Tuesday, March 31, 2026
35.4 C
Odisha

    ଅଙ୍ଗଦାନ କରି ଅମର ହେଲେ ନରେଶ: ଓଡ଼ିଶା ପୁଲିସର ଗାର୍ଡ ଅଫ‌ ଅନର୍‌

    ଆଗକୁ ପଢନ୍ତୁ

    ମସ୍ତିଷ୍କାଘାତରେ ମାତ୍ର  ୩୧ବର୍ଷ ବୟସରେ ଆରପାରିକୁ ଚାଲିଗଲେ ପାରଳାଖେମୁଣ୍ଡି ତେଲିଗୌଡ଼ ସାହିର ନରେଶ ପଟ୍ଟନାୟକ। ବାପାଙ୍କ ମୃତ୍ୟୁର ମାତ୍ର କେଇଟା ମାସ ଭିତରେ ଘରର ଏକମାତ୍ର ପୁଅକୁ ହରାଇ ମା’ ଓ ଭଉଣୀ ଏକ ପ୍ରକାର ଭାଙ୍ଗି ପଡ଼ିଛନ୍ତି। ହେଲେ ପୁଅର ଅଙ୍ଗଦାନ ନିଷ୍ପତ୍ତି ନେଇ ତାଙ୍କୁ ସବୁଦିନ ପାଇଁ ଅମର କରି ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବାପରେ ବିଭିନ୍ନ ମହଲରେ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି। ନରେଶଙ୍କ ଶେଷଯାତ୍ରାରେ ସହରର ହଜାର ହଜାର ଲୋକେ ସାମିଲ ହୋଇ ବିଦାୟ ଜଣାଇଥିଲେ। ନରେଶଙ୍କ ସମ୍ମାନାର୍ଥେ ଓଡ଼ିଶା ପୁଲିସ ପକ୍ଷରୁ ଗାର୍ଡ଼ ଅଫ୍‌ ଅନର‌୍ ପ୍ରଦାନ କରାଯାଇଛି।

    ପାରଳାଖେମୁଣ୍ଡି ସହର ତେଲିଗୌଡ଼ ସାହିର ନରେଶ ଗତ ୯ରେ ହଠାତ୍ ମସ୍ତିଷ୍କାଘାତରେ ପୀଡ଼ିତ ହୋଇଥିଲେ। ତୁରନ୍ତ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ନରେଶଙ୍କ ମୃତ୍ୟୁ ହୋଇଥିଲା। ବାପା ନାଗରାଜ ପଟ୍ଟନାୟକଙ୍କ ମୃତ୍ୟୁର ମାସ କେଇଟା ମଧ୍ୟରେ ୩୧ବର୍ଷିୟ ପୁଅ ନରେଶଙ୍କୁ ହରାଇ ସଂପୂର୍ଣ୍ଣ ଭାଙ୍ଗିପଡ଼ିଲେ ମାଆ କେ. ଉଷାରାଣୀ। ପୁଅର ଜୀବନ ବଞ୍ଚାଇ ପାରିନଥିବା ଉଷାରାଣୀ ତାଙ୍କୁ କିଭଳି ସବୁଦିନ ପାଇଁ ଅମର କରିବେ ଏବଂ ଅନ୍ୟ ଲୋକେ ପୁଅର ଅଙ୍ଗକୁ ଉପଯୋଗ କରି ବଞ୍ଚିପାରିବେ ସେନେଇ ତ୍ବରିତ୍‌ ନିଷ୍ପତ୍ତି ନେଇ ପୁଅର ଚକ୍ଷୁ, ହୃଦୟ ଓ ଯକୃତ ଆଦି ଅଙ୍ଗକୁ ଦାନ କରିଦେବା ପାଇଁ ନିଷ୍ପତ୍ତି ନେଇଥିଲେ।

    ଏ ସମ୍ପର୍କରେ ଉଷାରାଣୀଙ୍କ ମତ ହେଲା, ମୁଁ ଜଣେ ଡାକ୍ତରଙ୍କ ଝିଅ। ମଣିଷ ଅଙ୍ଗର ଆବଶ୍ୟକତାକୁ ମୁଁ ଠିକ୍‌ ଭାବେ ବୁଝିଛି। ଜଣେ ମଣିଷର ବିଭିନ୍ନ ଅଙ୍ଗ ୬ଜଣ ଲୋକଙ୍କୁ ନୂଆ ଜୀବନ ଦେଇପାରିବ। ତେଣୁ ପୁଅର ମୃତ୍ୟୁ ପରେ ହସ୍ପିଟାଲ୍‌ ପକ୍ଷରୁ ଆସିଥିବା ଅନୁରୋଧକୁ ରକ୍ଷା କରି ଅଙ୍ଗଦାନ ପାଇଁ ରାଜି ହୋଇ ଯାଇଥିଲେ ବୋଲି ସେ କହିଛନ୍ତି। ନରେଶଙ୍କ ମୃତ୍ୟୁକୁ ନେଇ ସାରା ପାରଳାଖେମୁଣ୍ଡି ସହର ଯେତିକି ଦୁଃଖିତ, ତାଙ୍କ ଅଙ୍ଗଦାନ ନେଇ ସେତିକି ଗର୍ବିତ। ତେଣୁ ତାଙ୍କ ଶବାଧାରରେ ସହରର ହଜାର ହଜାର ଜନତା ସାମିଲ ହୋଇ ଶେଷ ବିଦାୟ ଜଣାଇଥିଲେ। ସରକାରଙ୍କ ନିଷ୍ପତ୍ତି ଅନୁସାରେ ନରେଶଙ୍କୁ ଶେଷ ବିଦାୟ ସମୟରେ ଗଜପତି ପୁଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.4 ° C
    35.4 °
    35.4 °
    22 %
    2.9kmh
    45 %
    Tue
    37 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ