Wednesday, October 14, 2026
26.2 C
Odisha

    ଭାରତ ଉପରୁ ପରମାଣୁ କଟକଣା ହଟିଲା: ୨୬ ବର୍ଷ ପରେ ଆମେରିକାର ଘୋଷଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୧୯୯୮ ମସିହା ମେ ମାସରେ ରାଜସ୍ଥାନର ପୋଖରାନରେ ଭାରତ ପରମାଣୁ ପରୀକ୍ଷଣ କରିଥିଲା ସେତେବେଳେ ଭାରତର ଏହି ସଫଳତାରେ ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଆମେରିକା ଏହାକୁ ତୀବ୍ର ବିରୋଧ କରିଥିଲା। ଭାରତର ଏହି ସଫଳତାରେ କ୍ଷୁବ୍ଧ ଆମେରିକା ଭାରତ ଉପରେ ପରମାଣୁ କଟକଣା ଲଗାଇଥିଲା। ଏହି ପ୍ରକ୍ରିୟାରେ ଅନେକ ବେସାମରିକ ପରମାଣୁ କମ୍ପାନିକୁ ନିଷିଦ୍ଧ କରାଯାଇଥିଲା। ଏବେ ୨୬ ବର୍ଷରୁ ଅଧିକ ସମୟ ପରେ ଆମେରିକା ସରକାର ଏବେ ସେହି କଟକଣା ହଟାଇବାକୁ ଘୋଷଣା କରିବା ସହ ଏ ବାବଦ ପ୍ରକ୍ରିୟା ତ୍ବରାନ୍ବିତ କରିଛନ୍ତି। ପୂର୍ବରୁ ଯଦିଓ ଅନେକ କଟକଣା ହଟିସାରିଛି, ତଥାପି ଭାରତର କେତେକ ରିଏକ୍ଟର, ପରମାଣୁ ଶକ୍ତି କେନ୍ଦ୍ର ଏବଂ ଆଣବିକ ଶକ୍ତି ବିଭାଗର ୟୁନିଟ୍‌ଗୁଡ଼ିକରେ ଏହା ବଳବତ୍ତର ରହିଛି। ଏବେ ଏହି ସମସ୍ତ କଟକଣା ହଟାଯିବାକୁ ଆମେରିକା ଘୋଷଣା କରିବା ସହ ଏହାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ୍ ନୂଆଦିଲ୍ଲୀ ଗସ୍ତ ସମୟରେ କହିଛନ୍ତି ଯେ ଆମେ କଟକଣା ହଟାଇ ହଟାଯିବା ଘୋଷଣା କରୁଛୁ ଏବଂ ଆଇନଗତ ପ୍ରକ୍ରିୟା ଦେଇ ଏହା  ସଂପାଦନ କରୁଛୁ। ଏବେ ଆମେରିକା ପାକିସ୍ତାନର ଅନେକ ପରମାଣୁ କମ୍ପାନିକୁ ନିଷିଦ୍ଧ କରୁଥିବା ବେଳେ ଅନ୍ୟପଟେ ଭାରତ ପ୍ରତି ବହୁତ ବଡ଼ ଉଦାରତା ଦେଖାଉଥିବାରୁ ଏହା ଭାରତର କୂଟନୈତିକ ଶକ୍ତିର ପ୍ରଭାବ ବୋଲି କୁହାଯାଉଛି।

    ୨୦୨୦ ସୁଦ୍ଧା ଭାରତ ୨୦,୦୦୦ ମେଗାୱାଟ୍ ପରମାଣୁ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖିଥିବା ବେଳେ ଏବେ ଏହି ଲକ୍ଷ୍ୟ ୨୦୩୦କୁ ଲମ୍ବିଯାଇଛି। ୨୦୨୧ରେ ବାଇଡେନ୍ ହ୍ୱାଇଟ୍ ହାଉସ୍ ଦାୟିତ୍ୱ ନେବା ପରେ ୨୦୨୨ରେ ଭାରତ ଓ ଆମେରିକା ଏ ଦିଗରେ କେତେକ ମିଳିତ ପଦକ୍ଷେପ ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଏଆଇ(କୃତ୍ରିମ ବୁଦ୍ଧିମତା) ବିକାଶରେ ସହଯୋଗ କରିବା। ଏହି ପଦକ୍ଷେପ ଅଧୀନରେ ଜେନେରାଲ ଇଲେକ୍ଟ୍ରିକ୍ ଏବଂ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ଭାରତରେ ଜେଟ୍ ଇଞ୍ଜିନ୍ ଉତ୍ପାଦନ ପାଇଁ ଚୁକ୍ତି କରିଛନ୍ତି। ଏବେ ବାଇଡେନ ପ୍ରଶାସନର ଅନ୍ତିମ ଦିନରେ ସୁଲିଭାନଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ଏହି ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ାଇବା ଏବଂ ନୂତନ ଭାଗିଦାରୀ ସ୍ଥାପନ କରିବା। ବାଇଡେନ ମଧ୍ୟ ଭାରତ ସହ ତାଙ୍କ ବନ୍ଧୁତାରେ ଏକ ନୂଆ ଅଧ୍ୟାୟ ଲେଖିବାକୁ ଚାହୁଛନ୍ତି। ଆଗାମୀ  ଆମେରିକା ସରକାର ମଧ୍ୟ ଏ ସଂକ୍ରାନ୍ତ ନୀତିକୁ ସମ୍ମାନ ଦେଇ କାମକରିବ। ମହାକାଶ ଓ ବେସାମରିକ ପରମାଣୁ ଶକ୍ତି କ୍ଷେତ୍ରରେ ଭାରତ ସହ ସହଯୋଗ ବଢ଼ାଇବା, କ୍ଷେପଣାସ୍ତ୍ର ପ୍ରଯୁକ୍ତି ନିୟନ୍ତ୍ରଣ ବ୍ୟବସ୍ଥା (ଏମଟିସିଆର)କୁ କୋହଳ କରିବା ଏବଂ ଭାରତୀୟ ପରମାଣୁ କେନ୍ଦ୍ରଗୁଡ଼ିକୁ କଟକଣା ତାଲିକାରୁ ହଟାଇବା ଦିଗରେ ପଦକ୍ଷେପ ନେବା ଉପରେ ଆମେରିକା ଏବେ ତତ୍ପରତା ଦେଖାଇବା ଦ୍ବିପାକ୍ଷିକ ସଂପର୍କର ଗଭୀରତାକୁ ଦର୍ଶାଉଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ସୁଲିଭାନଙ୍କ ମଧ୍ୟରେ ହୋଇଥିବା ବୈଠକରେ ପରମାଣୁ ପ୍ରସଙ୍ଗ ସମେତ ବିଭିନ୍ନ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଏଜେଣ୍ଡା ଉପରେ ବିସ୍ତୃତ ଆଲୋଚନା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ