Thursday, September 17, 2026
25.4 C
Odisha

    ଓଡ଼ିଶା ବିକଶିତ ଭାରତର ଦ୍ବାର ହେଉ: ନରେନ୍ଦ୍ର ମୋଦୀ

    ଆଗକୁ ପଢନ୍ତୁ

    ଭୁ‌ବନେଶ୍ବର/ଚଣ୍ଡିଖୋଲ: ଓଡ଼ିଶାର ସଂକଳ୍ପ କ’ଣ ତାହା ଏହି ଭିଡ଼ରୁ ଜଣାପଡୁଛି। ଏହି ସଂକଳ୍ପରୁ ଜଣାପଡୁଛି ଅବ୍‌କି ବାର୍‌ ୪୦୦ ପାର୍‌।’ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତକୁ ବିଶ୍ବର ତୃତୀୟ ବୃହତ ଆର୍ଥିକ ସମୃଦ୍ଧଶାଳୀ ରାଷ୍ଟ୍ର କରିବାର ଅଛି। ୪୦୦ ପାର ସଂକଳ୍ପ ଦେଶରେ ଏକ ମଜବୁତ ସରକାର କରିବାର ଅଛି। ଏହି ସଂକଳ୍ପ, ଚାଷୀ, ଯବାନ, ମହିଳାଶକ୍ତି, ଗରିବଙ୍କ ଜୀବନ ବଦଳାଇବା ପାଇଁ। ଏଥିରେ ପୂର୍ବ ଭାରତର ଅର୍ଥାତ ଓଡ଼ିଶାର ବଡ଼ ଭୂମିକା ରହିବ।
    ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଗତ ୧୦ ବର୍ଷ ହେଲା ବିଜେପି ସରକାର ଅଦ୍ଭୁତପୂର୍ଣ୍ଣ ନିବେଶ କରୁଛି। ଆମର ଉଦ୍ୟମ ହେଉଛି ଯେ, ଓଡ଼ିଶା ବିକଶିତ ଭାରତର ଦ୍ବାର ହେଉ। ଆତ୍ମନିର୍ଭର ଭାରତକୁ ଓଡ଼ିଶା ଶକ୍ତି ଯୋଗାଉଛି। ଗ୍ୟାସ, ସିଏନ୍‌ଜି ଆଧାରିତ ଯାତାୟତ, ଶିଳ୍ପ ଓଡ଼ିଶାରେ ପ୍ରତିଷ୍ଠା ହୋଇପାରିଛି। ଏଠାରୁ ଗ୍ୟାସ ପାଇପଲାଇନ୍‌ ମାଧ୍ୟମରେ ପୂର୍ବ ଭାରତକୁ ଯୋଡୁଛି। ଟେକ୍ସଟାଇଲ ପାର୍କ ପାଇଁ କଞ୍ଚାମାଲ ଏଠାରେ ଉତ୍ପାଦନ ହେଉଛି। ଅଧିକ ନିବେଶ ଅର୍ଥ ଚାକିରି ପାଇଁ ସର୍ବାଧିକ ଅବସର ହୋଇଛି। ବିକାଶ କାର୍ଯ୍ୟ ଯୁବକଯୁବତୀଙ୍କ ଭାଗ୍ୟ ବଦଳାଇବ।

    ଜନସଭାରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଥିଲେ, ୨୦୧୪ ପୂର୍ବରୁ କଂଗ୍ରେସ କେବଳ ନିଜ ସିନ୍ଦୁକ ଭରୁଥିଲା। ନିଜ ଦଳ ଓ ନିଜ ପରିବାରର ସମୃଦ୍ଧି କରୁଥିଲା। ଆଜି ବିକାଶ ପାଇଁ ଯେଉଁ ବଡ଼ କାମ ହେଉଛି, ପୂର୍ବରୁ ମଧ୍ୟ ହୋଇପାରିଥାନ୍ତା। କିନ୍ତୁ ଏହା ପୂର୍ବରୁ କଂଗ୍ରେସ ଓ ଏହାର ସାଥୀଦଳଗୁଡ଼ିକ ଦେଶକୁ ଲୁଟିବାରେ ବ୍ୟସ୍ତ ଥିଲେ। କଂଗ୍ରେସ ସରକାର କୋଇଲା ଲୁଟିଥିଲେ। ଗରିବଙ୍କୁ ଖାଦ୍ୟ ଦେବା ପାଇଁ କେମିତି ଚିନ୍ତା କରିଥାନ୍ତେ? ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଗ୍ୟାରେଣ୍ଟି ଆଣ, ଚାଷୀ ଋଣ ପାଇଁ ଗ୍ୟାରେଣ୍ଟି ଆଣ ବୋଲି କଂଗ୍ରେସ କହୁଥିଲା। କଂଗ୍ରେସ ସରକାରରେ ୟୁରିଆ ଦୁର୍ନୀତି ହୋଇଥିଲା। ସେହି ସରକାର ଚାଷୀଙ୍କ ଚିନ୍ତା କେମିତି କରିଥାନ୍ତା? ଚାଷୀଙ୍କୁ ଶସ୍ତାରେ ୟୁରିଆ ମିଳିପାରୁ ନଥିଲା। କଂଗ୍ରେସ ନିଜ ପରିବାର ପାଇଁ କାମ କରୁଥିଲା। ନିଜ ପୁଅ, ନାତି, ଅଣନାତି ପାଇଁ କାମ କରୁଥିଲା। କିନ୍ତୁ ମୋଦୀ ଦେଶ ପାଇଁ କାମ କରୁଛି। ଦେଶର ଭବିଷ୍ୟତ ପିଢ଼ି ପାଇଁ କାମ କରୁଛି। ଇଣ୍ଡି ମେଣ୍ଟର ଲକ୍ଷ୍ୟ ହେଲା ମୋଦୀ ସରକାରକୁ ହଟାଇବା। କିନ୍ତୁ ଭାରତକୁ ବିଶ୍ବର ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର କରିବାର ଲକ୍ଷ୍ୟ ରଖିଛି ମୋଦୀ ସରକାର। ଏଥି ପାଇଁ ମୁଁ ସବୁବେଳେ କହୁଛି, ମେରା ଭାରତ ମେରା ପରିବାର ଅର୍ଥାତ ମୋର ଭାରତ ହେଉଛି ମୋର ପରିବାର।
    ଗରିବର ପୁଅ ହେଉଛି ନରେନ୍ଦ୍ର ମୋଦୀ। ଗରିବଙ୍କ ସବୁଠାରୁ ବଡ଼ ଗ୍ୟାରେଣ୍ଟି ମୋଦୀ ହେବ। ଓଡ଼ିଶାରେ ଅନେକ ଅନୁସୂଚିତ ଜନଜାତି ଅଛନ୍ତି, ଯାହାଙ୍କୁ ମୋଦୀ ପିଏମ୍‌ ଜନମନ ଯୋଜନା ମାଧ୍ୟମରେ ରୋଜଗାର ଦେଇଛି। ଏକଦା ଗରିବଙ୍କ ପାଇଁ ଯାହ ସ୍ବପ୍ନ ଥିଲା, ଏବେ ତାହା ଅଧିକାର ହୋଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

    ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆପଣଙ୍କର ଉତ୍ସାହ ମୋତେ କାମ କରିବାକୁ ଅଧିକ ବଳ ଯୋଗାଇବ। ଓଡ଼ିଶା ଭଗବାନ ସୂର୍ଯ୍ୟଦେବଙ୍କ ଭୂମି। ସୂର୍ଯ୍ୟଦେବଙ୍କ ପ୍ରେରଣାରେ ମୋଦୀ ଏକ ଗ୍ୟାରେଣ୍ଟି ଦେଉଛି। ମାଗଣାରେ ବିଦ୍ୟୁତ‌ ଦେବା ପାଇଁ ଯୋଜନା ଆରମ୍ଭ କରିଛି। ବିଜେପି ସରକାର ପିଏମ୍‌ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ଆରମ୍ଭ କରିଛି। ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ୩୦୦ ୟୁନିଟ୍‌ ଉତ୍ପାଦନ କରିପାରିବେ। ଚାଷୀମାନେ ଚାଷଜମିରେ ସୋଲାର ପ୍ୟାନେଲ ମାଧ୍ୟମରେ ବିଦ୍ୟୁତ୍‌ ଉତ୍ପାଦନ କରିପାରିବେ। ଭଗବାନଙ୍କ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବିନା କୌଣସି ମନୁଷ୍ୟକୁ ଆଗକୁ ବଢ଼ିବାରେ ସୁଯୋଗ ମିଳିପାରିବ ନାହିଁ। ମାଗଣାରେ ରାସନରେ ମିଳୁଛି କି ନାହିଁ ସମାରୋହରେ ଉପସ୍ଥିତ ଥିବା ଦର୍ଶକଙ୍କୁ ପଚାରିଥିଲେ। ଗରିବଙ୍କୁ ରାସନ ଆଗାମୀ ୫ ବର୍ଷ ଯାଏଁ ମିଳିବ। ପ୍ରତି ଘରକୁ ପାଣି ପହଞ୍ଚାଇବା ପାଇଁ ଆମେ କାମ କରୁଛୁ। ଦେଶରେ ମହିଳା ସଶକ୍ତୀକରଣ ପାଇଁ ଗୁରୁତ୍ବ ଦିଆଯାଉଛି।

    ଓଡ଼ିଆରେ ଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ବିଜୁବାବୁଙ୍କ ଆଜି ଜୟନ୍ତୀ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଆଜି ଓଡ଼ିଶା ମାଟିରେ ସୁଯୋଗ ମିଳିଛି। ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ବେଶ୍ବର ଟୁଡୁ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    85 %
    1.2kmh
    87 %
    Thu
    25 °
    Fri
    31 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ