Wednesday, February 18, 2026
16.2 C
Odisha

    ବିଦେଶରେ ଶୁଭିଲା ଜଗା ନାମ, ଆମେରିକାର କକ୍ସଭିଲ୍ଲେ ସହରରେ ରଥଯାତ୍ରା ପାଳିତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ବେତନଟୀ ସଦର: ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହେଲା ଆମେରିକାର ଓ୍ୱାସିଂଟନ ଡିସି। ରଥଯାତ୍ରା ଯୋଗ ସଂସ୍ଥାନ ଦ୍ୱାରା ମେରୀଲାଣ୍ଡ ରାଜ୍ୟର କକ୍ସଭିଲ୍ଲେ ସହରସ୍ଥିତ ଜେଟିନ୍‍ଏ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବଡ ଧୁମଧାମର ସହ ରଥଯାତ୍ରା ପାଳିଲେ ପ୍ରବାସୀ ଓଡ଼ିଆ। ସ୍ଥାନୀୟ ଆମେରିକୀୟ ଭକ୍ତମାନେ ମଧ୍ୟ ରଥଯାତ୍ରାରେ ସାମିଲ ହୋଇଥିଲେ। ରଥଯାତ୍ରା ପୂର୍ବରୁ ସନାତମ ମନ୍ଦିରରେ ସ୍ନାନଯାତ୍ରା ଓ ନେତ୍ରୋତ୍ସୋବର ମଧ୍ୟ ଆୟୋଜନ କରାଯାଇଥିଲା।
    ବିଦେଶରେ ଶୁଭିଲା ଜଗା ନାମ। ଦେଶ ହେଉ କି ବିଦେଶ ଯେଉଁଠି ରହିଲେ ବି ଭକ୍ତପ୍ରାଣରେ ସର୍ବଦା ବିଦ୍ୟମାନ କାଳିଆ ଠାକୁର, ଯେଉଁଠି ଓଡ଼ିଆ, ସେଇଠି ଜଗନ୍ନାଥ ଓ ରଥଯାତ୍ରା। ଓଡ଼ିଆଙ୍କ ପ୍ରାଣ ଓ ପରିଚୟ ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ସେଥିଲାଗି ଗତ ରବିବାର ସୁଦୂର ଆମେରିକାରେ ଗଡ଼ିଛି କାଳିଆ ରଥ। ୩ଟି ରଥ ପରିବର୍ତ୍ତେ ଗୋଟିଏ ରଥର ବିଜେ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି। ଆମେରିକାର ମେରିଲାଣ୍ଡ ରାଜ୍ୟର କକ୍ସଭିଲ୍ଲେ ସହର ସ୍ଥିତ ସ୍ଥାନୀୟ ସନାତନ ମନ୍ଦିରରେ ଧୁମଧାମର ସହିତ ରଥଯାତ୍ରା ପାଳିଛନ୍ତି ପ୍ରବାସୀ ଓଡ଼ିଆ।
    ଗତ ୨୦ ବର୍ଷ ଧରି କକ୍ସଭିଲ୍ଲେ ସହରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ରଥଯାତ୍ରା ପାଳନ କରୁଥିବା ବେଳେ ଚଳିତ ବର୍ଷ ନୂତନ ରଥ ନିର୍ମାଣ କରାଯାଇଥିଲା। ଜେଟିନ୍‍ଏ ଜଗନ୍ନାଥ ମନ୍ଦିରର ସ୍ୱେଚ୍ଛାସେବୀ ମାନେ ଶରୀର, ମନ ଓ ଅର୍ଥ, ସମସ୍ତ ସମ୍ୱଳ ପ୍ରଦାନ କରି ଏବର୍ଷର ରଥଯାତ୍ରାକୁ ଏକ ସ୍ୱତନ୍ତ୍ର ରୂପ ଦେଇଥିଲେ। ମୁଖ୍ୟତଃ ନରେଶ ଦାସ ଓ ତାଙ୍କ ସ୍ତ୍ରୀ ବିଜ୍ଞାନୀ ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି ରଥଯାତ୍ରାରେ ଏଠାରେ ରହୁଥିବା ପାଖାପାଖି ୧୦୦ ଓଡ଼ିଆ ପରିବାରର ୪୫୦ ଓଡ଼ିଆ ଯୋଗ ଦେଇଥିଲେ। ରଥ ସାଜସଜା ଓ ମନ୍ଦିର ସାଜସଜାରେ ସବୁଠି ଯେମିତି ନୂଆ କେଉଁ ଫୁଲ ଫୁଟିଯିବାର ସୈାନ୍ଦର୍ଯ୍ୟ ଝଟକୁଥିଲା। ରଥ ସଜାଇବା ପାଇଁ ସ୍ୱେଚ୍ଛାସେବୀ କଳାକାର ମାନେ ଦୁଇ ସପ୍ତାହ ପୂର୍ବରୁ ମନଧ୍ୟାନ ଦେଇ ଆୟୋଜନରେ ଲାଗିଯାଇଥିଲେ। ଠାକୁରଙ୍କ ପୂଜା, ଆରତୀ, ସମସ୍ତ କାର୍ଯ୍ୟକ୍ରମ ମନ୍ଦିରର ପୂଜକଙ୍କ ଦ୍ୱାରା ଦିନ ୧୦ଟାରୁ ଆରମ୍ଭ ହୋଇଥିଲା ଓ ତାପରେ ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥିଲା। ଦିନ ସାଢେ ଏଗାରଟା ବେଳକୁ ରଥଟଣା ଆଋମ୍ଭ ହୋଇଥିଲା। ଏଥିରେ ପ୍ରାୟ ତିନିଶହ ଭକ୍ତ ଯୋଗଦାନ କରିଥିଲେ। ରଥଟଣା ସମୟରେ ପିଲା ଓ ବଡମାନଙ୍କ ଦ୍ୱାରା ନୃତ୍ୟ ପଦର୍ଶିତ ହୋଇଥିଲା। ଶଙ୍ଖ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ମନ୍ଦିର ପ୍ରାଙ୍ଗଣ ପ୍ରକଂପିତ ହେଉଥିଲା।

    ରଥଟଣା ପରେ ସମସ୍ତେ ମହାପ୍ରସାଦ ସେବନ କରିଥିଲେ। ଏ ମହାପ୍ରସାଦ ଆମ ପୁରୀ ଜଗନ୍ନାଥଙ୍କ ମହାପ୍ରସାଦ ଭଳି ମହକୁଥିଲା। ମନ୍ଦିରର ସ୍ୱେଚ୍ଛାସେବୀମାନେ ଏ ମହାପ୍ରସାଦ ପ୍ରସ୍ତୁତ କରିଥିଲେ। ମନ୍ଦିର ଭିତରେ ଅପରାହ୍ନ ତିନିଟାରୁ ୫ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଓଡିଶାର ନୃତ୍ୟ ଓ ଜଗନ୍ନାଥଙ୍କ ଭଜନ ପରିବେଷିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ସେଚ୍ଛାସେବୀ ଭାବେ କାମ କରିଥିବା ପିଲାମାନଙ୍କୁ ସାର୍ଟିଫିକେଟ୍‍ ପ୍ରଦାନ କରାଯାଇଥିଲା। ଏହି ଦିନଟି ସମସ୍ତେ ଅତି ଆନନ୍ଦ ସହକାରେ ନିଜନିଜ ଭକ୍ତିରେ, ଭାବନାରେ ଓ ବନ୍ଧୁ ଗହଣରେ ବିତାଇଥିଲେ। କିଏ ଘାସ ଉପରେ ବିଛଣା ଚାଦରଟିଏ ବିଛେଇ ଦେଇ ମହାପ୍ରସାଦ ପାଉଥିଲା ତ, କିଏ ସାଙ୍ଗମାନଙ୍କୁ ନେଇ ରଥ ଆଗରେ ଫଟୋ ଉଠାଉଥିଲା। ସର୍ବୋପରି ସମସ୍ତଙ୍କ ପାଇଁ ଏକ ଖୁସିର ଦିନ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.2 ° C
    16.2 °
    16.2 °
    73 %
    1.7kmh
    0 %
    Wed
    33 °
    Thu
    34 °
    Fri
    36 °
    Sat
    37 °
    Sun
    35 °

    ସମ୍ବନ୍ଧିତ