Sunday, March 29, 2026
39.2 C
Odisha

    ପୂର୍ବର ଅନେକ ବ୍ୟବସ୍ଥା ବାଟବଣା; ନୂଆ ଦର୍ଶନ ବ୍ୟବସ୍ଥାର ଆୟୁଷ କେତେ?

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଏବଂ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ଲାଗି ପୂର୍ବରୁ ଅନେକ ନିଷ୍ପତ୍ତି ହୋଇଛି । ଏକାଧିକ କଟକଣା ବି ଜାରି କରାଯାଇଛି । ପରବର୍ତ୍ତୀ ସମୟରେ ଏ ସବୁ ନିଷ୍ପତ୍ତି, କଟକଣା କେତେଦୂର କାର୍ଯ୍ୟକାରୀ ହେଉଛି ତାହାକୁ ଗୁରୁତ୍ୱ ଦିଆ ଯାଇନାହିଁ । ଫଳରେ ନିୟମ, ନିଷ୍ପତ୍ତି କଟକଣା ଏକପ୍ରକାର ଧୂଆଁବାଣ ପାଲଟିଥିବା ବେଳେ ଏବେ ପୁଣି ନୂଆ ବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଗତବର୍ଷ ମଧ୍ୟ ନୂଆ ବର୍ଷରୁ ଏକାଧିକ ନୂଆ କଟକଣା ଓ ବ୍ୟବସ୍ଥା ଲାଗୁ କରାଯାଇଥିଲା । ସେହିସବୁ କଟକଣା ଏବେ ପ୍ରାୟ ଆଉ ନାହିଁ । ଆସନ୍ତା ନୂଆ ବର୍ଷରୁ ଯେଉଁ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ ତା’ର ଆୟୁଷ କେତେ ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଶ୍ରୀମନ୍ଦିରରେ ଦର୍ଶନ ବିଶୃଙ୍ଖଳା ବଢିଛି । ଚାରିଦ୍ୱାରରେ ପ୍ରବେଶ ଅନୁମତି ମିଳିଥିବା ବେଳେ ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ଭକ୍ତ ଆସୁଛନ୍ତି । ହେଲେ ସାତପାହାଚ ସେହି ଗୋଟିଏ ଦ୍ୱାରରେ ହିଁ ଭିତରକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ଛୁଟିଦିନ ଏବଂ ବିଶେଷ ପର୍ବପର୍ବାଣି ଦିନମାନଙ୍କରେ ଭିଡ଼ ଅସମ୍ଭାଳ ହୋଇପଡୁଛି । ବରିଷ୍ଠ ନାଗରିକ ଏବଂ ମହିଳାମାନେ ଅଧିକ ହନ୍ତସନ୍ତ ହୋଇପଡୁଛନ୍ତି । ଦିନେ ଦିନେ ଭିଡ଼ ଏମିତି ହେଉଛି ଅନେକ ଭକ୍ତ ଅଣଃନିଶ୍ୱାସୀ ଏବଂ ଅଚେତ ହୋଇପଡୁଛନ୍ତି । ତେଣୁ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ଲାଗି ପରିଚାଳନା କମିଟି, ଛତିଶା ନିଯୋଗ ବୈଠକରେ ଏକାଧିକଥର ଆଲୋଚନା ହୋଇଛି । ବହୁ ପ୍ରସ୍ତାବ ଏବଂ ନିର୍ଯ୍ୟାସ ବାହାରିଛି । ତଥାପି କୌଣସିରେ ସଫଳତା ମିଳିପାରି ନାହିଁ । ଏବେ ଏହାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପୁଣି ଏକ ଯୋଜନା କରାଯାଇଛି । ଆସନ୍ତା ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯୋଜନା ରହିଛି ।
    ତେବେ ଶ୍ରୀମନ୍ଦିରରରେ ଶୃଙ୍ଖଳା, ସଂସ୍କାର ଏବଂ ପରସ୍କାର ପରିଚ୍ଛନ୍ନତା ଲାଗି ପୂର୍ବରୁ ଏକାଧିକ ନିଷ୍ପତ୍ତି ହୋଇଛି । ହେଲେ କିଛିଦିନ ପରେ ଏ ସବୁ ଏକପ୍ରକାର ବାଟବଣା ହୋଇଯାଇଛି । ଠିକ୍ ବର୍ଷକ ତଳେ ଅର୍ଥାତ୍ ୨୦୨୪ ନୂଆବର୍ଷରୁ ବଡ଼ଦେଉଳରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । କୁହାଯାଇଥିଲା ଆସନ୍ତା ନୂଆବର୍ଷରୁ ଭକ୍ତମାନଙ୍କୁ ନୂଆ ଅନୁଭୂତି ମିଳିବ । ଜାନୁୟାରୀ ପହିଲାରୁ ପାନ, ଗୁଟୁଖା କଟକଣାକୁ କଡ଼ାକଡ଼ି କରାଯିବ । ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିବେ ଶ୍ରଦ୍ଧାଳୁ । ହେଲେ ବର୍ଷଟିଏ ବି ପୂରିନାହିଁ । ଏହି କଟକଣା ବାଟବଣା ହୋଇଛି। ଯଦିଓ ଭକ୍ତମାନେ କେତେକାଂଶରେ ଶାଳୀନତା ପୋଷାକକୁ ମାନିଛନ୍ତି ତଥାପି ମଝିରେ ମଝିରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। କିନ୍ତୁ ପାନ, ଗୁଟୁଖା କଟକଣା ଏକପ୍ରକାର ପ୍ରହସନ ପାଲଟିଛି। ଏବେ ବି କିଛି ସେବାୟତ ଏବଂ ମନ୍ଦିର ପରିସରରେ କାମ କରୁଥିବା କର୍ମଚାରୀ ପାନ, ଗୁଟୁଖା ଖାଇ ଯାଉଛନ୍ତି । ସେହିପରି ପୂର୍ବରୁ ସେବାୟତଙ୍କ ଡ୍ରେସକୋଡ୍‌, ଚାଙ୍ଗୁଡ଼ିରେ ଭୋଗ ଓ ଫୁଲ ନେଇ ଯିବା, ସେବାୟତ ହୁଅନ୍ତୁ ବା ଭକ୍ତ କେହି ମୋବାଇଲ ଫୋନ ନେଇ ମନ୍ଦିରକୁ ଯିବେ ନାହିଁ ବୋଲି କଟକଣା ଲଗାଯାଇଥିଲା । ଏଥିରୁ ପ୍ରାୟ କୌଣସି ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ । ତେଣୁ ଆସନ୍ତା ନୂଆବର୍ଷରୁ ଯେଉଁ ନୂଆ ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବା ଲାଗି ପ୍ରସ୍ତାବ ରହିଛି ତାହାର ଆୟୁଷ କେତେ ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି । ସୂଚନାଥାଉ କି, ଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା ଚୂଡ଼ାନ୍ତ ବୋଲି ସ୍ପଷ୍ଟ କରାଯାଇ ନାହିଁ । ପ୍ରସ୍ତାବିତ ଡିଜାଇନରେ ବି କୌଣସି ପରିବର୍ତ୍ତନ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.2 ° C
    39.2 °
    39.2 °
    13 %
    4.1kmh
    4 %
    Sun
    40 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ