Saturday, July 27, 2024
24.8 C
Odisha

    ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଥ୍ୟା ମାମଲାରେ ଫସାଇଛି ବିଜେଡି: ଅପରାଜିତା ଷଡଙ୍ଗୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୮/୦୫: ଓଡ଼ିଶାରେ ୩ ପର୍ଯ୍ୟାୟ ନିର୍ବାଚନ ସରିଛି, ଆଗକୁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ୧ ଜୁନ୍‌ରେ ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବାକୁ ଯାଉଛି । ଓଡ଼ିଶାର ୩୦ ଜିଲ୍ଲାରେ ଗ୍ରାମାଚଂଳଠାରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ସବୁଠି ଏବେ ପରିବର୍ତନର ସ୍ୱର ଶୁଣାଯାଉଛି । ଲୋକେ କେନ୍ଦ୍ରରେ ୩ୟ ଥର ପାଇଁ ଆଦରଣୀୟ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଛନ୍ତି । ସେହିପରି ରାଜ୍ୟର ଲୋକେ ବିଜେପି ସରକାର ଚାହୁଁଛନ୍ତି । ଭାରତୀୟ ଜନତା ପାର୍ଟିର ମନ୍ତ୍ର ହେଉଛି “ସଂକଳ୍ପରୁ ସିଦ୍ଧି’’ । ଏପରି ଲାଗୁଛି ଓଡ଼ିଶାବାସୀ ସଂକଳ୍ପ ଠାରୁ ସିଦ୍ଧି ପର୍ଯ୍ୟନ୍ତ ଯେଉଁ ଯାତ୍ରା କରିବାକୁ ଯାଉଛନ୍ତି ତାହା ଖୁବ୍‌ଶୀଘ୍ର ସଫଳ ହେବ ବୋଲି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।

    ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିଗଡ଼ି ଯାଇଛି । କେଉଁ ପରିସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗ୍‌ଦ୍ଦେବଙ୍କୁ ଉଦ୍ଦେଶମୂଳକ ଭାବେ ଜେଲ ପଠାଯାଇଛି । ଏ ବିଷୟକୁ ନେଇ ଗରିବ, ଅସହାୟ ଓ ଖଟିଖିଆ ଗାଡ଼ି ଚାଳକ ବନମାଳୀ ବାବୁଙ୍କୁୁ ପୋଲିସ କିପରି ହଇରାଣ କରିଛି ତାହା ସମସ୍ତେ ଜାଣିଛନ୍ତି । ୪ ଜଣ ପୋଲିସ କର୍ମଚାରୀ ତାଙ୍କୁ ଧମକ ଦେଇଥିଲେ । ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗିଥିôବା କହିବାକୁ ସେମାନେ ବନମାଳୀଙ୍କ ଦ୍ୱାରା କୁହାଇବାକୁ ଚାହୁଁଥିଲେ । ମାତ୍ର ବନମାଳୀ ସାହାସ ଜୁଟାଇ ଏ ବଷିୟରେ ଗଣମାଧ୍ୟମ ଆଗରେ ସବୁ କହିଦେଇଥିଲେ । ବନମାଳୀଙ୍କ ଭିଡିଓ ସମସ୍ତେ ଦେଖିଥିବାବେଳେ ଅପରାଜିତା ଏକ ସିସିଟିଭିର ଏକ ଫୁଟେଜ ସାର୍ବଜନୀନ କରିଛନ୍ତି । ଉକ୍ତ ଫୁଟେଜରେ ଇଭିଏମ୍ ଭାଙ୍ଗିବା ଘଟଣାରେ ଶ୍ରୀ ଜଗଦ୍ଦେବଙ୍କ କୌଣସି ଭୂମିକା ନ ଥିବା ପ୍ରମାଣିତ ହୋଇଛିି । ଏହି ଇଭିଏମ୍ ଅନ୍ୟ ଜଣେ ବ୍ୟକ୍ତି ଭାଙ୍ଗିଥିବା ଜଣାପଡ଼ିଛି । ଆଉ ଏକ ଅଡ଼ିଓ ତାଙ୍କର ହସ୍ତଗତ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ଯେଉଁଥିôରେ ଇଭିଏମ୍ ଭାଙ୍ଗିବାରେ ଶ୍ରୀ ଜଗଦ୍ଦେବଙ୍କ କୌଣସି ଭୂମିକା ନାହିଁ ବୋଲି ଜଣେ ବିଜେଡି କର୍ମୀ କହୁଛନ୍ତି ।
    ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାର ଜଣେ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ତାଙ୍କ ନାମ ଗୋପନ ରଖି କହିଛନ୍ତି, ଏସବୁ ୩ୟ ମହଲାର ନିର୍ଦ୍ଦେଶରେ ହୋଇଛି । ଶ୍ରୀ ଜଗଦ୍ଦେବଙ୍କୁ ଫସାଇବାକୁ କେଉଁ ପ୍ରକାର ଅପଚେଷ୍ଟା କରାଯାଉଛି ସେଥିରୁ ଜଣାପଡୁଛି । ତାଙ୍କ ଲୋକପ୍ରିୟତାକୁ ଡ଼ରି ଏପରି ଷଡ଼ଯନ୍ତ୍ର କରାଯାଉଛି ବୋଲି ଅପରାଜିତା କହିଛନ୍ତି । ସିସିଟିଭି ଫୁଟେଜ ରାଜ୍ୟ ସରକାର ସାର୍ବଜନୀନ ନକରି ଜଣେ ବିଧାୟକଙ୍କୁ କିପରି ଗିରଫ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଛେଣ୍ଡିପଡ଼ା ବିଧାୟକ ସ୍ପଷ୍ଟ ଦିବାଲୋକରେ ଲୋକଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଏପରି ପାତରଅନ୍ତର କାହିଁକି କରୁଛନ୍ତି ବୋଲି ଶ୍ରୀମତି ଷଡଙ୍ଗୀ ପ୍ରଶ୍ନ କରିଛନ୍ତି ।
    ୨୦୧୯ରେ ବିଜେଡି ଘୋଷଣା ପତ୍ରରେ ଅନେକ ସଂକଳ୍ପ କରିଥିଲା, ସେଥିରୁ ୭୫ ପ୍ରତିଶତ କାମ ହୋଇ ନ ଥିବା ସମୀକ୍ଷା ପରେ ଜଣାପଡ଼ିଛି । ମୁଁ ପ୍ରତ୍ୟେକ ବର୍ଷ ମୋ ରିପୋର୍ଟ କାର୍ଡ ଦେଇଥିବାବେଳେ ୫ ବର୍ଷ ପରେ ଏକତ୍ରିତ ରିପୋର୍ଟ କାର୍ଡ ଦେଇଛି । ମାତ୍ର ନବୀନ ବାବୁ ବିଜେଡି ରିପୋର୍ଟ କାର୍ଡ କାହିଁକି ଦେଉନାହାନ୍ତି ବୋଲି ଶ୍ରୀମତି ଷଡଙ୍ଗୀ ପ୍ରଶ୍ନ ଉଠାଇଛନ୍ତି । ଅନ୍ତଜାର୍ତିକ ଶ୍ରମିକ ସଂସ୍ଥାର ୨୦୨୪ ରିପୋର୍ଟ ଅନୁସାରେ ବେକାରୀ ସମସ୍ୟାରେ ଓଡ଼ିଶା ଦେଶରେ ୧ ନମ୍ବର । ୪୨ ପ୍ରତିଶତ ଶିକ୍ଷିତ ଯୁବକଯୁବତୀ ଓଡ଼ିଶାରେ ବେରୋଜଗାର ଅଛନ୍ତି । ୨୨ଟା ରାଜ୍ୟରେ ଆଇଏଲ୍‌ଓ ତରଫରୁ ହୋଇଥିବା ସର୍ବେକ୍ଷଣରେ ଓଡ଼ିଶା ବେକାରୀ ସମସ୍ୟାରେ ୧ ନମ୍ବରରେ ରହିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ରିପୋର୍ଟ କାର୍ଡ ଦେବାକୁ ସାହାସ ଜୁଟାଇ ପାରୁନାହାନ୍ତି ।
    ଦାରିଦ୍ରରେ ଓଡ଼ିଶା ୨୯ଟା ରାଜ୍ୟରେ ତଳ ଆଡ଼ୁ ୫ ନଂ. ସ୍ଥାନରେ ଅଛି । ଏହା ଆମ ଅସ୍ମିତାର ଓ ଆତ୍ମସମ୍ମାନ ପ୍ରଶ୍ନ । ଆମେ ପାଖରେ ସବୁଥିଲେ ମଧ୍ୟ ଓଡ଼ିଶାର ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଏହାଛଡ଼ା ରାଜ୍ୟରେ ମୁଣ୍ଡପିଛା ଆୟ କମ୍ ରହିଛି । ଖଣି ବିଭାଗରେ ୫୬୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ୨୦୧୦ରେ ସାହା କମିଶନ ରିପୋର୍ଟରେ ଦର୍ଶାଇଛନ୍ତି । ଏହି ସମୟରେ ଉକ୍ତ କମିଶନ ଅନେକ ପ୍ରସ୍ତାବ ଦେଇଥିଲେ । ମାତ୍ର ରାଜ୍ୟ ସରକାର ନିଦା ବିଷ୍ଣୁ ସାଜି ଏହା ଉପରେ କୌଣସି ବିଶେଷ ପଦେକ୍ଷପ ନେଇ ନଥିଲେ । ଖଣି କ୍ଷେତ୍ରରେ ଦୁର୍ନୀତି ଦିନକୁ ଦିନ ବଢ଼ି ଚାଲିଛି । ହାଇଗେଡ୍ ଲୁହା ପଥରକୁ ଲୋ ଗ୍ରେଡ୍ କରିଦିଆଯାଉଛି । ହାଇଗେଡ୍ ମାଙ୍ଗାନିଜ୍ ପଥରକୁ ଲୋ ଗ୍ରେଡ କରିଦିଆଯାଉଛି । ଯେଉଁ ଟଙ୍କା ରାଜ୍ୟ ରାଜକୋଷକୁ ଯିବା କଥା ତାହା ନ ଆସି ବାଟମାରଣ ହେଉଛି । ଚନ୍ଦକାରେ ତାମିଲ କମ୍ପାନୀ ଜମି ଜବରଦଖଲ କରିଛନ୍ତି । ଏହି ଦୁର୍ନୀତିରେ ତାମିଲବାବୁଙ୍କ ସାଙ୍ଗମାନଙ୍କ ସଂପୃକ୍ତି ରହିଛି । ଏଭଳି ଦୁର୍ନୀତି ସବୁଠି ଦେଖିବାକୁ ମିଳୁଛି । ଏହିସବୁ ପାଇଁ କେବଳ ମୁଖ୍ୟମନ୍ତ୍ରୀ ଦାୟୀ । କାରଣ ତାଙ୍କୁ ଲୋକେ ଭୋଟ ଦେଇ ଜିତାଇଥିଲେ ।
    ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ମଧ୍ୟରୁ ପ୍ରାୟ ଅଧା ହେଲେ ମହିଳା । ପାଖାପାଖି ୨କୋଟି ୨୫ ଲକ୍ଷ ମହିଳା ଥିôବାବେଳେ ବିଜେଡି ସରକାର ସେମାନଙ୍କୁ ସଶକ୍ତ କରିବା ପାଇଁ କୌଣସି ପଦକ୍ଷେପ ନେଇନାହିଁ । ମହିଳା ସଶକ୍ତୀକରଣ ନ ହେବା ପର୍ଯ୍ୟନ୍ତ ଆମ ଦେଶ କିମ୍ବା ରାଜ୍ୟ ଆଗକୁ ବଢ଼ିପାରିବ ନାହିଁ । ଏନେଇ ମହିଳାମାନଙ୍କୁ ଆର୍ôଥକ ସଶକ୍ତୀକରଣ କରିବା ସହ ସେମାନଙ୍କ ସୁରକ୍ଷା ଓ ମର୍ଯ୍ୟଦାରକ୍ଷା ପାଇଁ ପଦକ୍ଷେପ ନେବା ଜରୁରୀ । ମହିଳାଙ୍କୁ ସୁରକ୍ଷାରେ ଦେବାରେ ବିଜେଡି ସରକାର ସମ୍ପୂର୍ଣ୍ଣ ଅସମର୍ଥ । ୨୦୨୨ ନ୍ୟାଶନାଲ କ୍ରାଇମ ବ୍ୟୁରୋ ରିପୋର୍ଟ ଅନୁସାରେ ଦେଶରେ ଯେତେ ମହିଳା ସମ୍ବନ୍ଧିତ ଅପରାଧ ହେଉଛି ସେଥିରେ ଓଡ଼ିଶା ସବୁଠାରୁ ଅଗ୍ରଣୀ ରାଜ୍ୟ ରହିଛି । ଏହି ବ୍ୟୁରୋର ରେକର୍ଡ ଅନୁସାରେ ମାନବ ଚାଲଣ କ୍ଷେତ୍ରରେ ଓଡ଼ିଶା ସବୁଠାରୁ ଆଗରେ ରହିଛି । ଏହା ମଧ୍ୟରେ ଅଧା ମହିଳା ରହିଛନ୍ତି । ଏଥରୁ ମହିଳା କେତେ ଅସୁରକ୍ଷିତ ତାହା ସ୍ପଷ୍ଟ ଜଣାପଡୁଛି ।
    ମହିଳମାନଙ୍କ ସୁରକ୍ଷା ପାଇଁ ରାଜ୍ୟର ୩୦ ଜିଲ୍ଲାରେ ୩୦ଟି ପିଙ୍କ୍ ଥାନା ଖୋଲାଯିବ । ସେଠାରେ ମହିଳମାନେ ନିଜର ଅଭିଯୋଗ କରିପାରିବେ । ଏଥିସହ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ମହିଳମାନଙ୍କ ପାଇଁ ସବୁ ଜିଲ୍ଲାରେ ‘ସରଳ ୯୯୯’ ନାମରେ ୨୪ ଘଂଟିଆ ହେଳ୍ପ ଲାଇନ ନଂମ୍ବର ଖୋଲାଯିବ । ଏହି ଯୋଜନାରେ ମହିଳାମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ “୯୯୯’’ ନମ୍ବରକୁ କଲ୍ କରିପାରିବେ । ଅନେକ ଗାଁରେ ଗର୍ଭବତୀ ମା’ମାନଙ୍କୁୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ସେବା ମିଳିପାରୁନାହିଁ । ବିଜେପି ସରକାର ଆସିଲେ ରାଜ୍ୟର ପ୍ରତି ବ୍ଲକକୁ “ସୁଗମ’’ ନାମରେ ୪ଟି ଆମ୍ବୁଲାନ୍ସ ଯୋଗାଇ ଦେବ । ଏହି ଆମ୍ବୁଲାନ୍ସ ସେବାରେ ଗର୍ଭବତୀ ମା’ମାନଙ୍କୁ ଘରୁ ନେବା ଓ ଛାଡ଼ିବା ପାଇଁ ବ୍ୟବସ୍ଥା କରାଯିବ ।
    ନିର୍ବାଚନ ପୂର୍ବରୁ ଭୋଟ୍ ପାଇଁ ବିଜେଡି ମହିଳାମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ବାଂଟିଛି । ୨୫ ତାରିଖରେ ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ମଧ୍ୟ ବିଜେଡି ଏପରି କରିଥିଲା । ଏହାସତ୍ୱେ ସବୁ ଭୋଟ ବିଜେପି ସପକ୍ଷରେ ଯାଇଛି । ତେବେ ବିଜେଡି ଯେଉଁ ୧୦୦୦ ଟଙ୍କା ଲେଖାଏଁ ବାଂଟିଛି ତାହାକୁ ହିସାବ କଲେ ୫ ବର୍ଷ ଅର୍ଥାତ ୧୮୨୬ ଦିନରେ ଜଣେ ମହିଳାଙ୍କୁ ମାତ୍ର ୫୪ ପଇସା ମିଳିଛି । ଅପରପକ୍ଷେ ଭାରତୀୟ ଜନତା ପାର୍ଟି ମହିଳାମାନଙ୍କ ପାଇଁ ‘ସୁଭଦ୍ରା’ ଯୋଜନା କରିଛି । ବିଜେପି ସରକାର କରିବା ପରେ ୧୦ ଜୁନ ପରେ ପ୍ରଥମ ରାଜ୍ୟ କ୍ୟାବିନେଟ ବୈଠକରେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ । ମହିଳାମାନଙ୍କ ଜୀବନ ସୁନ୍ଦର କରିବା ପାଇଁ ବହୁ ସଂଖ୍ୟାରେ ଲଘୁ ଓ ଅତିକ୍ଷୁଦ୍ର ଉଦ୍ୟୋଗ ଖୋଲାଯିବା ପାଇଁ ପଦକ୍ଷେପ ନିଆଯିବ । ଏସବୁ ପ୍ରତିଶ୍ରୁତି ପୂରଣ ପାଇଁ ଭାଜପା ସଂକଳ୍ପବଦ୍ଧ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ