Saturday, May 30, 2026
26.9 C
Odisha

    ଆଳୁ ଟ୍ରକ୍‌ ଜଗିବାକୁ ଲଗାଇଲେ ସିସିଟିଭି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଳୁ ଟ୍ରକ୍ ଜଗିବାକୁ ଲାଗିଲା ସିସିଟିଭି । ପ୍ରଥମେ ଆଳୁ ଟ୍ରକ୍ ଛାଡ଼ିଲେନି ଆଉ ଏବେ ଗଳା ବାଟରେ ଟ୍ରକ୍ ଆସୁଥିବା ଖବର ପାଇ ସିସିଟିଭି ଲଗାଇଲେ ପଶ୍ଚିମବଙ୍ଗ ସରକାର । ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନୀଳଦା ଗାଁର ରାସ୍ତା କଡ଼ରେ ପଶ୍ଚିମବଙ୍ଗ ପୋଲିସ୍ ସିସିଟିଭି ଲଗାଇ ଆଳୁ ଗାଡ଼ି ରୋକିବାକୁ ଯୋଜନା କରିଛନ୍ତି । ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ରେ ଓଡ଼ିଶାକୁ ପଶ୍ଚିମବଙ୍ଗ ପୋଲିସ୍ ଆଳୁ ଗାଡ଼ି ଛାଡ଼ୁନି । ହେଲେ କିଛି ଛୋଟ ଛୋଟ ଗାଡ଼ିରେ ଆଳୁ ଓଡ଼ିଶାକୁ ବିଭିନ୍ନ ବାଟ ଦେଇ ପଶୁଛି । ତେଣୁ ଏହି ସବୁ ଗଳା ବାଟରେ ଏବେ ସିସିଟିଭି ଜରିଆରେ ନଜର ରଖିବାକୁ ଏମିତି ବ୍ୟବସ୍ଥା କରିଛି ପଶ୍ଚିମବଙ୍ଗ ପୋଲିସ୍ । ଅପରପକ୍ଷେ, ରାଜ୍ୟରେ ଆଳୁ ଦର କିଛିଟା କମିଛି । ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଳୁ କିଲୋ ପିଛା ୩୬ରୁ ୪୦ ଟଙ୍କା ମଧ୍ୟରେ ରହିଛି । ସେପଟେ ତିନି ସପ୍ତାହ ପରେ ଆଳୁ ଦରବୃଦ୍ଧିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ୪୦ ଟଙ୍କା ତଳକୁ ଖସିଛି ଦର । କାରଣ ରାଜ୍ୟର ବିଭିନ୍ନ ଆଳୁ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ୍ ଆଳୁ । ପଶ୍ଚିମବଙ୍ଗରୁ ୨୭୦ ଆଳୁ ଗାଡ଼ି ଆସିଥିବା ବେଳେ ବଳକା ୩୦ ଟ୍ରକ୍ ଉତ୍ତରପ୍ରଦେଶରୁ ଆସିଛି । ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ଏବେ ବି ରାଜ୍ୟ ସୀମାରେ ପଶ୍ଚିମବଙ୍ଗ ପୋଲିସ ଆଳୁ ଗାଡ଼ିକୁ ଓଡ଼ିଶାକୁ ପଶିବାକୁ ଅନୁମତି ଦେଉନି। ଏଣୁ ବାଧ୍ୟହୋଇ ପାଇକାରୀ ବ୍ୟବସାୟୀ ଅଧିକ ଗାଡ଼ି ଭଡ଼ା ଦେଇ ଝାଡ଼ଖଣ୍ଡ ରାସ୍ତାରେ ରାଜ୍ୟକୁ ଆଳୁ ବୋଝେଇ ଟ୍ରକ୍ ଆଣୁଛନ୍ତି। ରାଜ୍ୟକୁ ଏକକାଳୀନ ଏତେ ସଂଖ୍ୟକ ଆଳୁ ଗାଡ଼ି ଆସିଥିବାରୁ ପାଇକାରୀ ବଜାରରେ ଦର ଏବେ କିଲୋପିଛା ୩୦ ଟଙ୍କା ରହିଛି । ଯଦିଓ ପାଇକାରୀ ଦର କିଲୋପିଛା ୫ ଟଙ୍କା ପର୍ଯ୍ୟନ୍ତ ଖସିଛି, ଆଳୁର ଖୁଚୁରା ଦର କିନ୍ତୁ ଖସୁନି । ଏବେ ବି ଖୁଚୁରା ବଜାରରେ କେଉଁଠି କେଉଁଠି ଆଳୁ କିଲୋ ୪୦ ଟଙ୍କା ଉପରେ ବିକ୍ରି ହେଉଛି। ଏହାକୁ ଦୃଷ୍ଟିରେ ରଖି ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ବର ଏକ ନମ୍ବର ହାଟରେ ଚଢ଼ାଉ କରାଯାଇ କିଲୋପିଛା ୩୫ରୁ ୩୮ ଟଙ୍କାରେ ବିକିବାକୁ ତାଗିଦ୍ କରାଯାଇଛି । ଅନ୍ୟପଟେ ବଜାର ଦରରେ ସ୍ଥିରତା ଆଣିବାକୁ ସରକାର ନିଜେ ଆଳୁ ବେପାରକୁ ଓହ୍ଲାଇଛନ୍ତି । ଯୋଗାଣ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆଳୁ କିଣାଯାଇ ଖୁଚୁରା ବିକ୍ରୟ କେନ୍ଦ୍ର ଜରିଆରେ ବିକ୍ରି ଆରମ୍ଭ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବରରେ ଥିବା ୯୯ଟି ଖୁଚୁରା ବିକ୍ରୟ କେନ୍ଦ୍ର ଜରିଆରେ ଖାଉଟିଙ୍କୁ ଶସ୍ତାରେ ଆଳୁ ଯୋଗାଣ ଆରମ୍ଭ ହୋଇଛି । ଏସବୁ ଖୁଚୁରା ବିକ୍ରୟ କେନ୍ଦ୍ରରୁ ଲୋକମାନେ ୧୦୦ ଟଙ୍କାରେ ୩ କିଲୋ ଆଳୁ ପାଇପାରିବେ। ଯେପର୍ଯ୍ୟନ୍ତ ବଜାର ଦରରେ ସ୍ଥିରତା ନ ଆସିଛି, ସେ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଶସ୍ତାରେ ଆଳୁ ଯୋଗାଣ ଜାରି ରହିବ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.9 ° C
    26.9 °
    26.9 °
    76 %
    2kmh
    99 %
    Sat
    27 °
    Sun
    39 °
    Mon
    40 °
    Tue
    41 °
    Wed
    43 °

    ସମ୍ବନ୍ଧିତ