୁ ଲାଗିଲେ। ୩ ବର୍ଷ ପରେ ଝିଅକୁ ଧରି କାବେରୀ ଶ୍ବଶୁର ଘରକୁ ଯାଇଥିବାବେଳେ ତାଙ୍କୁ ପଶିବାକୁ ଦେଇ ନଥିଲେ। କାକୁତିମିନତି ହେବା ପରେ ବି କେହି ତାଙ୍କ କଥା ଶୁଣି ନଥିଲେ। ଏପରିକି ଘରେ ପଶିଥିବା କୁନି ଝିଅକୁ ମଧ୍ୟ ବାହାର କରି ଦେଇ ଶାଶୂ ବାହାରୁ ତାଲା ପକାଇ ଦେଇଥିଲେ। ଶେଷକୁ ବାଧ୍ୟ ହୋଇ କାବେରୀ ଭଡ଼ାଘରକୁ ଫେରି ଆସିଥିଲେ।

    ଏହା ପରେ ସ୍ବାମୀ କେଶବ ଯାଇ ଘରେ ସ୍ଥାନ ଦେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ମନା କରି ଦେଇଥିଲେ। କାବେରୀଙ୍କୁ ଛାଡ଼ିଲେ, ତାଙ୍କୁ ଘରେ ପଶିବାକୁ ଦିଆଯିବ ବୋଲି ସର୍ତ୍ତ ରଖି କୁଆଡ଼େ ଫେରାଇ ଦେଇଥିଲେ। ଶେଷକୁ ଗତ ନଭେମ୍ବର ୧୫ ତାରିଖରେ କାବେରୀ ଟାଉନଥାନାରେ ଏତଲା ଦେଇ ନ୍ୟାୟ ମାଗିଥିଲେ। ପୁଲିସ ଏତଲା ଆଧାରରେ ଶାଶୂ, ଶ୍ବଶୁର ଓ ନଣନ୍ଦଜ୍ବାଇଁଙ୍କ ନାମରେ ୪୯୮(ଏ), ୩୪୧, ୫୦୬, ୨୯୪, ୩୪ରେ ମାମଲା ରୁଜୁ କରି ତଦନ୍ତ ଚଲାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    61 %
    1.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    25 °
    Sat
    31 °

    ସମ୍ବନ୍ଧିତ