Saturday, October 17, 2026
23.8 C
Odisha

    କିଙ୍ଗ୍‌ ଅଫ୍‌ କ୍ଲେ’ ନାଦାଲଙ୍କ ଅବସର: ଡେଭିସ୍‌ କପ୍‌ ଫାଇନାଲ୍‌ ହେବ ଶେଷ ମ୍ୟାଚ୍‌

    ଆଗକୁ ପଢନ୍ତୁ

    ମାଦ୍ରିଦ: ସ୍ପେନ୍‌ର ଟେନିସ କିଂବଦନ୍ତି ତଥା ୨୨ ଏକକ ଗ୍ରାଣ୍ଡସ୍ଲାମ୍‌ ବିଜେତା ରାଫେଲ ନାଦାଲ ଗୁରୁବାର ପେସାଗତ ଟେନିସ୍‌ରୁ ଅବ‌ସର ଘୋଷଣା କରିଛନ୍ତି। ଚଳିତ ଋତୁ‌ ଶେଷ ପରେ ତାଙ୍କୁ ‌ଆଉ ଟେନିସ୍‌ କୋର୍ଟରେ ଦେଖିବାକୁ ମିଳିବନି। ନଭେମ୍ବର ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଡେଭିସ୍‌ କପ୍‌ ଫାଇନାଲ୍‌ ତାଙ୍କ ଶେଷ ପ୍ରତିଯୋଗିତା ହେବ। ଗୁରୁବାର ୩୮ ବର୍ଷୀୟ ନାଦାଲ ଏକ ହୃଦୟସ୍ପର୍ଶୀ ଭିଡିଓ ବାର୍ତ୍ତାରେ ନିକଟ ଅତୀତରେ ତାଙ୍କ କ୍ୟାରିୟରରେ କିଭଳି ବିଭିନ୍ନ ଆହ୍ବାନର ସମ୍ମୁଖୀନ ହୋଇଥିଲେ ତାହା କହିବା ସହ ନିଜ ଅବସର ବିଷୟରେ ଘୋଷଣା କରିଛନ୍ତି।
    ଆପଣମାନଙ୍କୁ ଜଣାଉଛି, ମୁଁ ପେସାଗତ ଟେନିସ୍‌ରୁ ଅବସର ନେବାକୁ ଯାଉଛି। ବାସ୍ତବରେ ଏହା ବହୁ କଷ୍ଟକର ବର୍ଷ ଥିଲା, ବିଶେଷ କରି ଗତ ୨ ବର୍ଷ ଅଧିକ ଅସୁବିଧାରେ ପଡ଼ିଥିଲି। ମୁଁ ଭାବୁନି ଯେ ଗୋଟିଏ ସୀମା ମଧ୍ୟରେ ରହି ଖେଳିପାରିବି। ପ୍ରକୃତରେ ଏହା କଷ୍ଟକର ନିଷ୍ପତ୍ତି। ଏଥିପାଇଁ କିଛି ସମୟ ନେଇଛି, କିନ୍ତୁ ଏହା ହେଉଛି ଜୀବନ, ସବୁଥିରେ ଆରମ୍ଭ ଓ ଶେଷ ଅଛି ଏବଂ ମୁଁ ଭାବିଲି ବହୁ ଦିନର ‌ଖେଳ ଜୀବନକୁ ଶେଷ କରିବାର ଏହା ଠିକ୍‌ ସମୟ। ଏହା ଭିତରେ ମୁଁ ଆଶାଠାରୁ ବହୁତ ଅଧିକ ପାଇଛି। ମୁଁ ଏବେ ବହୁତ ଖୁସି ଯେ ମୋର ଶେଷ ପ୍ରତିଯୋଗିତା ଡେଭିସ୍‌ କପ୍‌ରେ ନିଜ ଦେଶରୁ ପ୍ରତିନିଧିତ୍ବ କରିବାକୁ ଯାଉଛି। ଏହିଠାରେ ମୋର ଖେଳ ଜୀବନ ଶେଷ ହେବ। କାରଣ ୨୦୦୪ରେ ସେଭିଲାରେ ଫାଇନାଲ୍‌ ଖେଳିବା ମୋ ପାଇଁ ପ୍ରଥମ ଖୁସି ଆଣିଥିଲା। ଏହି ସବୁ ପାଇଁ ବହୁତ ଭାଗ୍ୟାଶଳୀ, ଅନେକ ଅଭିଜ୍ଞତା ପାଇଛି। ମୁଁ ଟେନିସ୍‌ ଜଗତ ଏବଂ ଏହି କ୍ରୀଡ଼ା ସହ ଯୋଡ଼ି ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଉଛି। ଏତେ ବର୍ଷ ଧରି ମୋ ସହ ଖେଳିଥିବା ସମସ୍ତ ‌ସାଥୀ ଖେଳାଳି ଓ ପ୍ରତିଦ୍ବନ୍ଦ୍ବୀଙ୍କୁ ବି ଧନ୍ୟବାଦ। ଏମାନଙ୍କ ସହ ଅନେକ ସମୟ କାଟିଛି ଏବଂ ଅନେକ ଅଭିଜ୍ଞତା ସାଉଁଣ୍ଟିଛି। ଏସବୁକୁ ମୁଁ ମୋ ପରବର୍ତ୍ତୀ ଜୀବନରେ ନିଶ୍ଚିତ ମନେ ପକାଇବି’’ ବୋଲି ନାଦାଲ କହିଛନ୍ତି।

    ନାଦାଲ ‌୧୪ଥର ଫ୍ରେଞ୍ଚ ଓପନ୍‌ ମୁକୁଟ ଜିତି ଏହି ପ୍ରତିଯୋଗିତାରେ ନିଜର ଦବ୍‌ଦବା କାୟମ ରଖିଛନ୍ତି। ତାଙ୍କ ଅବସର ପରେ ଟେନିସ୍‌ରେ ନାଦାଲ ଯୁଗର ଅବସାନ ଘଟିବ। ଡେଭିସ୍‌ କପ୍‌ ଫାଇନାଲ୍‌ରେ ତାଙ୍କ ପ୍ରଂଶସକ ଓ ଟେନିସ୍‌ପ୍ରେମୀ ଏହି ମହାନ ଖେଳାଳିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବେ। ସେ ୨୦୨୨ରେ ଶେଷ ଥର ଲାଗି ରୋଲାଁ ଗାରୋସ୍‌ ମୁକୁଟ କରାୟତ୍ତ କରିଥିଲେ ଏବଂ ପ୍ୟାରିସ୍‌ କ୍ଲେ କୋର୍ଟରେ ୧୧୨-୪ ବିଜୟ-ପରାଜୟ କୀର୍ତ୍ତିମାନର ଅଧିକାରୀ ହୋଇଥି‌ଲେ। ନିକଟ ବର୍ଷଗୁଡ଼ିକରେ ଆଘାତ ଜନିତ ସମସ୍ୟା ଖେଳ ଜୀବନରେ ତାଙ୍କୁ ବେଶୀ ଅଡ଼ୁଆରେ ପକାଇଥିଲା। ଏଥିପାଇଁ ୨୦୨୩ ଫ୍ରେଞ୍ଚ ଓପନ୍‌ରେ ଖେଳିପାରି ନଥିଲେ ଏବଂ ଚଳିତ ବର୍ଷ ପ୍ରଥମ ରାଉଣ୍ଡରେ ଜର୍ମାନୀର ‌ଆଲେକ୍‌ଜାଣ୍ଡର ଭେରେଭଙ୍କଠୁ ହାରି ବିଦାୟ ନେଇଥିଲେ। ‘କିଙ୍ଗ୍‌ ଅଫ୍‌ କ୍ଲେ’ ତଥା କ୍ଲେ କୋର୍ଟର ରାଜା ଭାବେ ପରିଚିତ ନାଦାଲ ଟେନସ୍‌ ଜଗତରେ ଜଣେ ଚତୁର ଖେଳାଳି ଥିଲେ। ଦୁଇ ଦଶନ୍ଧିର ଖେଳ ଜୀବନରେ ୯୨ ଟ୍ରଫି ସହ ୧୩,୫୦,୦୦୦ ଡଲାର ତଥା ଭାରତୀୟ ମୂଦ୍ରାରେ ପ୍ରାୟ ୧୧୪ କୋଟି ଟଙ୍କାର ପୁରସ୍କାର ରାଶି କରାୟତ କରିଛନ୍ତି ସେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    89 %
    0.3kmh
    70 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ