Sunday, August 30, 2026
24.9 C
Odisha

    ICU ଶଯ୍ୟା ପାଇଁ ଆଉ ଦହଗଞ୍ଜ ହେବେନି ରୋଗୀ, ସବୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉପଲବ୍ଧ ହେବ ଆଇସିୟୁ ସେବା

    ଆଗକୁ ପଢନ୍ତୁ

    ଗୁରୁତର ରୋଗୀ ହୁଅନ୍ତୁ ଅବା ଦୁର୍ଘଟଣାରେ ଆହତ ବ୍ୟକ୍ତି, କାହା ପାଇଁ ଆଇସିୟୁ ଚିକିତ୍ସା ଅଭାବ ରହିବ ନାହିଁ। ସବୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଇସିୟୁ ସେବା ଉପଲବ୍ଧ ହେବ ଏବଂ ରୋଗୀଙ୍କୁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପଡ଼ିବ ନାହିଁ। ଠିକଣା ସମୟରେ ରୋଗୀଙ୍କୁ ଚିକିତ୍ସା ମିଳିବ ଆଉ ଜୀବନରକ୍ଷା ସହଜ ହେବ। ଏହି ଆଭିମୁଖ୍ୟ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜିଲ୍ଲାସ୍ତରରେ ଆଇସିୟୁ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ପ୍ରସ୍ତୁତ କରିଛି ରଣନୀତି।

    ସୂଚନା ଅନୁସାରେ, ଗୁରୁତର ରୋଗୀଙ୍କ ଜୀବନରକ୍ଷା ପାଇଁ ଇନଟେନସିଭ୍‌‌ କେୟାର ୟୁନିଟ୍‌‌ (ଆଇସିୟୁ)ର ବଡ଼ ଭୂମିକା ରହିଛି। ତେବେ ବିଭିନ୍ନ କାରଣ ପାଇଁ ରୋଗୀଙ୍କୁ ଠିକ୍‌ ସମୟରେ ଆଇସିୟୁ ଶଯ୍ୟା ମିଳି ପାରୁନଥିଲା। ସେଥିପାଇଁ ରୋଗୀ ଦୂରଯାତ୍ରା କରିବା ସହ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଏହି ଯାତ୍ରା ଭିତରେ ଚିକିତ୍ସା ନ ପାଇ ରୋଗୀର ସ୍ଥିତି ସଂକଟାପନ୍ନ ହୋଇଯାଉଛି। ତେବେ ଆଇସିୟୁ ସେବାରେ ବଡ଼ ବାଧକ ହୋଇଛି, ବିଶେଷଜ୍ଞ ଡାକ୍ତର ଏବଂ କର୍ମଚାରୀଙ୍କ ଅଭାବ। ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟାୟକ୍ରମେ ଡାକ୍ତର ଏବଂ ନର୍ସମାନଙ୍କୁ ଆଇସିୟୁ ପରିଚାଳନା ପ୍ରଶିକ୍ଷଣ ଦେବା ଆରମ୍ଭ କରିଛି। ପ୍ରଶିକ୍ଷଣର ଅବଧି ତିନି ମାସ ରଖାଯାଇଛି। ନିକଟରେ ପ୍ରଥମ ପର୍ଯ୍ୟାୟ ବ୍ୟାଚ୍‌‌ରେ ଡାକ୍ତର ଏବଂ ନର୍ସିଂ ଅଫିସର ପ୍ରଶିକ୍ଷଣ ଶେଷ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏଥିରେ ସୋନପୁର, କଳାହାଣ୍ଡି, ଖୋର୍ଦ୍ଧା, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାର ଡାକ୍ତର ଏବଂ ନର୍ସିଂ ଅଫିସରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଆଇସିୟୁ ପରିଚାଳନାରେ ସିଦ୍ଧହସ୍ତ ତଥା ଅଭିଜ୍ଞ ପ୍ରଫେସରମାନେ ପ୍ରଶିକ୍ଷଣ ଦେଉଛନ୍ତି। ନ୍ୟୁରୋଲୋଜି, କାର୍ଡିଓଲୋଜି, ନିଶ୍ଚେତକ, ନେଫ୍ରୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଡୋକ୍ରୋନୋଲୋଜି, ହେମାଟୋଲୋଜି, ଟ୍ରାନ୍ସଫ୍ୟୁଜନ୍‌‌ ମେଡିସିନ୍‌ ଆଦି ବିଭାଗର ବିଶେଷଜ୍ଞମାନେ ପ୍ରଶିକ୍ଷଣ ଦେଇଥିଲେ। ସମ୍ପ୍ରତି ରାଜ୍ୟର ୧୭ଜିଲ୍ଲା ଡାକ୍ତରଖାନାରେ ଆଇସିୟୁ ଥିବା ବେଳେ ଅବଶିଷ୍ଟ ୧୩ଜିଲ୍ଲାରେ ଆଇସିୟୁ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିଛି। ଜିଲ୍ଲା ଡାକ୍ତରଖାନା ଆଇସିୟୁରେ ମୋଟ ୧୭୦ଟି ଶଯ୍ୟା ରହିଛି।

    ସେହିପରି ରାଜ୍ୟର ମେଡିକାଲ କଲେଜରେ ସମୁଦାୟ ୬୦୦ ଆଇସିୟୁ ଶଯ୍ୟା ରହିଛି। ଦାୟିତ୍ୱରେ ଥିବା ଅଧିକାରୀଙ୍କ କହିବା ଅନୁସାରେ, ଆଇସିୟୁ ନିର୍ମାଣ ଯେତିକି ଜରୁରୀ ତାହାର ପରିଚାଳନା ପାଇଁ ପ୍ରଶିକ୍ଷିତ ଡାକ୍ତର ଏବଂ କର୍ମଚାରୀ ମଧ୍ୟ ସେତିକି ଜରୁରୀ। ଆଇସିୟୁ ପରିଚାଳନା ପାଇଁ ଏକ ବିଶେଷଜ୍ଞ ଦଳ ରଣନୀତି ପ୍ରସ୍ତୁତ କରିଥିଲେ। ବିଚାରବିମର୍ଶ ପରେ ସ୍ୱାସ୍ଥ୍ୟ ବିଭାଗର ଅନୁମୋଦନକ୍ରମେ ଏହାକୁ ଆଧାର କରି ପ୍ରଶିକ୍ଷଣ ଦିଆଯାଉଛି। ବିଶେଷକରି ଆଇସିୟୁରେ ଥିବା ରୋଗୀଙ୍କ ପ୍ରକୃତ ଅବସ୍ଥା ଜାଣିବା, ରୋଗ ଓ ସମସ୍ୟା ଚିହ୍ନଟ, ଭେଣ୍ଟିଲେଟର୍‌‌ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ ତଥା ସଠିକ୍‌‌ ଔଷଧ ଚୟନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଛି। ଅପରପକ୍ଷେ କେଉଁ ରୋଗୀଙ୍କୁ ଆଇସିୟୁ ଦରକାର ଏବଂ କାହାକୁ ସାଧାରଣ ୱାର୍ଡରେ ରଖି ଚିକିତ୍ସା କରାଯାଇପାରିବ, ତାହା ଉପରେ ନିଷ୍ପତ୍ତି ନେବା ଜରୁରୀ। ନଚେତ ଜରୁରୀ ସମୟରେ ପ୍ରକୃତରେ ଆଇସିୟୁ ଶଯ୍ୟା ଆବଶ୍ୟକ କରୁଥିବା ରୋଗୀଙ୍କୁ ତାହା ଉପଲବ୍ଧ କରିବା କଷ୍ଟକର ହେବ। ତେଣୁ ଆଇସିୟୁ ଭିତ୍ତିଭୂମି ନିର୍ମାଣ ସହିତ ପ୍ରଶିକ୍ଷିତ ମାନବସମ୍ବଳ ସୃଷ୍ଟି ଦିଗରେ ଆମେ କାମ କରୁଛୁ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.9 ° C
    24.9 °
    24.9 °
    92 %
    2.2kmh
    100 %
    Sun
    25 °
    Mon
    24 °
    Tue
    23 °
    Wed
    27 °
    Thu
    27 °

    ସମ୍ବନ୍ଧିତ