Monday, April 6, 2026
31.8 C
Odisha

    ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀଙ୍କ ରାଉରକେଲା ଗସ୍ତ: ବିର୍ସା ମୁଣ୍ଡା ଷ୍ଟାଡିୟମରେ ବିରାଟ ଜନସଭା

    ଆଗକୁ ପଢନ୍ତୁ

    ରାଉରକେଲା: ଆସନ୍ତା ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ରାଉରକେଲା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବା ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମରେ ଆୟୋଜିତ ବିରାଟ ଜନସଭାକୁ ସମ୍ବୋଧିତ କରିବେ। ଆଜି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନଭେମ୍ବର ୧୫ରେ ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ବାହାରି ପୂର୍ବାହ୍ନ ୧୧ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ପୂର୍ବାହ୍ନ ୧୧ଟା ୧୦ରେ ଝାରସୁଗୁଡ଼ାରୁ ସ୍ବତନ୍ତ୍ର ହେଲିକପ୍‌ଟର ଯୋଗେ ବାହାରି ସାଢ଼େ ୧୧ଟାରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଞ୍ଚିବେ।

    ବିର୍ସା ମୁଣ୍ଡା ଷ୍ଟାଡିୟମରେ ବିରାଟ ଜନସଭା
    ବିଭିନ୍ନ କଲ୍ୟାଣକାରୀ ଯୋଜନାର କରିବେ ଶୁଭାରମ୍ଭ

    ପ୍ରଧାନମନ୍ତ୍ରୀ ସହିଦ୍‌ ମାଧୋ ସିଂହ ହାତଖର୍ଚ୍ଚ ବୃତ୍ତି ଯୋଜନାର ଶୁଭାରମ୍ଭ କରିବା ଅବସରରେ ପ୍ରାୟ ୧ ଲକ୍ଷ ଏସ୍‌ଟି ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଆର୍ଥିକ ସହାୟତା ପଠାଯିବ। ଏଥିସହିତ ପ୍ରଧାନମନ୍ତ୍ରୀ ଏଫ୍‌ଆର୍‌ଏ ପୋର୍ଟାଲର ଶୁଭାରମ୍ଭ କରିବେ। ୪୫୦ ଶଯ୍ୟାବିଶିଷ୍ଟ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ ସହ ୨୯ଟି ଆଶ୍ରମ ବିଦ୍ୟାଳୟର ଉନ୍ନତୀକରଣ କାର୍ଯ୍ୟର ଶୁଭାରମ୍ଭ କରିବେ। ଭୁବନେଶ୍ବରରେ ନିର୍ମାଣ ହେବାକୁ ଥିବା ଜନଜାତି ଭାଷା ଓ ସାଂସ୍କୃତିକ ପ୍ରତିଷ୍ଠାନ, ଓଡ଼ିଆ ଅସ୍ମିତା କେନ୍ଦ୍ର, ରାଜ୍ୟ ଆଦିବାସୀ ମ୍ୟୁଜିୟମ୍‌ରେ ସ୍ମରଣିକା ଦୋକାନର ଶିଳାନ୍ୟାସ କରିବେ। କଟକ ଏସ୍‌ଇବି, ସମ୍ବଲପୁର ବୁର୍ଲାର ଭିମ୍‌ସାର, ବାରିପଦାରେ ଏମ୍‌ସିଏଚ୍‌ରେ ତିନୋଟି ଉତ୍କର୍ଷ କେନ୍ଦ୍ରକୁ ଲୋକାର୍ପଣ କରିବେ। ସୁନ୍ଦରଗଡ଼ ଜିଲ୍ଲାରେ ପ୍ରସ୍ତାବିତ ବିର୍ସା ମୁଣ୍ଡାଙ୍କ ସ୍ମାରକୀ ଶିଳାନ୍ୟାସ କରିବେ। ଏଥିସହିତ ଜିଲ୍ଲାରେ ୫ ଆଦିବାସୀ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବା ସହ ୮ଜଣ ଆଦିବାସୀ ଜନଜାତିଙ୍କୁ ଭୂମି ପ୍ରମାଣପତ୍ର ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ବିରାଟ ଜନସଭାକୁ ସମ୍ବୋଧିତ କରିବେ। ଅପରାହ୍ନ ୧୨ଟା ୩୩ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ଝାରସୁଗୁଡା ଦେଇ ଦିଲ୍ଲୀ ଅଭିମୁଖେ ‌ଫେରିଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ୍‌, ରାଜ୍ୟ ଆଦିବାସୀ ଜନଜାତି ଓ ସଂଖ୍ୟାଲଘୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ରହିବେ।

    ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିଲେ। ସେହିଦିନ ସେ ନିଜ ଜନ୍ମଦିନ ଅବସରରେ ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ ସେ ଗତ ଜୁନ୍‌ରେ ମୋହନ ମାଝୀ ଓ ତାଙ୍କ କ୍ୟାବିନେଟ୍‌ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ପାଇଁ ଭୁବନେଶ୍ବର ଆସିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ