Monday, May 25, 2026
32.8 C
Odisha

    ବିବାଦରେ ଦୀଘା ‘ଜଗନ୍ନାଥ ଧାମ’

    ଆଗକୁ ପଢନ୍ତୁ

    ପୁରୀ : ପଶ୍ଚିମବଙ୍ଗର ଦୀଘାରେ ଗତ ବୁଧବାର ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି। ପ୍ରତିଷ୍ଠା ଉତ୍ସବରେ ପୁରୀ ଶ୍ରୀମନ୍ଦିରର କେତେଜଣ ସେବାୟତ ଯୋଗଦେବା, ସମ୍ପୃକ୍ତ ସ୍ଥାନକୁ ‘ଜଗନ୍ନାଥ ଧାମ’ ନାମକରଣ କରାଯିବା ଓ ବ୍ରହ୍ମସ୍ଥାପନ ପ୍ରସଙ୍ଗକୁ ନେଇ ବିବାଦ ଦେଖାଦେଇଛି। ଏପରି କି ନବକଳେବର ଦାରୁରେ ଠାକୁରଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିବା ଅଭିଯୋଗ ହେଉଛି। ଏହି ଘଟଣାକୁ ନେଇ ସେବାୟତଙ୍କ ସମେତ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଜଗନ୍ନାଥ ଧାମ ନାମକୁ ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ଆପତ୍ତି ଉଠାଇବା ପରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହାର ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରର ଅନେକ ସେବାୟତ ଏ ନେଇ ମୁହଁ ଖୋଲିଛନ୍ତି। ବରିଷ୍ଠ ସେବାୟତ ଦାମୋଦର ମହାସୁଆର କହିଛନ୍ତି, ଦୀଘା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଶ୍ରୀମନ୍ଦିରର ଦଇତାପତି ସେବାୟତ ଯୋଗଦେବା ଠିକ୍‌ ନୁହେଁ। ସେହି କାର୍ଯ୍ୟରେ ଯୋଗଦେବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ତେବେ ଦୀଘାକୁ ଶ୍ରୀଜଗନ୍ନାଥ ଧାମ କହିବା ଭୁଲ। ଦୀଘାରେ ମନ୍ଦିର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ଧାମ ନୁହେଁ। ବ୍ରହ୍ମ କେବଳ ପୁରୀ ମନ୍ଦିରରେ ଥିବାବେଳେ ଅନ୍ୟ କେଉଁଠି ନାହିଁ ବୋଲି ମହାସୁଆର ମତବ୍ୟକ୍ତ କରିଛନ୍ତି।

    ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ମନ୍ଦିର ଏବଂ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିକୁ ନେଇ କିଛିଦିନ ଧରି ଦ୍ୱନ୍ଦ୍ୱାତ୍ମକ ତଥ୍ୟ ସବୁ ଗଣମାଧ୍ୟମରେ ପ୍ରଚାର ହେବାରେ ଲାଗିଛି। ଶ୍ରୀଜଗନ୍ନାଥଙ୍କ ମନ୍ଦିର ଦିଘାଠାରେ ହେବା, ମନ୍ଦିରର ନାମକୁ ଜଗନ୍ନାଥ ଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ଯୋଗଦେବା ତଥା ବଳକା ଦାରୁକାଠରେ ପ୍ରତିମା ନିର୍ମାଣ ହେବା ବାବଦରେ ଚର୍ଚ୍ଚା ହେବା ବିଷୟ ସମ୍ପୂର୍ଣ୍ଣ ଅଗ୍ରହଣୀୟ । ଏଭଳି କଥାଗୁଡ଼ିକ ଜଗନ୍ନାଥପ୍ରେମୀ ଭକ୍ତ ସମାଜ ଓ ଓଡ଼ିଶାର ସାଢେ ୪ କୋଟି ଜନତାଙ୍କ ମନରେ କଷ୍ଟ ଦେଇଛି ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଏହି ସମ୍ପୂର୍ଣ୍ଣ ଘଟଣା ଉପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ଅନ୍ତରୀଣ ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାର ବ୍ୟବସ୍ଥା କରାଯାଉ। ଯଦି କେହି ଦୋଷୀ ସାବ୍ୟସ୍ତ ହେଉଛନ୍ତି ବା ଜ୍ଞାତସାରରେ ଥାଇ ଏଭଳି ଘଟଣା ଘଟାଉଛନ୍ତି ସେ ବାବଦରେ ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଦଣ୍ଡବିଧାନ କରିବାର ପ୍ରାବଧାନ କରିବାକୁ ମନ୍ତ୍ରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    32.8 ° C
    32.8 °
    32.8 °
    36 %
    2.7kmh
    62 %
    Mon
    31 °
    Tue
    44 °
    Wed
    46 °
    Thu
    46 °
    Fri
    45 °

    ସମ୍ବନ୍ଧିତ