Sunday, May 31, 2026
26.9 C
Odisha

    ଜଗନ୍ନାଥଙ୍କୁ ନେଇ ରାଜନୀତି ନ ହେଉ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଆମ ଆବେଗ। ଆମର ଆସ୍ଥା। ଜଗନ୍ନାଥଙ୍କୁ ନେଇ ଭୋଟ ରାଜନୀତି ନ ହେଉ।  ସେ ଆମ ହୃଦୟର ଚିରନ୍ତନ ସମ୍ପତ୍ତି। ପତ୍ରଝଡ଼ାର ଅସହାୟତା ଭିତରେ ସେ ଆମ ପାଇଁ ଆଶ୍ୱସ୍ତିର ଫଗୁଣ। ମହାପ୍ରଭୁଙ୍କୁ ଯେବେ ବି କେହି ସ୍ୱାର୍ଥର ସୁନେଲି ସ୍ବପ୍ନ ପାଇଁ ରାଜନୀତିର ପଶାପାଲିରେ ଦାନା କରି ଗଡ଼େଇଛି, ସେ ନିଜେ ହିଁ ଅସ୍ତ ହେଇଯାଇଛି। ସେ କେବେ ଅହଙ୍କାର ସହନ୍ତି ନାହିଁ। ଏ ଜାତିର ଜନକ ସେ। ଆମ ସ୍ପନ୍ଦନ ଓ ଜୀବନର ପବିତ୍ର ପୁଲକ। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସିଏସ୍‌ଆଇଆର-ଆଇଏମ୍‌ଏମ୍‌ଟି ପରିସରରେ ଅନୁଷ୍ଠିତ ‘ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ’ର ଦ୍ବିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

    ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଲେ ଜୟ ଜଗନ୍ନାଥ କେବଳ ଦୁଇଟି ଶବ୍ଦ ନୁହେଁ। ବରଂ ଯେକୌଣସି ସମୟରେ, କୌଣସି ପରିସ୍ଥିତି ଓ ମାନସିକ ଅବସ୍ଥାରେ ଜଣେ ଥିଲେ ଏହା ଶରୀରରେ ନୂତନ ଉତ୍ସାହ, ନୂଆ ଉଦ୍ଦୀପନା ଭରିଦିଏ। ମହାପ୍ରଭୁ ଜଗନ୍ନାଥ ହିଁ ଓଡ଼ିଶା ଓ ଓଡ଼ିଆର ସର୍ବଶ୍ରେଷ୍ଠ ପରିଚୟ। ଜାତି, ଧର୍ମ ନିର୍ବିଶେଷରେ ବିଶ୍ବର ବିଭିନ୍ନ ପ୍ରାନ୍ତର ଅଗଣିତ ଭକ୍ତଙ୍କ ଅକୃତ୍ରିମ ଶ୍ରଦ୍ଧା ହିଁ ତାଙ୍କୁ ଗଣ-ଦେବତାର ମାନ୍ୟତା ଦେଇଛି। ସେଥିପାଇଁ ସେ କେବଳ ନିଳାଦ୍ରୀନାଥ ହୋଇ ନରହି ପାଲଟି ଯାଇଛନ୍ତି ଜଗତରନାଥ। ସେ ହେଉଛନ୍ତି ବିଶ୍ୱାସର ଠାକୁର। ଯିଏ ତାଙ୍କୁ ଯେପରି ଦେଖିବାକୁ ଚାହାନ୍ତି ତାଙ୍କୁ ସେ ସେଭଳି ଦିଶନ୍ତି। ସେ ହିଁ ଆମ ଅଖଣ୍ଡ ଆସ୍ଥା ଆଉ ଶ୍ରଦ୍ଧାର ଶାଶ୍ୱତ ସ୍ୱରୂପ। ସେ ହିଁ ନିର୍ବିକଳ୍ପ ଓ ନିରାକାର। ତାଙ୍କ ଲୀଳା ଓ ମହିମା ବିଷୟରେ କହିଲେ, ଶୁଣିଲେ ରାତି ସରିଯିବ ହେଲେ କଥା ସରିବନି। ଜଗନ୍ନାଥ ସଂସ୍କୃତି ଅନନ୍ୟ, ଯାହାର ପଟାନ୍ତର ନାହିଁ। ଏପରି ସଂସ୍କୃତିକୁ ବଞ୍ଚାଇ ରଖିବା କେବଳ ଆମ ଦାୟିତ୍ୱ ନୁହେଁ। ବରଂ ଏହାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ତେଣୁ ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ରେ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ପାଇଁ ନିଷ୍ପତ୍ତି ନିଆଯାଇଥିଲା।

    ଜୁନ ୧୩ରେ ଚାରିଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲି। ରତ୍ନଭଣ୍ଡାର ଖୋଲାଯାଇ ଏହାର ମରାମତି ଏବଂ ଗଣତି ମଣତି କାର୍ଯ୍ୟ ଚାଲୁ ରହିଛି। ଆଉ ଗୋଟିଏ ବିଶେଷତ୍ୱ ହେଉଛି, ସାହାଣ ମେଲା ଦର୍ଶନ। ଅର୍ଥାତ ବିନା ବାଧାରେ ପ୍ରଭୁଙ୍କୁ ଦର୍ଶନ କରିବା। ଶ୍ରୀମନ୍ଦିରରେ ବଢ଼ୁଥିବା ଭକ୍ତଙ୍କ ସମାଗମ ଯୋଗୁଁ ଏହି ଦର୍ଶନକୁ ଶୃଙ୍ଖଳିତ କରିବାର ସମୟ ଆସିଛି। ତେଣୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଆସନ୍ତା ୨୦ ତାରିଖରୁ ଆରମ୍ଭ କରିବାକୁ ସ୍ଥିର ହୋଇଛି। ଆଶା କରୁଛି, ଅଗଣିତ ଭକ୍ତ ଏହାଦ୍ୱାରା ସହଜରେ ଓ ବିନା ଠେଲାପେଲାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଆମ ସରକାର ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରଚାର ପ୍ରସାର ତଥା ବିକାଶ ପାଇଁ ସବୁ ପ୍ରକାର କାର୍ଯ୍ୟ କରିବାକୁ ପ୍ରତିବଦ୍ଧ। ଏଥିପାଇଁ ସେବାୟତ, ବିଭିନ୍ନ ଅନୁଷ୍ଠାନ, ଭକ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ।

    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିବା ସହ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାରେ ପରିଣତ କରିବାକୁ ଆହ୍ବାନ ଦେଇଥିଲେ। ଆଇଆଇଏମ୍‌ଟି ନିର୍ଦ୍ଦେଶକ ରାମାନୁଜ ନାରାୟଣ ଯୋଗଦେଇ ଶିକ୍ଷା ଓ ବିଜ୍ଞାନ କ୍ଷେତ୍ରରେ ଆମେ ଆଗକୁ ବଢ଼ିବୁ ବୋଲି ମତପ୍ରକାଶ କରିଥିଲେ। ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କର ନାହିଁ। ବରଂ ତୀର୍ଥ କ୍ଷେତ୍ରରେ ପରିଣତ କରାଯାଉ ବୋଲି ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା। ମହୋତ୍ସବ କମିଟି ଅଧ୍ୟକ୍ଷ ସୁଦର୍ଶନ ନାୟକ ସ୍ୱାଗତ ଭାଷଣ ଏବଂ ସଙ୍ଗଠନ ମନ୍ତ୍ରୀ କରୁଣାକର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ତଥା ଦେଶ ବାହାରୁ ବହୁ ସାଧୁସନ୍ଥ, ଗବେଷକ, ଜଗନ୍ନାଥପ୍ରେମୀ ଏଥିରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମଠାଧୀଶମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଶୀର୍ବାଦ ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.9 ° C
    26.9 °
    26.9 °
    76 %
    2kmh
    99 %
    Sat
    27 °
    Sun
    39 °
    Mon
    40 °
    Tue
    41 °
    Wed
    43 °

    ସମ୍ବନ୍ଧିତ