Thursday, April 16, 2026
28.7 C
Odisha

    ନୂଆଦିଲ୍ଲୀ ରେଳ ଷ୍ଟେସନ୍‌ରେ ଦଳାଚକଟା: ୩ ଶିଶୁ ସମେତ ୧୬ ମୃତ, କାଳ ହେଲା ମହାକୁମ୍ଭ ଭିଡ଼

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନ୍‌ରେ ଆଜି ରାତିରେ ଅଚାନକ ଅସମ୍ଭବ ଭିଡ଼ ଯୋଗୁଁ ଦଳାଚକଟା ହୋଇ ୩ ଶିଶୁଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଥିବା ଜଣାପଡ଼ିଛି। ଆଉ ୧୦ ଜଣ ଆହତଙ୍କୁ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଷ୍ଟେସନ୍‌ର ୧୪, ୧୫ ଓ ୧୬ ନମ୍ବର ପ୍ଲାଟ୍‌ଫର୍ମରେ ଭିଡ଼ ଅନିୟନ୍ତ୍ରିତ ହେବାରୁ ଏଭଳି ଅଘଟଣ ଘଟିଛି। ଶ୍ୱାସରୁଦ୍ଧ ହୋଇ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଅଚେତ ହୋଇ ପଡ଼ିଥିଲେ। ମହାକୁମ୍ଭ ଯାଉଥିବା ୩ଟି ଟ୍ରେନ୍‌ର ଯାତ୍ରୀମାନେ ଏକସାଙ୍ଗରେ ପ୍ଲାଟ୍‌ଫର୍ମରେ ଏକାଠି ହେବାରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ହଜାର ହଜାର ଲୋକଙ୍କ ଭିଡ଼ ଭିତରେ ଶ୍ବାସରୁଦ୍ଧ ସ୍ଥିତି ସୃଷ୍ଟି ହେବାରୁ ଏହା ଦଳାଚକଟାର ରୂପ ନେଇଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ନୂଆଦିଲ୍ଲୀ ଷ୍ଟେସନ୍‌ରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଇଛି। ଦିଲ୍ଲୀ ପୁଲିସ ଓ ଆରପିଏଫ୍‌ ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀରୁ ୪ଟି ନୂଆ ମହାକୁମ୍ଭ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ରେଳମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖପ୍ରକାଶ କରିବା ସହ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
    ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି ଯେ ଦଳାଚକଟା ଖବର ମିଳିବା ମାତ୍ରେ ଘଟଣାସ୍ଥଳରେ ୪ଟି ଦମକଳ ବାହିନୀ ପହଞ୍ଚିଥିଲା ଏବଂ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଓ ଆର୍‌ପିଏଫ୍‌ ସହାୟତାରେ ଜରୁରି ପଦକ୍ଷେପ ନେଇ ସ୍ଥିତି ନିୟନ୍ତ୍ରଣ କରିଥିଲା। ପରବର୍ତ୍ତୀ ସମୟରେ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଓ ପୁଲିସ କମିସନର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିବା ସହ ରିଲିଫ କର୍ମଚାରୀଙ୍କୁ ନିୟୋଜିତ କରିଛନ୍ତି। ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ହସ୍ପିଟାଲ ପ୍ରସ୍ତୁତ ଥିବା ଜଣାପଡ଼ିଛି। ପ୍ରୟାଗରାଜ ଏକ୍ସପ୍ରେସ୍‌ ଯେତେବେଳେ ୧୪ ନମ୍ବର ପ୍ଲାଟ୍‌ଫର୍ମରେ ଠିଆ ହୋଇଥିଲା ସେତେବେଳେ ପ୍ଲାଟଫର୍ମରେ ପ୍ରବଳ ଭିଡ଼ଥିଲା। ସେହିପରି ‘ସ୍ବତନ୍ତ୍ରତା ସେନାନୀ ଏକ୍ସପ୍ରେସ୍’ ଓ ‘ରାଜଧାନୀ ଏକ୍ସପ୍ରେସ୍’ ମଧ୍ୟ ବିଳମ୍ବିତ ହୋଇଥିବା ବେଳେ ୧୨, ୧୩ ଓ ୧୪ ନମ୍ବର ପ୍ଲାଟ୍‌ଫର୍ମରେ ଯାତ୍ରୀଙ୍କ ଭିଡ଼ ରହିଥିଲା। ଏହି ସମୟରେ ପ୍ରାୟ ୧୫୦୦ ଜେନେରାଲ ଟିକେଟ୍‌ ବିକ୍ରି ହୋଇ ଯାଇଥିବାରୁ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ପ୍ଲାଟ୍‌ଫର୍ମ ନମ୍ବର ୧୪ ଓ ୧ ନିକଟରେ ଥିବା ଏସ୍କାଲେଟର୍‌ ନିକଟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଯାତ୍ରୀମାନେ ପରସ୍ପର ଉପରେ ଚଢ଼ିଯାଇଥିଲେ। ଲୋକଙ୍କୁ ଅଟକାଇବା ବ୍ୟବସ୍ଥା ନଥିବାରୁ ପରିସ୍ଥିତି ଅତି ସାଂଘାତିକ ରୂପ ନେଲା ଏବଂ ଏଭଳି ସ୍ଥିତି ଅତି କମ୍‌ରେ ଏକ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଷ୍ଟେସନ୍‌ରେ ଅନିୟନ୍ତ୍ରିତ ଭିଡ଼ ରୋକିବା ପାଇଁ କୌଣସି ବ୍ୟବସ୍ଥା ନଥିଲା ଏବଂ ହଜାର ହଜାର ଟିକେଟ୍‌ବିହୀନ ଯାତ୍ରୀଙ୍କ ଉପସ୍ଥିତି କାଳ ସାଜିଲା ବୋଲି କେତେକ ଯାତ୍ରୀ କହିଛନ୍ତି। ଅନେକ ଯାତ୍ରୀ କହିଛନ୍ତି ଯେ ପ୍ଲାଟ୍‌ଫର୍ମରେ ଛିଡ଼ା ହୋଇଥିବା ଟ୍ରେନ୍‌ର କବାଟ ଭିତରୁ ବନ୍ଦ ରହିଥିଲା। କିଛି ଲୋକ ବଗିଗୁଡ଼ିକୁ କବ୍‌ଜା କରିନେଇଥିବା ବେଳେ ସ୍ଥିତି ସ୍ବାଭାବିକ କରିବାକୁ ବ୍ୟବସ୍ଥା ନଥିବାରୁ ଲୋକେ ଉଗ୍ର ହୋଇ ଉଠିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.7 ° C
    28.7 °
    28.7 °
    47 %
    2.2kmh
    0 %
    Wed
    29 °
    Thu
    43 °
    Fri
    43 °
    Sat
    43 °
    Sun
    44 °

    ସମ୍ବନ୍ଧିତ