Monday, September 21, 2026
24.5 C
Odisha

    ଓଡ଼ିଶାରେ ବିଜେପି ସରକାର ଆସିଲେ ଲୋକଙ୍କୁ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟ ଯିବାକୁ ପଡ଼ିବ ନାହିଁ: ଶାହ

    ଆଗକୁ ପଢନ୍ତୁ

    ସୋନପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ନିର୍ବାଚନ ବିଗୁଲ୍‌ ବଜାଇଛନ୍ତି। ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ରାମେଶ୍ବର ଷ୍ଟାଡିୟମ୍‌ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଶାହ କହିଛନ୍ତି, ଓଡ଼ିଶାରେ ଖଣିଜ ସଂପଦ ପ୍ରଚରୁ ରହିଛି। ସବୁଠାରୁ ଅଧିକ ପାଣି ରହିଛି। ତଥାପି ଓଡ଼ିଶାର ବିକାଶ ହୋଇପାରୁ ନାହିଁ। ଓଡ଼ିଶାର ଜନତା ମୁମ୍ବାଇ, ଗୁଜରାଟ, ଦିଲ୍ଲୀ, ବେଙ୍ଗାଲୁରୁ ଦାଦନ ଖଟିବାକୁ ଯାଉଛନ୍ତି। ଭାରତୀୟ ଜନତା ପାର୍ଟିର ସରକାର ଆସିଲେ ଓଡ଼ିଶାର ଲୋକଙ୍କୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ନାହିଁ। ଲୋକଙ୍କୁ ଏଠାରେ ରୋଜଗାର ମିଳିବ।ଶ୍ରୀ ଶାହ କହିଛନ୍ତି, କେନ୍ଦ୍ର ସରକାର ଯେତିକି ଟଙ୍କା ଦେଉଛନ୍ତି, ରାଜ୍ୟ ସରକାର ତାହା ବିନିଯୋଗ କରିପାରୁ ନାହିଁ। ଭାରତୀୟ ଜନତା ପାର୍ଟିର ସରକାର ପ୍ରତ୍ୟେକ ଘରକୁ ପାଣି ଯୋଗାଇବ। ନବୀନ ସରକାରଙ୍କୁ ଡର ଯେ, ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁହେଲେ ରାଜ୍ୟ ସରକାରଙ୍କ ଲୋକପ୍ରିୟତା କମି ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବଢ଼ିଯିବ। ଓଡ଼ିଶାର ଭାଷା ଓ ସଂସ୍କୃତିର ଉନ୍ନତି ପାଇଁ ବିଜେପି ସରକାର ଆସିବାର ଅଛି। ବିଜେପି ମାତ୍ର ୫ ବର୍ଷ ମଧ୍ୟରେ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିପାରିବ। ଆମେ ଲୁଗା କାରଖାନା କରି କପାଚାଷୀଙ୍କ ବିକାଶ କରିବୁ। କେନ୍ଦ୍ରର ଅନୁଦାନକୁ ରାଜ୍ୟ ସରକାର ନିଜର ଫଟୋ ଦେଇ ଲୋକପ୍ରିୟତା ହାସଲ କରିବାକୁ ଉଦ୍ୟମ କରୁଛନ୍ତି ‌ବୋଲି ଶ୍ରୀ ଶାହ କହିଛନ୍ତି।ଆରମ୍ଭରୁ ଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିର କଥା କହିବା ସହିତ ଓଡ଼ିଶାବାସୀଙ୍କୁ ପଚାରିଥିଲେ, ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରିବାର ଥିଲା କି ନାହିଁ? ଶ୍ରୀ ଶାହ ସୋନପୁର ସଭାରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ। କେବଳ ସେତିକି ନୁହେଁ। ଦେଶର ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ସେ କହିଥିଲେ। କଶ୍ମୀର ପ୍ରସଙ୍ଗ, ଧାରା ୩୭୦ ଉପରେ ମଧ୍ୟ କହିଥିଲେ। ୨୦୧୯ ଅଗଷ୍ଟ ୫ରେ ମୋଦୀ ଧାରା ୩୭୦କୁ ଶେଷ କରିଥିଲେ। ଆତଙ୍କବାଦ ଓ ନକ୍ସଲବାଦକୁ ମୋଦୀ ଶେଷ କରିଛନ୍ତି। ମୋଦୀ ସରକାର ପୁଲୱାମାର ଜବାବ ୧୦ ଦିନ ଭିତରେ ଦେଇଥିଲେ। ପାକିସ୍ତାନରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲେ। ଆଜି ଯେଉଁ ରାସନ ଚାଉଳ ବଣ୍ଟାଯାଉଛି, ତାହା  ମୋଦୀ ଦେଉଛନ୍ତି।

    ଏହା ପୂର୍ବରୁ ଶ୍ରୀ ଶାହ କହିଥିଲେ ଓଡ଼ିଶାର ଏହି ପବିତ୍ର ମାଟିରେ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆସିଛି। ମୁଁ ଗୁଜରାଟର ମହାପ୍ରଭୁ ଜଗନ୍ନାଥଙ୍କ ମାଟିରୁ ଆସିଛି। ଜଗନ୍ନାଥଙ୍କ ପବିତ୍ର ମାଟି ଓଡ଼ିଶାରେ ପହଞ୍ଚିଛି। ଦେଶର ଚାରିଆଡ଼େ ଯାଇଛି। ଏବେ ଓଡ଼ିଶାରେ ପହଞ୍ଚିଛି। ଚାରିଆଡ଼େ ମୋଦୀ ଲହର ଦେଖିବାକୁ ମିଳୁଛି। ଓଡ଼ିଶାର ଲୋକ ମଧ୍ୟ ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ୨୦ଟି ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଚାହୁଁଛନ୍ତି। ଓଡ଼ିଶାରେ ମଧ୍ୟ ବହୁମତ ସହିତ ବିଜେପି ସରକାର କରିବ। ୧୦ ବର୍ଷ ହେଲା ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ବିକାଶ ହୋଇଛି।

    ଶ୍ରୀ ଶାହ ବଲାଙ୍ଗୀର ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓଙ୍କ ସମେତ ପଶ୍ଚିମ ଓଡ଼ିଶାରେ ବିଜେପିର ଅନ୍ୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ଚଳିତ ନିର୍ବାଚନ ପାଇଁ ଶ୍ରୀ ଶାହଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ ରାଜ୍ୟ ବିଜେପିର ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି। ସୋନପୁର ସଭାସ୍ଥଳୀରେ ହଜାର ହଜାର କର୍ମୀ ଓ ସମର୍ଥକଙ୍କର ଭିଡ଼ ହୋଇଛି।ଶ୍ରୀ ଶାହଙ୍କ ସୋନପୁର ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସଂଗୀତା ସିଂହଦେଓ, ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର, ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦାଲା, ଲୋଇସିଂହା ବିଧାୟକ ମୁକେଶ ମହାଳିଙ୍ଗ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, କନକବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ଗୋଳକ ମହାପାତ୍ରଙ୍କ ସମେତ ରାଜ୍ୟସ୍ତରୀୟ ଶୀର୍ଷ ନେତା ଯୋଗଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    94 %
    1.5kmh
    100 %
    Mon
    24 °
    Tue
    28 °
    Wed
    27 °
    Thu
    27 °
    Fri
    28 °

    ସମ୍ବନ୍ଧିତ