Sunday, April 19, 2026
28.9 C
Odisha

    ତାପ ସଂକଟର ମୁକାବିଲା କରିବ ଶୀତଳ ଛାତ

    ଆଗକୁ ପଢନ୍ତୁ

    ଗୁଜୁରାଟ : ଚଳିତ ବର୍ଷ ଜାନୁଆରି ଓ ଫେବ୍ରୁଆରି ମାସକୁ ସବୁଠୁ ଉଷ୍ମ ମାସ ଭାବେ ଘୋଷଣା କରାଯାଇଛି। ଚଳିତ ମାର୍ଚ୍ଚ ମାସ ମଧ୍ୟ ଅନୁରୂପ ଭାବେ ଉତ୍ତପ୍ତ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବରୁ ଚେତାବନୀ ଦେଇସାରିଛି। ଏହି ବର୍ଦ୍ଧିତ ଉଷ୍ମତାର ମୁକାବିଲା ପାଇଁ ଏକ ଅଭିନବ ଅଧ୍ୟୟନ ସ୍ବରୂପ ଗୁଜରାଟରେ ଘର ଛାତଗୁଡ଼ିକୁ ଧଳା ରଙ୍ଗ କରାଯାଇଛି। ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଘର ଭିତର ଉତ୍ତାପର ପ୍ରଭାବ ବିଶ୍ଳେଷଣ କରିବା ସହ ତାହାକୁ ମୁକାବିଲା କରିବାରେ ‘ଶୀତଳ ଛାତ’ କିପରି ସାହାଯ୍ୟ କରିପାରିବ ତାହା ଅନୁଶୀଳନ କରିବା ହେଉଛି ଏହି ଅଧ୍ୟୟନର ଉଦ୍ଦେଶ୍ୟ। ଅହମଦାବାଦର ପାଖାପାଖି ୪୦୦ଟି ଘରର ଛାତକୁ ଏପରି ଧଳା ରଙ୍ଗ କରାଯାଇଛି। ଧଳା ରଙ୍ଗରେ ସାଧାରଣତଃ ଟାଇଟାନିଅମ୍‌ ଅକ୍ସାଇଡ୍‌ ନାମକ ରାସାୟନିକ ରହିଥାଏ, ଯାହା ସୂର୍ଯ୍ୟ କିରଣକୁ ପ୍ରତିଫଳିତ କରିଥାଏ। ଏହି ପ୍ରକଳ୍ପର ନେତୃତ୍ବ ନେଉଥିବା ଜର୍ମାନୀର ହାଇଡେଲ୍‌ବର୍ଗ ବିଶ୍ବବିଦ୍ୟାଳୟର ରୋଗ ବିଜ୍ଞାନୀ ଆଦିତି ବଙ୍କରଙ୍କ କହିବାନୁଯାୟୀ, “ପାରମ୍ପରିକ ଭାବରେ ଘର ହେଉଛି ଏପରି ଏକ ସ୍ଥାନ ଯେଉଁଠିି ଲୋକେ ଆଶ୍ରୟ ଓ ବିଶ୍ରାମ ନେବାକୁ ଆସିଥା’ନ୍ତି। ସମ୍ପ୍ରତି ଲୋକେ ବିପଦପୂର୍ଣ୍ଣ ଆବାସିକ ସ୍ଥିତିରେ ରହୁଛନ୍ତି; ଯେଉଁଠି ସେମାନଙ୍କୁ ସୁରକ୍ଷା ମିଳିବା କଥା, ତାହା ଏବେ ସେମାନଙ୍କ ଉପରେ ଉତ୍ତାପର ବିପଦ ବଢ଼ାଇଚାଲିଛି।’’ ଜଳବାୟୁ ପରିବର୍ତ୍ତନ ଭାରତରେ ଗ୍ରୀଷ୍ମକୁ ଅଧିକ ଉତ୍ତେଜିତ କରି ଚାଲିଥିବା ବେଳେ ବିଗତ ବର୍ଷମାନଙ୍କରେ ଅହମଦାବାଦ ୪୬ ଡିଗ୍ରି ସେଲସିଅସ୍‌ରୁ ଅଧିକ ତାପମାତ୍ରା ଭୋଗ କରିଛି। ସହରର ନାରୋଲ ଅଞ୍ଚଳ ଅନ୍ତର୍ଗତ ‘ବନ୍‌ଜାରା ବାସ’ ବସ୍ତିରେ ଏହି ପରୀକ୍ଷଣ ଆରମ୍ଭ ହେବା ପରେ ବାସିନ୍ଦାମାନେ ସକାରାତ୍ମକ ପରିବର୍ତ୍ତନ ଅନୁଭବ କରୁଛନ୍ତି।
    ଜାନୁଆରିରେ ଛାତ ରଙ୍ଗ କରାଯାଇଥିବା ଜଣେ ବାସିନ୍ଦା କହନ୍ତି, “ମୋର ରେଫ୍ରିଜରେଟର୍‌ ଆଉ ଗରମ ହେଉ ନାହିଁ ଏବଂ ଘରଟି ଥଣ୍ଡା ଲାଗୁଛି। ଭଲ ନିଦ ବି ହେଉଛି, ଏଣେ ବିଜୁଳି ବିଲ୍‌ କମିଯାଇଛି।’’

    ଜଳବାୟୁ ପରିବର୍ତ୍ତନ ଭାରତରେ ଗ୍ରୀଷ୍ମକୁ ଅଧିକ ଉଗ୍ର କରି ଚାଲିଥିବା ବେଳେ ବିଗତ ବର୍ଷମାନଙ୍କରେ ଅହମଦାବାଦ ୪୬ ଡିଗ୍ରି ସେଲସିଅସ୍‌ରୁ ଅଧିକ ତାପମାତ୍ରା ଭୋଗ କରିଛି। ସହରର ନାରୋଲ ଅଞ୍ଚଳ ଅନ୍ତର୍ଗତ ‘ବନ୍‌ଜାରା ବାସ’ ବସ୍ତିରେ ‘ଶୀତଳ ଛାତ’ ପ୍ରକଳ୍ପ ଆରମ୍ଭ ହେବା ପରେ ବାସିନ୍ଦାମାନେ ସକାରାତ୍ମକ ପରିବର୍ତ୍ତନ ଅନୁଭବ କରୁଛନ୍ତି।

    ‘ଏନ୍‌ଭାରନ୍‌ମେଣ୍ଟାଲ ରିସର୍ଚ ଲେଟର୍ସ’ ପତ୍ରିକାରେ ପ୍ରକାଶିତ ୨୦୨୨ ମସିହାର ଏକ ଅଧ୍ୟୟନର ନିର୍ଯାସ ଅନୁଯାୟୀ, ଗୋଟିଏ ବର୍ଷରେ ଗ୍ରୀଷ୍ମ ଲହରି ସଂଖ୍ୟା ପ୍ରାୟ ତିନିଗୁଣ ବୃଦ୍ଧି ପାଇଛି। ଏହି ନିମ୍ନ ସାମାଜିକ-ଆର୍ଥିକ ଶ୍ରେଣୀର ଘରଗୁଡ଼ିକ ମଧ୍ୟରୁ ଅଧିକାଂଶରେ ତଳକୁ ଖସୁଥିବା ଉତ୍ତାପର ସ୍ଥାନାନ୍ତରକୁ ରୋକିବା ପାଇଁ ଛାତର କୌଣସି ପ୍ରତିବନ୍ଧକ ନାହିଁ। ଏହି ଧାରା ଗୋଟିଏ ବର୍ଷ ପାଇଁ ଚାଲିବ ଏବଂ ଗବେଷକମାନେ ‘ଶୀତଳ ଛାତ’ ତଳେ ରହୁଥିବା ବାସିନ୍ଦାଙ୍କ ଠାରୁ ଏବଂ ଯେଉଁମାନେ ସାଧାରଣ ଛାତ ତଳେ ରହୁଛନ୍ତି ସେମାନଙ୍କଠାରୁ ମଧ୍ୟ ସ୍ବାସ୍ଥ୍ୟ ଓ ଘର ଭିତର ପରିବେଶଗତ ତଥ୍ୟ ସଂଗ୍ରହ କରିବେ। ଏପରି ପରୀକ୍ଷଣ ବୁର୍କିନା ଫାସୋ, ମେକ୍ସିକୋ ଓ ଦକ୍ଷିଣ ପ୍ରଶାନ୍ତମହାସାଗରର ନିୟୁ ଦ୍ବୀପ ଆଦି ବିଶ୍ବର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଜାରି ରହିଛି। ବୁର୍କିନା ଫାସୋ ପରୀକ୍ଷଣର ପ୍ରାରମ୍ଭିକ ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି ଯେ, ଦୁଇ ବର୍ଷ ଭିତରେ ଟିଣ-ମାଟି ପ୍ରସ୍ତୁତ ଛାତକୁ ଧଳା ରଙ୍ଗ କରିବା ଦ୍ବାରା ଘର ଭିତର ତାପମାତ୍ରା ୧.୨ ଡିଗ୍ରି ସେଲସିଅସ ଏବଂ ଟିଣ ଛାତ ଘରର ତାପମାତ୍ରା ୧.୭ ଡିଗ୍ରି ସେଲସିଅସ ହ୍ରାସ ହୋଇଛି, ଯାହା ବାସିନ୍ଦାମାନଙ୍କ ବର୍ଦ୍ଧିତ ହୃତ୍‌ସ୍ପନ୍ଦନକୁ କମାଇଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.9 ° C
    28.9 °
    28.9 °
    46 %
    0.5kmh
    100 %
    Sun
    43 °
    Mon
    44 °
    Tue
    44 °
    Wed
    43 °
    Thu
    44 °

    ସମ୍ବନ୍ଧିତ