Monday, October 19, 2026
21.9 C
Odisha

    ଭେଜାଲ୍ ଔଷଧ ପ୍ରତି ଫାର୍ମାସିଷ୍ଟମାନେ ବିଶେଷ ଧ୍ୟାନ ଦିଅନ୍ତୁ: ସୋଆ ଉପସଭାପତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୨୫/୦୯: ବର୍ତମାନ ସବୁ କ୍ଷେତ୍ରରେ ଅପମିଶ୍ରଣ ଅଥବା ଭେଜାଲ କାରବାର ପରିଲକ୍ଷିତ ହେଉଛି। କିନ୍ତୁ ଜୀବନ ରକ୍ଷାକାରୀ ଔଷଧରେ ଅପମିଶ୍ରଣ ହେଲେ ଏହା ମାନବ ଜାତି ପ୍ରତି ବିଶ୍ୱାସଘାତକତା ହେବ। ତେଣୁ ଫାର୍ମାସିଷ୍ଟମାନେ ଏଥି ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ।

    ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫାର୍ମାସୀ ବିଭାଗ ପକ୍ଷରୁ ବୁଧବାର ଆୟୋଜିତ ବିଶ୍ୱ ଫାର୍ମାସିଷ୍ଟସ ଦିବସ ‘ଏଲିକ୍‌ଜର -୨୦୨୪’ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଥିଲେ ଯେ କରୋନା ପରି ମହାମାରୀ ହୁଏତ ଆଗାମୀ ଭବିଷ୍ୟତରେ ମଧ୍ୟ ବିଶ୍ୱ ସାମ୍ନା କରିପାରେ। ତେଣୁ ଏପରି ବିପତିରୁ ସମାଜକୁ ଉଦ୍ଧାର କରିବା ପାଇଁ ଫାର୍ମାସିଷ୍ଟମାନେ ସଂକଳ୍ପବଦ୍ଧ ହେବା ସହ ଏଭଳି ଔଷଧ ଆବିଷ୍କାର କରିବା ଦରକାର ଯାହାର ଗୁଣବତାରେ କୌଣସି ସନ୍ଦେହ ନଥିବ ଏବଂ ଏହାର କୌଣସି ପାଶ୍ୱର୍ପ୍ରତିକ୍ରିୟା ମଧ୍ୟ ରହିବ ନାହିଁ ବୋଲି ଶ୍ରୀମତି ଦାସ ଫାର୍ମାସିଷ୍ଟମାନଙ୍କୁ ନିବେଦନ କରିଛନ୍ତି। ଏଥି ନିମନ୍ତେ ଫାର୍ମାସିଷ୍ଟମାନେ ସର୍ବଦା ଜିଜ୍ଞାସୁ ହେବା ଆବଶ୍ୟକ ଯାହା ଫଳରେ ଭେଷଜ ବିଜ୍ଞାନରେ ନୂତନ ଦିଗ ଉନ୍ମୋଚିତ ହୋଇପାରିବ। ଏହା ଦ୍ୱାରା ମାନବଜାତିର ମଙ୍ଗଳ ହେବ। ତେଣୁ ଏହି ଦିଗ ପ୍ରତି ଫାର୍ମାସିଷ୍ଟମାନେ ସଜାଗ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟ ବଳରେ ସମଗ୍ର ମାନବସମାଜ ଫାର୍ମାସିଷ୍ଟମାନଙ୍କ ପାଖରେ ସଦା କୃତଜ୍ଞ ହୋଇ ରହିବ ବୋଲି ସେ କହିଛନ୍ତି।

    ଚଳିତ ବର୍ଷର ପ୍ରସଙ୍ଗ “ଫାର୍ମାସିଷ୍ଟ: ମିଟିଙ୍ଗ ଗ୍ଲୋବାଲ ହେଲ୍‌ଥ ନିଡ୍ସ”କୁ ଉଲ୍ଲେଖ କରି ଶ୍ରୀମତି ଦାସ କହିଥିଲେ ଯେ ଏହାର ଉଦ୍ଦେଶ୍ୟ ହେଉଛି ଫାର୍ମାସିଷ୍ଟମାନଙ୍କ ଦ୍ୱାରା କିପରି ସାରା ବିଶ୍ୱରେ ଥିବା ସ୍ୱାସ୍ଥ୍ୟ କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିହେବ। ବିଗତ ବର୍ଷରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫାର୍ମାସିଷ୍ଟମାନେ ନିଷ୍ଠାର ସହ ସେବା କରିଥିବାରୁ ଏହି ଅବସରରେ ସୋଆ ଉପସଭାପତି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

    କାର୍ଯ୍ୟକ୍ରମରେ ଫାର୍ମାସୀ ବିଭାଗର ମୁଖ୍ୟ ଡକ୍ଟର ଯସ୍ମୀନ୍ ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିବା ଅବସରରେ ବିଶ୍ୱ ଫାର୍ମାସୀ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ।

    କାର୍ଯ୍ୟକ୍ରମରେ ଓଡ଼ିଶାର ଡ୍ରଗ୍ସ କଂଟ୍ରୋଲର ଶ୍ରୀମତି ମାମିନା ପଟ୍ଟନାୟକ ବକ୍ତା ଭାବେ ଯୋଗ ଦେଇ କରୋନା ମହାମାରୀ ସମୟରେ ଫାର୍ମାସିଷ୍ଟମାନେ ଡାକ୍ତର ଏବଂ ରୋଗୀଙ୍କ ମଧ୍ୟରେ ଏକ ସେତୁ ପରି କାର୍ଯ୍ୟ ତୁଲାଇଥିଲେ ବୋଲି କହିଥିଲେ। ଫାର୍ମାସିଷ୍ଟମାନେ ସମାଜରେ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ତୁଲାଉଥିବା ବେଳେ ଆମ ସମାଜ ସେମାନଙ୍କୁ ସେତିକି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥଲେ।

    ଏହି ଅବସରରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୨, ଫୁଲନଖରାର ଡିନ୍ ପ୍ରଫେସର ଅରକ୍ଷିତ ସ୍ୱାଇଁ, ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏବଂ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୨, ଫୁଲନଖରାର ମେଡିକାଲ୍ ସୁପିରଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।

    ପ୍ରଫେସର ମିଶ୍ର ହସ୍ପିଟାଲ୍‌ର ଆଇସିୟୁ, ଓଟି ଏବଂ ସବୁ ସ୍ଥାନରେ ଫାର୍ମାସିଷ୍ଟମାନଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ। ସେହିପରି ନିଜ ବକ୍ତବ୍ୟରେ ପ୍ରଫେସର ସ୍ୱାଇଁ କହିଥିଲେ ଯେ ହସ୍ପିଟାଲ୍‌ରେ ଫାର୍ମାସିଷ୍ଟ, ପାରାମେଡିକ୍ସ ଏବଂ ଡାକ୍ତର ମିଶିି ଗୋଟିଏ ଟିମ୍ ଭାବେ କାର୍ଯ୍ୟ କରିଥାନ୍ତି। ଔଷଧ ରୋଗୀକୁ ସୁସ୍ଥ କରିଥାଏ ମାତ୍ର ଫାର୍ମାସିଷ୍ଟମାନେ ରୋଗୀର ଯତ୍ନ ନେଇଥାନ୍ତି। ତେଣୁ ସମସ୍ତେ ଗୋଟିଏ ଟିମ୍ ଭାବେ କାର୍ଯ୍ୟ କରିବା ଉଚିତ୍ ବୋଲି ପ୍ରଫେସର ସ୍ୱାଇଁ କହିଥିଲେ।

    ପ୍ରଫେସର ସାମନ୍ତସିଂହାର ଫାର୍ମାସିଷ୍ଟମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସେମାନେ ନିଜ ନିଜ ଭିତରେ ସହଯୋଗ ରଖି କାର୍ଯ୍ୟ କରିବା ସହ ଔଷଧ ପ୍ରଦାନରେ ଯେଭଳି କୌଣସି ଭୁଲ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌। ସେହିପରି ପ୍ରଫେସର ଲେଙ୍କା ନିଜ ବକ୍ତବ୍ୟରେ ଫାର୍ମାସିଷ୍ଟମାନେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରନ୍ତୁ ବୋଲି କହିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଫାର୍ମାସିଷ୍ଟମାନଙ୍କୁ ଏବଂ ଏହି ବିଭାଗ ସହିତ ଜଡ଼ିତ ବିଭିନ୍ନ କର୍ମଚାରୀମାନଙ୍କୁ ସୋଆ ଉପସଭାପତି ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଡକ୍ଟର ଯସ୍ମୀନ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ