ଭୁବନେଶ୍ୱର : ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ତଥା Head of Police Force ଚୟନକୁ ନେଇ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ । DGP ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ପ୍ରକାଶ ସିଂ ରାୟରେ ଧାର୍ଯ୍ୟ ମାନଦଣ୍ଡ ପାଳନ କରାଯାଉଛି କି ନାହିଁ, ତାହା ଏହି ମାମଲାର ପ୍ରମୁଖ ପ୍ରସଙ୍ଗ । ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, DGP ଚୟନ ପାଇଁ ବିଚାରକୁ ନିଆଯାଉଥିବା ଅଧିକାରୀଙ୍କ ତାଲିକାରେ ଜଣେ କନିଷ୍ଠ IPS ଅଧିକାରୀଙ୍କୁ ସାମିଲ କରିବାକୁ ଉଦ୍ୟମ ହୋଇଛି ଏବଂ ଏହା ପ୍ରକାଶ ସିଂ ରାୟର ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଦାବି କରାଯାଇଛି ।
ଅନ୍ୟପଟେ ରାଜ୍ୟ ସରକାର ଏହି ଅଭିଯୋଗକୁ ବିରୋଧ କରିବା ସହ ଯୋଗ୍ୟ ଅଧିକାରୀଙ୍କ ନାମ UPSCକୁ ପଠାଇବାର ଅଧିକାର ସରକାରଙ୍କର ରହିଛି ବୋଲି ଯୁକ୍ତି ରଖିଛନ୍ତି । DGP ପଦ ପାଇଁ ଦୌଡ଼ରେ ଥିବା ଅଧିକାରୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ପ୍ରଥମ ପର୍ଯ୍ୟାୟରେ ୧୯୯୦ ବ୍ୟାଚ୍ ର ସୁଧାଂଶୁ ଷଡ଼ଙ୍ଗୀ ଏବଂ ୧୯୯୩ ବ୍ୟାଚ୍ ର ସୁଶାନ୍ତ କୁମାର ନାଥ ଓ ଆର୍ .ପି. କୋଚେ ପ୍ରମୁଖ ଦାବିଦାର ଭାବେ ସାମ୍ନାକୁ ଆସିଥିଲେ । ରାଜ୍ୟ ସରକାର UPSCକୁ ମୋଟ ୧୧ ଜଣ ବରିଷ୍ଠ IPS ଅଧିକାରୀଙ୍କ ନାମ ପଠାଇଥିଲେ । ଅଗଷ୍ଟ ୭ରେ UPSC Empanelment Committee ବୈଠକ ବସିଥିଲେ ମଧ୍ୟ ତିନି ଜଣିଆ ପ୍ୟାନେଲ୍ ଚୂଡ଼ାନ୍ତ ହୋଇପାରିନଥିଲା।
୧୯୯୪ ବ୍ୟାଚ୍ ର ସଞ୍ଜୀବ ପଣ୍ଡା ଓ ୟଶୱନ୍ତ ଜେଠୱାଙ୍କୁ ଅଗଷ୍ଟ ୧୦ରେ DG ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା । ଫଳରେ ଏହି ଦୁଇ ଅଧିକାରୀଙ୍କ ନାମକୁ ନେଇ ମଧ୍ୟ ପରବର୍ତ୍ତୀ DGP ଚୟନ ଚର୍ଚ୍ଚା ତୀବ୍ର ହୋଇଥିଲା। ଏହି ପଦୋନ୍ନତି ଓ ଚୟନ ପାଇଁ ଅଧିକାରୀଙ୍କ ପରିସର ବଢ଼ାଯିବାକୁ ନେଇ ହିଁ ସୁପ୍ରିମକୋର୍ଟରେ ଦାଖଲ PILରେ ପ୍ରଶ୍ନ ଉଠାଯାଇଛି । ଏହା ପୂର୍ବରୁ ଅଗଷ୍ଟ ୧୩ରେ ସୁପ୍ରିମକୋର୍ଟ UPSCକୁ ଓଡ଼ିଶା DGP ଚୟନ ପାଇଁ ତିନି ଜଣିଆ ପ୍ୟାନେଲ୍ ଚୂଡ଼ାନ୍ତ ନକରିବାକୁ କହିଥିଲେ । ପରେ ଅଗଷ୍ଟ ୧୮ର ଶୁଣାଣିରେ ରାଜ୍ୟ ସରକାରଙ୍କ ଜବାବ ରେକର୍ଡରେ ଆସିବା ପରେ ମାମଲାର ବିସ୍ତୃତ ଶୁଣାଣି ପାଇଁ ସେପ୍ଟେମ୍ବର ୨ ତାରିଖ ଧାର୍ଯ୍ୟ ହୋଇଥିଲା । ନିୟମିତ DGP ନିଯୁକ୍ତି ଅଟକି ରହିଥିବାରୁ ବର୍ତ୍ତମାନ ୧୯୯୩ ବ୍ୟାଚ୍ IPS ବିନୟତୋଷ ମିଶ୍ର ଅତିରିକ୍ତ ଭାବେ DGP ଦାୟିତ୍ୱରେ ଅଛନ୍ତି । ତେଣୁ ଆଜିର ଶୁଣାଣି ଓଡ଼ିଶାର ପରବର୍ତ୍ତୀ DGP ଚୟନ ପ୍ରକ୍ରିୟା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ ନାଥ, ଆର୍ .ପି. କୋଚେଙ୍କ ସହ ସଞ୍ଜୀବ ପଣ୍ଡା ଓ ୟଶୱନ୍ତ କୁମାର ଜେଠୱାଙ୍କ ମଧ୍ୟରୁ କାହା ନାମ UPSCର ତିନି ଜଣିଆ ପ୍ୟାନେଲରେ ସ୍ଥାନ ପାଇବ, ତାହାକୁ ନେଇ ଉତ୍କଣ୍ଠା ରହିଛି । ଚୟନ ପ୍ରକ୍ରିୟା ଆଗକୁ ବଢ଼ିବ କି ନାହିଁ ଏବଂ ସୁପ୍ରିମକୋର୍ଟ ଆଜି କୌଣସି ନୂଆ ନିର୍ଦ୍ଦେଶ ଦେବେ କି, ଏବେ ସେଥିପ୍ରତି ସମସ୍ତଙ୍କ ନଜର ।
