Monday, October 12, 2026
21.2 C
Odisha

    କାନ୍ଦିବାରୁ ଦୁଇ ଛୁଆଙ୍କୁ କୂଅକୁ ଫିଙ୍ଗିଦେଲା

    ଆଗକୁ ପଢନ୍ତୁ

    ଜନ୍ମ କଲା ମା’ ହିଁ ସାଜିଲା ପିଶାଚିନୀ। ନିଜ ହାତରେ ହିଁ ନିଜ ମମତାର ତଣ୍ଟି ଚିପି ଦେଲା। ବିବାହର ଦୀର୍ଘ ବର୍ଷ ପରେ ମା’ ହେବାର ସୌଭାଗ୍ୟ ପାଇଥିଲା। ହେଲେ ନିଜେ ହିଁ ସହି ପାରିଲାନି ନିଜ ଖୁସି। ଛୁଆଙ୍କ କାନ୍ଦରେ ଅସହ୍ୟ ହୋଇ ନିଜ କୋଳ ଖାଲି କରିବାକୁ ପଛାଇଲା ନାହିଁ। ଯେଉଁ ଯାଆଁଳା ଛୁଆଙ୍କୁ ୩ ମାସ ତଳେ ଜନ୍ମ ଦେଇଥିଲା, ସେ ଦୁଇ ଛୁଆଙ୍କୁ କୂଅକୁ ଠେଲି ଦେଇ ସାଜିଲା ହତ୍ୟାକାରୀ। ଏପରି ଏକ ଅମାନବୀୟ, ଲୋମହର୍ଷଣକାରୀ କାଣ୍ଡ ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବସଲା ପଞ୍ଚାୟତ ମୁଣ୍ଡାଢ଼ିପ ସାହିରେ ଘଟିଛି। ଏପରି କାଣ୍ଡ ଘଟାଇ ମା’ ନାଁରେ କଳଙ୍କ ସାଜିଥିବା ମହିଳାଜଣକ ହେଲେ ତପସ୍ୱିନୀ ସାହୁ। ତପସ୍ୱିନୀ ଗତକାଲି ଏପରି କାଣ୍ଡ ଘଟାଇଥିବା ସ୍ୱୀକାର କରିଥିବା ବେଳେ ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ସେ କେଉଁ ପରିସ୍ଥିତିରେ ଓ କାହିଁକି ନିଜ ଛୁଆଙ୍କୁ ହତ୍ୟା କଲେ ତାହା ପୁଲିସ ସ୍ପଷ୍ଟ କରିନାହିଁ ।

    ବସଲା ମୁଣ୍ଡଢ଼ିପ ସାହିର ସୁନୀଲ ସାହୁ ଓ ତପସ୍ୱିନୀ ସାହୁଙ୍କ ବିବାହକୁ ୧୧ ବର୍ଷ ପୂରି ଯାଇଥିଲେ ବି ସେମାନଙ୍କର ସନ୍ତାନ ହେଉ ନ ଥିଲା। ବହୁ ଡାକ୍ତରଙ୍କୁ ଦେଖାଇବା ପରେ ଗତ ଅକ୍ଟୋବର ୧୧ ତାରିଖରେ ଉଭୟଙ୍କର ଯାଆଁଳା ପୁଅ, ଝିଅ ହୋଇଥିଲେ। ସୁନୀଲଙ୍କ ୨ ବଡ଼ ଭାଇ ଥିବା ବେଳେ ବଡ଼ ଭାଇ ବିବାହ କରି ନ ଥିଲେ। ମଝିଆ ଭାଇଙ୍କ ବିବାହକୁ ୨୨ ବର୍ଷ ପୂରି ଯାଇଥିଲେ ବି ତାଙ୍କର କିଛି ପିଲା ଛୁଆ ନ ଥିଲେ। ତେଣୁ ସୁନୀଲଙ୍କ ଦୁଇ ଛୁଆ ହେବା ପରେ ପରିବାର ହସଖୁସିରେ ପୂରି ଉଠିଥିଲା। ସୁନୀଲଙ୍କ ଭାଉଜ ରୀତା ସାହୁ ପିଲାଙ୍କ ଯତ୍ନ ନେଉଥିବା ବେଳେ ନିଜ ପିଲା ପରି ସେମାନଙ୍କୁ ପାଳୁଥିଲେ। ଅପରପକ୍ଷେ, ପିଲା ହେବା ପରେ ସୁନୀଲଙ୍କ ପତ୍ନୀ ତପସ୍ୱିନୀ ଅବସାଦରେ ରହୁଥିଲେ। ପିଲାଙ୍କ କାନ୍ଦ ଯୋଗୁ ରାତିରେ ଶୋଇ ପାରୁ ନ ଥିବା ବେଳେ ମରିଯିବି ବୋଲି ସବୁବେଳେ କହୁଥିବା ରୀତା କହିଛନ୍ତି। ଗତକାଲି ସନ୍ଧ୍ୟାରେ ବଡ଼ ଯା’ ବାଥ୍‌ରୁମ୍‌ ଯାଇଥିବା ବେଳେ ଘରେ ଏକୁଟିଆ ଥିଲେ ତପସ୍ୱିନୀ। ଏହି ସୁଯୋଗରେ ସେ ଘର ପାଖରେ ଥିବା କୂଅରେ ନିଜ ଦୁଇ ଛୁଆଙ୍କୁ ଫୋପାଡ଼ି ଦେଇଥିଲେ। ରୀତା ବାଥ୍‌ରୁମ୍‌ରୁ ଆସିବା ପରେ ପିଲାଦ୍ୱୟ ଶେଜରେ ନ ଥିବା ଦେଖିବାକୁ ପାଇ ତପସ୍ୱିନୀଙ୍କୁ ପଚାରିଥିଲେ। ମାତ୍ର ତପସ୍ୱିନୀ ପଡ଼ିଶା ଘରକୁ ଚାଲି ଯାଇଥିବାରୁ ସେ ଘଟଣା ସମ୍ପର୍କରେ ଜାଣି ନ ଥିବା କହିଥିଲେ। ଏହି ଖବର ପ୍ରଚାରିତ ହେବାରୁ ସାହି ପଡ଼ିଶା ସମସ୍ତେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାପରେ ଘର ପାଖ କୂଅରୁ ଉଭୟ ଶିଶୁଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ପୁଲିସ୍‌ ପହଞ୍ଚି ପରିବାର ସଦସ୍ୟଙ୍କୁ ପଚରାଉଚରା କରିବାରୁ ତପସ୍ୱିନୀଙ୍କ କଥାରେ ତାଳମେଳ ରହି ନ ଥିଲା। ଏହାପରେ ତାଙ୍କୁ ଗୁଡ଼ାଇତୁଡ଼ାଇ ପଚାରିବାରୁ ସେ ନିଜ ଦୁଇ ଛୁଆଙ୍କୁ କୂଅକୁ ଫୋପାଡ଼ି ଦେଇଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଥିଲେ। ଏହାପରେ ପୁଲିସ୍‌ ତାଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    85 %
    0.9kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ