Wednesday, June 17, 2026
26.2 C
Odisha

    ସମ୍ବିଧାନର ମୂଲ୍ୟବୋଧ ପ୍ରତି ସଚେତନ ରହି ମୌଳିକ କର୍ତ୍ତବ୍ୟପାଳନ କରିବା ଆବଶ୍ୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ସମ୍ବିଧାନ ହେଉଛି ଆମ ସ୍ଵାଧୀନ ଭାରତର ପୁଣ୍ୟ ଗ୍ରନ୍ଥ। ଦେଶର ମାର୍ଗ ଦର୍ଶକ। ଦେଶର ସବୁ ଆଇନ, କାନୁନ୍, ବିଧି ବ୍ୟବସ୍ଥାର ମୁଖ୍ୟ ସ୍ରୋତ। ସମ୍ବିଧାନର ମୂଲ୍ୟବୋଧ ପ୍ରତି ସଚେତନ ରହି ସବୁ ନାଗରିକ ନିଜ ନିଜର ମୌଳିକ କର୍ତ୍ତବ୍ୟ ପାଳନ କରିବା ଆବଶ୍ୟକ। ଆଜି ସମ୍ବିଧାନ ଦିବସ ପାଳନ  ଅବସରରେ ସ୍ଥାନୀୟ ଏଜି ଛକ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ସମ୍ବିଧାନ ଆମ ପାଇଁ ଏକ ଆଶୀର୍ବାଦ। ଏହା ଜାତି-ଧର୍ମ, ଧନୀ – ଗରିବ, ପୁରୁଷ – ନାରୀ  ନିର୍ବିଶେଷରେ ସମସ୍ତଙ୍କୁ ସମ୍ମାନ ଅଧିକାର ଦେଇଛି।ତେଣୁ ଆମେ ଆମର ସମ୍ବିଧାନ ନିର୍ମାତାମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଉଚିତ।ସମ୍ବିଧାନ ଆମ ଦେଶର ଏକତା ଓ ଅଖଣ୍ଡତାର ମୂଳ ସ୍ରୋତ। ସେଥିପାଇଁ ଆମ ସମସ୍ତଙ୍କୁ ସମ୍ବିଧାନରେ ଥିବା  ମୌଳିକ କର୍ତ୍ତବ୍ୟ ଗୁଡ଼ିକୁ ପାଳନ କରିବା ଆବଶ୍ୟକ। ଦେଶର ସାର୍ବଭୌମତ୍ୱ, ଏକତା ଓ ସଂହତି ପ୍ରତି ଆମେ ପ୍ରତି ମୁହୂର୍ତ୍ତରେ ସଚେତନ ରହିବା ଆବଶ୍ୟକ। ଆମ ଜାତୀୟ ପତାକା ଓ ଜାତୀୟ ସଙ୍ଗୀତକୁ ମଧ୍ୟ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ। ଦେଶର ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ଦାୟିତ୍ବବାନ ହୋଇ କାମ କରିବା ଆବଶ୍ୟକ।

    ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ  ସମ୍ବିଧାନ ସଭାର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ,  ସମ୍ବିଧାନ ଚିଠା ପ୍ରସ୍ତୁତକାରୀ  କମିଟିର ଅଧ୍ୟକ୍ଷ ଡକ୍ଟର ବାବା ସାହେବ୍ ଆମ୍ବେଦକର ଓ କମିଟିର ସମସ୍ତ ସଦସ୍ୟମାନଙ୍କୁ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
    ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ଉପସ୍ଥିତ ସଦସ୍ୟଗଣ ପ୍ରଥମେ ସମ୍ବିଧାନ  ଚିଠା ପ୍ରସ୍ତୁତ କମିଟିର ଅଧ୍ୟକ୍ଷ ଡକ୍ଟର ବାବା ସାହେବ ଭୀମ ରାଓ ଅମ୍ୱେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ଜନ ସାଧାରଣଙ୍କୁ ସମ୍ବିଧାନର ମୁଖବନ୍ଧକୁ ପାଠ କରାଇଥିଲେ।ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ  ଏଜି ଛକ ଠାରୁ କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ପ୍ରାୟ ଏକ ହଜାରରୁ ଅଧିକ ଲୋକ ଏକ ପଦଯାତ୍ରାରେ ଯାଇଥିଲେ। ପଦ ଯାତ୍ରାରେ ‘ ଆମ ସମ୍ବିଧାନ ଆମ ସ୍ବାଭିମାନ ‘ ଧ୍ଵନି ଦେଇ ସମସ୍ତେ ଉତ୍ସାହର ସହ ପଦ ଯାତ୍ରାରେ ଯାଇଥିଲେ। କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଗଣ  ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

    ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଯୋଗ ଦେଇଥିଲେ।

    କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା, ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ, ନେହେରୁ ଯୁବ କେନ୍ଦ୍ରର ସ୍ଵେଚ୍ଛାସେବୀ, କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନେ ପଥପ୍ରାନ୍ତ ନାଟକ ଓ ଅନ୍ୟାନ୍ୟ ସଚେତନତା ଧର୍ମୀ କାର୍ଯ୍ୟକ୍ରମ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.2 ° C
    26.2 °
    26.2 °
    77 %
    2kmh
    79 %
    Wed
    27 °
    Thu
    38 °
    Fri
    38 °
    Sat
    35 °
    Sun
    37 °

    ସମ୍ବନ୍ଧିତ