ଭୁବନେଶ୍ୱର : ସରକାରୀ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ତାଗିଦ ବିବାଦ। କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିରୋଧରେ ଅଭିଯୋଗ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଆଚରଣକୁ କେନ୍ଦ୍ର କରି ରାଜ୍ୟରେ ବିବାଦ ଦେଖାଦେଇଛି । ଢେଙ୍କାନାଳ ଜିଲ୍ଲାରେ ପିଏମ୍ ଏୱାଇ ସମୀକ୍ଷା ବେଳେ ଅନେକ ଯୋଗ୍ୟ ପରିବାରଙ୍କ ନାମ ତାଲିକାରୁ ବାଦ ପଡ଼ିଥିବା ଅଭିଯୋଗ ଆସିବା ପରେ ମନ୍ତ୍ରୀ ସମ୍ପୃକ୍ତ ବିଡିଓ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ- ପିଇଓଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ କଡ଼ା ଭାବରେ ତାଗିଦ କରିଥିଲେ । ଯୋଗ୍ୟ ହିତାଧିକାରୀଙ୍କୁ କାହିଁକି ବଞ୍ଚିତ କରାଗଲା ବୋଲି ପ୍ରଶ୍ନ କରିବା ସହ ଏଭଳି କାର୍ଯ୍ୟ ବନ୍ଦ ନହେଲେ ବଦଳି ସମେତ କଡ଼ା ପଦକ୍ଷେପ ନିଆଯିବ ବୋଲି ସତର୍କ କରିଥିଲେ । ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଡିଆରଏସ୍ ସଂଘ ପକ୍ଷରୁ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣାଯାଇଛି ।
ସଂଘର ଅଭିଯୋଗ ଅନୁସାରେ, ମନ୍ତ୍ରୀ ସରକାରୀ କର୍ମଚାରୀଙ୍କୁ ସର୍ବସମ୍ମୁଖରେ ଅପମାନିତ କରିବା ସହ ଧମକପୂର୍ଣ୍ଣ ଭାଷା ବ୍ୟବହାର କରିଥିଲେ । ଏହାକୁ ନେଇ ସେମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏପଟେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଗରିବ ଓ ପ୍ରକୃତ ଯୋଗ୍ୟ ପରିବାର ଘର ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ମିଳିବା ପରେ ସେ ଘଟଣାସ୍ଥଳକୁ ଯାଇଥିଲେ । କୌଣସି ଯୋଗ୍ୟ ବ୍ୟକ୍ତି ଯେପରି ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସେ କଡ଼ା ନିର୍ଦ୍ଦେଶ ଦେଇଥିବା । ତାଙ୍କର ଉଦ୍ଦେଶ୍ୟ କେବଳ ସ୍ୱଚ୍ଛତା ଓ ଜବାବଦେହିତା ସୁନିଶ୍ଚିତ କରିବା ବୋଲି ସ୍ପଷ୍ଟ କରିଛନ୍ତି ।
