Wednesday, July 22, 2026
23.5 C
Odisha

    ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ସୂତାକଳର ଇତିହାସ; ଅଣ ଓଡିଆଙ୍କ ପାଇଁ ହୋଇଥିଲା ବନ୍ଦ

    ଆଗକୁ ପଢନ୍ତୁ

    ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସୂତାକଳ ଦୀର୍ଘବର୍ଷ ହେବ ବନ୍ଦ ହୋଇ ପଡ଼ିଥିବା ବେଳେ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଗୋବିନ୍ଦପୁର ସୂତାକଳକୁ ପୂନର୍ବାର କାର୍ଯ୍ୟକ୍ଷମ କରିବେ ବୋଲି ନିଷ୍ପତ୍ତି ନେଇ ଘୋଷଣା କରିବା ପରେ ଶ୍ରମିକମାନଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ସୂତାକଳ ଚାଲିଲେ ଜିଲ୍ଲାରେ ଥିବା ହଜାର ହଜାର ବୁଣାକାରଙ୍କୁ ସୂତା ପାଇଁ କଲିକତା ଏବଂ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ସ୍ଥାନୀୟ ଅଞ୍ଚଳର ହଜାର ହଜାର ଶ୍ରମିକ ନିଯୁକ୍ତି ପାଇବା ସହ ସ୍ଥାନୀୟ ଅଞ୍ଚଳର ବିକାଶ ହୋଇପାରିବ ।“ ସମଗ୍ର ଓଡ଼ିଶାରେ ସୁନାମ ଅର୍ଜନ କରିଥିବା ଗୋବିନ୍ଦପୁର କଳିଙ୍ଗ ସମବାୟ ସୂତାକଳରେ ୨୧ବର୍ଷ ଧରି ତାଲା ଝୁଲୁଛି । ସ୍ଥାନୀୟ ଅଞ୍ଚଳ ଦିନେ ଗହଳଚହଳ ହୋଇ ରହିଥିବା ବେଳେ ଏବେ ଏଠାରେ ଜନଶୂନ୍ୟ ହୋଇପଡ଼ିଛି । ମନୁଷ୍ୟକୃତ ପରିଚାଳନାଗତ ତ୍ରୁଟି ଯୋଗୁ ଆର୍ଥିକ ସଙ୍କଟ ଏବଂ କିଛି ଅଧିକାରୀଙ୍କ ମନୋମୁଖୀ କାରବାର ଯୋଗୁ କୋଟି କୋଟି ଟଙ୍କାର ଯନ୍ତ୍ରାଂଶଗୁଡିକ ଖତ ଖାଇବା ସହିତ ଶ୍ରମିକଙ୍କ ପେଟରେ ନାତ ମାରି ଅଣଓଡିଆ ଦଲାଲ ତଥା ସୂତା ବ୍ୟବସାୟୀ ଏହି ପ୍ରତିଷ୍ଠିତ ସୂତାମିଲକୁ ବନ୍ଦ କରିବାରେ ସଫଳ ହୋଇଛନ୍ତି । ଢେଙ୍କାନାଳବାସୀଙ୍କ ବାରମ୍ୱାର ଦାବି ସତ୍ତ୍ୱେ ଏହି କାରଖାନାକୁ ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରା ନଯିବା ଯୋଗୁ ଅସନ୍ତୋଷ ବୃଦ୍ଧି ପାଇଥିଲା । ୧୯୭୯ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଆରମ୍ଭ ହୋଇଥିବା ଗୋବିନ୍ଦପୁର ସ୍ପିନିଂ ମିଲ ବା କଳିଙ୍ଗ ବୁଣାକାର ସମବାୟ ସମିତି ସ୍ପିନିଂ ମିଲ ସଦର ବ୍ଲକ ଗୋବିନ୍ଦପୁର ଠାରେ ପ୍ରାୟ ୫୨ ଏକର ଜମିରେ ନିର୍ମାଣ ହୋଇଥିଲା । ଏହି ସୂତାକଳ ରାଜ୍ୟ ସରକାରଙ୍କ ୭୫ଭାଗ ଏବଂ ୨୫ଭାଗ ଅର୍ଥ ଆଇଡିବିଆଇ, ଆଇଏଫସିଆଇ ଭଳି ବ୍ୟାଙ୍କରୁ ବୁଣାକାର ସମିତି ଦ୍ୱାରା ଋଣ ଆଣି ଏହି କାରଖାନା ପ୍ରତିଷ୍ଠା ହୋଇଥିଲା । ହଜାର ହଜାର ଶ୍ରମିକ ପ୍ରତ୍ୟକ୍ଷ ଭାବରେ ଏଠାରେ କାର୍ଯ୍ୟ କରୁଥିବା ବେଳେ ପରୋକ୍ଷ ଭାବରେ ଲକ୍ଷାଧିକ ଶ୍ରମିକ, ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଏହା ଉପରେ ନିର୍ଭର କରୁଥିଲେ । କାରଖାନାରେ ଉତ୍କୃଷ୍ଟ ମାନର ସୂତା ଉତ୍ପାଦନ କରି ରାଜ୍ୟର ବିଭିନ୍ନ ସ୍ଥାନକୁ ଏହା ଯୋଗାଇ ଦିଆଯିବା ସହିତ ରାଜ୍ୟ ବାହାରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ଯୋଗାଣ ହେଉଥିଲା । ଏହି ସୂତାକଳ ଉପରେ ନିର୍ଭର କରି ଛୋଟ ଛୋଟ ପାୱାର ଲୁମ୍ ୟୁନିଟ୍ ଗଢିଉଠିବା ସହିତ ସିମିନଇରେ ବାରିପଦା ତକତପୁର ସହିତ ସମତାଳରେ ପାୱାରଲୁମ ସହିତ ରାଜ୍ୟର ବହୁ ପାୱାରଲୁମ ଏହା ଉପରେ ନିର୍ଭର କରୁଥିଲେ । ଦୀର୍ଘ ୧୯୭୯ରୁ ୧୯୯୬ ପର୍ଯ୍ୟନ୍ତ ଲାଭରେ ଚାଲୁଥିବା ସୂତାକଳକୁ ୧୯୯୬ ମସିହାରେ କନଭର୍ସନ ଜରିଆରେ ଜେ ଜେ ସ୍ପିନର୍ସକୁ ଏହି ମିଲକୁ ଚଳାଇବାକୁ ଅନୁମତି ପ୍ରଦାନ କରାଯାଇଥିଲା । ଗୋବିନ୍ଦପୁର ସୂତାର ଦେଶରେ ଚାହିଦା ଯଥେଷ୍ଟ ରହିଥିବା ବେଳେ କଲିକତା ଏବଂ ଇନ୍ଦୋରରୁ ତୁଳା ଆଣି ବ୍ୟବସାୟ କରୁଥିବା କେତେକ ଦଲାଲ କୋଟି କୋଟି ଟଙ୍କାର କ୍ଷତି ଦର୍ଶାଇଥିଲା । ଫଳରେ ସେମାନେ ଚକ୍ରାନ୍ତ ଆରମ୍ଭ କରି କିପରି ଗୋବିନ୍ଦପୁର ସୂତା କଳକୁ ଆର୍ଥିକ ଦୂରବସ୍ଥା ଦେଖାଇ ବନ୍ଦ କରିବେ ତାହାର ଚାଲ ଆରମ୍ଭ କରିଥ?ଲେ । ଦେଶରେ ୧ନଂ. ସୂତା ଉତ୍ପାଦନ କରୁଥିବା ସୂତାକଳକୁ ଭଲ କପା ଯୋଗାଣ ହେବା ସହିତ ସୂତା ତିଆରି କରାଯାଉଥିବା ବେଳେ କେତେକ ଅସାଧୁ ଅଧିକାରୀ ମୁଖ୍ୟତଃ ଅଣଓଡିଆଙ୍କ ସହିତ ମିଶି ଖରାପ ସୂତା ଉତ୍ପାଦନ କରି ଯୋଗାଣ କଲେ । ଫଳରେ ବୁଣାକାରମାନଙ୍କ ପାଇଁ ବରଦାନ ପାଲଟିଥିବା ଗୋବିନ୍ଦପୁର ସୂତାକୁ ନାକ ଟେକିବା ସହିତ ଏହାର ସୁଯୋଗ ନେଇ ଦଲାଲମାନେ କମ ଦରରେ କଲିକତାରୁ ତୁଳା ଆଣି ଓଡ଼ିଶାରେ ଯୋଗାଇଦେଲେ । ପରିସ୍ଥିତି ଏଭଳି ହେଲା ସ୍ପିନ ଫେଡର କେତେକ ଅଧିକାରୀ ଗୋବିନ୍ଦପୁର ସୂତାକଳକୁ ସେହି କଲିକତାର ଦଲାଲଙ୍କୁ ଚଳାଇବା ପାଇଁ ଟେଣ୍ଡର ଦେଇଥିଲେ । ଶେଷରେ ଆର୍ଥିକ ଦୂରବସ୍ଥା ଦର୍ଶାଇ ସରକାର ୨୦୦୨ ନଭେମ୍ୱର ୧୬ ତାରଖରେ ପତ୍ରସଂଖ୍ୟା ୧୦୯୨୧ରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଲେ । ୧୯୭୯ରୁ ୨୦୦୨ ମସିହା ପର୍ଯ୍ୟନ୍ତ ସୁନାମ ଅର୍ଜନ କରିଥିବା ସୂତାକଳରେ ସବୁଦିନ ପାଇଁ ତାଲା ପଡ଼ିଗଲା । କାରଖାନା ପରିସରରେ ଥିବା ବିଦ୍ୟାଳୟ, ମନ୍ଦିର ଏବଂ କ୍‌ୱାଟର୍ସ ଗୁଡିକ ଏବେ ଭୂତଖାନାରେ ପରିଣତ ହୋଇଯାଇଛି । କାରଖାନାଟି ରିଜର୍ଭ ଜଙ୍ଗଲରେ ପରିଣତ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଶହ ଶହ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ଅନ୍ୟକେତେକ ଶ୍ରମିକ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରେ କାର୍ଯ୍ୟ କରୁଛନ୍ତି । ଗତ ୨ ହଜାର ମସିହାରୁ ଭିଆରଏସ୍ ମାଧ୍ୟମରେ ଶ୍ରମିକମାନଙ୍କୁ ଛଟେଇ କରିଦିଆଯାଇଥିବା ବେଳେ ଏହି କାରଖାନାକୁ ବନ୍ଦ କରିଦିଆଯାଇଛି । ପରୋକ୍ଷ ଭାବରେ ସୂତାକଳ ଉପରେ ନିର୍ଭର କରୁଥିବା ବୁଣାକାରମାନେ ଏବେ ଦାଣ୍ଡର ଭିକାରୀ ପାଲଟିଛନ୍ତି । ଏହି ସୂତାକଳ ହେଉଛି ଜିଲ୍ଲା ଏବଂ ରାଜ୍ୟର ଗର୍ବ ଏବଂ ଗୌରବ । ଏହାର ପୁନରୁଦ୍ଧାର ପାଇଁ ସଚେତନ ନାଗରିକ ମଞ୍ଚ ସହିତ ଢେଙ୍କାନାଳବାସୀ ଏବଂ ସୂତାକଳର ଶ୍ରମିକମାନେ ଦାବି କରିଆସୁଥିଲେ । ବର୍ତ୍ତମାନ ମଧ୍ୟ ଢେଙ୍କାନାଳ, ଖୋର୍ଦ୍ଧା ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ବୁଣାକାରମାନେ କଲିକତା ଏବଂ ଆନ୍ଧ୍ର ଦଲାଲଙ୍କ ନିକଟରେ ସୂତା ପାଇଁ ଧା?ିବାନ୍ଧି ବସିଛନ୍ତି । କଲିକତାର ଦଲାଲମାନଙ୍କ ଯୋଗୁ ଓଡ଼ିଶାରେ ଗୋଟିଏ ହେଲେ ସ୍ପିନିଂ ମିଲ ଚାଲୁ ନଥିବା ବେଳେ ସେମାନଙ୍କ ଚାଲରେ ଏବେ ବୁଣାକାରମାନେ କଲିକତା ଉପରେ ନିର୍ଭର କରୁଥିବା ଜଣାପଡ଼ିଛି । ଏହି ସୂତା ମିଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହିତ କଲିକତା ଏବଂ ଆନ୍ଧ୍ରରୁ ଆସୁଥିବା ସୂତା ଉପରେ ତୁରନ୍ତ କଟକଣା ଲଗାଇବାକୁ ଦାବି କରାଯାଇଥିଲା । ରାଜ୍ୟ ସରକାର ଟେକ୍ସଟାଇଲ ପାର୍କ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାଗା ଖୋଜୁଥିବା ବେଳେ ନିଜସ୍ୱ ଜାଗାର ଭିତ୍ତିଭୂମି ରହିଥିବା ବେଳେ ଏହା ଉପରେ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ଶ୍ରମିକମାନେ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ବେଳେ ଏହି କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରାଗଲେ ସ୍ଥାନୀୟ ଅଞ୍ଚଳର ବିକାଶ ହେବା ସହିତ ଶ୍ରମିକମାନେ ନିଜ ବାସସ୍ଥାନ ଅଞ୍ଚଳରେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରିବା ସହିତ ଜିଲ୍ଲା ତଥା ରାଜ୍ୟର ଆର୍ଥିକ ବିକାଶରେ ସହାୟକ ହେବ ବୋଲି ବୃଦ୍ଧିଜୀବୀ ମହଲରେ ଦାବି କରାଯାଉଥିଲା । ଏବେ ମନ୍ତ୍ରୀ ସୂତାକଳକୁ ଚଳାଇବାକୁ ଘୋଷଣା କରିବା ପରେ ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    95 %
    2.8kmh
    100 %
    Wed
    25 °
    Thu
    27 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ