Friday, March 27, 2026
29.9 C
Odisha

    ରକ୍ତଚନ୍ଦନ କାଠ ଅମୂଲ ମୂଲ: ‘ତିତ୍‌ଲି’ରେ ଭାଙ୍ଗିଥିବା ଗଛର କାଠ ବିକ୍ରି ହେଉଛି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୨୦୧୮ର ବାତ୍ୟା ‘ତିତ୍‌ଲି’ରେ ପାରଳାଖେମୁଣ୍ତି ବନଖଣ୍ଡରେ ୧,୨୬୨ ରକ୍ତଚନ୍ଦନ ଗଛ ଉପୁଡ଼ି ପଡ଼ିଥିଲା। ସେଥିମଧ୍ୟରେ କିଛି ଗଛ ଭାଙ୍ଗିଥିଲା। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ଦ୍ବାରା ସେଗୁଡ଼ିକୁ ସଂଗୃହୀତ ହୋଇଥିଲା। ସୁବ୍ୟବସ୍ଥିତ ଭାବେ ସେଗୁଡ଼ିକୁ କଟାଯାଇ ଖଣ୍ଡ କରାଯାଇଥିଲା। ବିଶ୍ବ ବଜାରରେ ଏହାର ମୂଲ୍ୟ ଅଧିକ ହୋଇଥିବାରୁ ରାଜ୍ୟ ସରକାର କାଠଗୁଡ଼ିକୁ ନିଲାମ ଡାକି ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସେଗୁଡ଼ିକରୁ ବକଳ ଓ ପଳଖ ଉତ୍ତାରିବା ପରେ କେବଳ ମଞ୍ଜ କାଠକୁ ସାଇତି ରଖିଥିଲେ। ୨୦୧୮-୧୯ରୁ ୨୦୨୪-୨୫ ଆର୍ଥିକ ବର୍ଷ ହୋଇଗଲା। ୭ବର୍ଷ ଧରି କାଠଗୁଡ଼ିକୁ ସାଇତି ରଖିବା ପରେ ଏବେ ବିକ୍ରି ଚାଲିଛି। ମୋଟ ୮୧୦.୧୮୯୪ ମେଟ୍ରିକ୍‌ ଟନ୍‌ କାଠ ବିକ୍ରି କରିବାକୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି। ସେଥିମଧ୍ୟରୁ ତିନୋଟି  ପର୍ଯ୍ୟାୟରେ ୩୮.୭୦୮୨ ମେଟ୍ରିକ୍‌ ଟନ୍‌ କାଠକୁ ୧୩ କୋଟି ୭୦ ଲକ୍ଷ ୭ ହଜାର ୨୭୯ ଟଙ୍କାରେ ବିକ୍ରି କରାଯାଇଛି। ୨୦୨୫ ସେପ୍ଟେମ୍ବର ୬ ସୁଦ୍ଧା ସମସ୍ତ ରକ୍ତଚନ୍ଦନ କାଠ ବିକ୍ରି କରିବାକୁ ଅନୁମତି ମିଳିଥିବାରୁ ସେଦିଗରେ ପଦକ୍ଷେପ ନିଆଯାଇଛି।

    ତେବେ ଚିନ୍ତାର ବିଷୟ ହେଉଛି ଯେ ୩ଟି ପର୍ଯ୍ୟାୟରେ ଯେତିକି ଟଙ୍କା ଆୟ ହୋଇଛି, କାଠଗୁଡ଼ିକର ରକ୍ଷଣାବେକ୍ଷଣରେ ତାହାର ଅଧାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଯାଇଥିବା ଜଣାପଡ଼ିଛି। ଗୋଦାମଘର ଭଡ଼ା ବାବଦକୁ ବାର୍ଷିକ ୨୨ ଲକ୍ଷ ୮୪ ହଜାର ୮୦୦ ଟଙ୍କା, ସୁରକ୍ଷା ବାବଦକୁ(ଦୈନିକ ୫ଜଣ) ୪୧ଲକ୍ଷ ୮୩ହଜାର ୫୧୨ ଟଙ୍କା ଓ ୩୮୭.୬୯ କୋଟି ଟଙ୍କାର କାଠ ପାଇଁ ବାର୍ଷିକ ବୀମା ବାବଦରେ ୬୮ଲକ୍ଷ ୫୨ହଜାର ୮୯୯ ଟଙ୍କା ଖର୍ଚ୍ଚ ହେଉଛି। ମୋଟ ଉପରେ ରକ୍ଷଣାବେକ୍ଷଣ ବାବଦରେ ବାର୍ଷିକ ୧କୋଟି ୩୩ଲକ୍ଷ ୨୧ହଜାର ୨୧୧ ଟଙ୍କା ଖର୍ଚ୍ଚ ହେଉଛି। ୭ବର୍ଷର ହିସାବ ଦେଖିଲେ ରକ୍ଷଣାବେକ୍ଷଣ ବାବଦରେ ଏବେ ସୁଦ୍ଧା ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ସରିଲାଣି। ଆଉ କେତେ ଦିନରେ କାଠଗୁଡ଼ିକ ଏଭଳି ରହିବ ତାହାକୁ ନେଇ ପ୍ରଶ୍ନ ଉଠିଛି।

    ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତଥ୍ୟ ଅନୁଯାୟୀ ବାତ୍ୟାରେ ନଷ୍ଟ ହୋଇଥିବା ୧୨୬୨ ରକ୍ତଚନ୍ଦନ ଗଛକୁ ୧୧,୧୦୬ ଖଣ୍ଡ କରାଯାଇଥିଲା। ୧୩୦୬.୦୧୧୬ ଘନ ମିଟରର ୧,୧୨୨.୨୦୨୪ ମେଟ୍ରିକ୍‌ ଟନ୍‌ କାଠ ଡିପୋକୁ ସ୍ଥାନାନ୍ତର ହୋଇଥିଲା। ସେହି କାଠଗୁଡ଼ିକୁ ପୁନଣ୍ଚ ବକଳ ଓ ପଳଖ ଉତ୍ତାରିବା ପରେ ୯୨୨.୩୭୯୭ ମେଟ୍ରିକ୍‌ ଟନ୍‌ର ୧୧,୧୦୬ ଖଣ୍ଡ ମଞ୍ଜ କାଠକୁ ବ୍ରହ୍ମପୁର ନିକଟ ପୋକୁଡ଼ିବନ୍ଧଠାରେ ଏକ ଭଡ଼ା ଗୋଦାମରେ ରଖାଯାଇଛି। ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ବିଭାଗ ପକ୍ଷରୁ ଡିଜିଏଫ୍‌ଟି ପ୍ରାରମ୍ଭିକ ପର୍ଯ୍ୟାୟରେ ୮୧୦.୧୮୯୪ ମେ‌ଟ୍ରିକ୍‌ ଟନ୍‌ ଉପରୁ ରପ୍ତାନି କଟକଣାକୁ କୋହଳ କରିଛନ୍ତି। ସେହି ଅନୁଯାୟୀ ବନ ଉନ୍ନୟନ ନିଗମ ୮୦୯.୭୮୪୪ ମେଟ୍ରିକ୍‌ ଟନ୍‌ ରକ୍ତଚନ୍ଦନ କାଠକୁ ବିଶ୍ବସ୍ତରୀୟ ଇ-ନିଲାମ ଓ ଇ-ଟେଣ୍ଡର ମାଧ୍ୟମରେ ବିକ୍ରି କରିବାକୁ ପଦକ୍ଷେପ ନେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.9 ° C
    29.9 °
    29.9 °
    36 %
    3.8kmh
    87 %
    Fri
    29 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ