Thursday, September 24, 2026
25 C
Odisha

    ରୁଷ୍-ୟୁକ୍ରେନ ଅସ୍ତ୍ରବିରତିରେ ନୂଆ ମୋଡ଼: ଆମେରିକାର ସର୍ତ୍ତକୁ ରୁଷ୍‌ର ପ୍ରତ୍ୟାଖ୍ୟାନ, ଆପୋସ ବୁଝାମଣା ପାଇଁ କଡ଼ା ସର୍ତ୍ତ

    ଆଗକୁ ପଢନ୍ତୁ

    ମସ୍କୋ: ଗତ ତିନି ବର୍ଷ ଧରି ଚାଲିଥିବା ରୁଷ୍‌-ୟୁକ୍ରେନ ଯୁଦ୍ଧରେ ୩୦ ଦିନ ପାଇଁ ଯଥାଶୀଘ୍ର ଅସ୍ତ୍ରବିରତି ଲାଗୁ କରିବା ନିମନ୍ତେ ଆମେରିକାର ସର୍ତ୍ତକୁ ୟୁକ୍ରେନ ଗ୍ରହଣ କରିଥିବା ବେଳେ ରୁଷ୍‌ ପ୍ରତ୍ୟାଖ୍ୟାନ କରିଛି। ସାଉଦି ଆରବର ଜେଦ୍ଦାହରେ ଗତକାଲି ୟୁକ୍ରେନ ଏବଂ ଆମେରିକାର ଉଚ୍ଚ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ବୈଠକ କରିଥିଲେ ଏବଂ ଯୁଦ୍ଧବିରତି ପାଇଁ ଆମେରିକାର ସମସ୍ତ ପ୍ରସ୍ତାବରେ ୟୁକ୍ରେନ ରାଜି ହୋଇଛି। ଏହି ଆଲୋଚନାରେ ରୁଷ୍ ସମ୍ପୃକ୍ତ ନଥିବା ବେଳେ ଆଜି ଯୁଦ୍ଧବିରତି ପାଇଁ ଆମେରିକା ରଖିଥିବା ସର୍ତ୍ତ କଦାପି ଗ୍ରହଣୀୟ ନୁହେଁ ବୋଲି କହିଛି। ଆମେରିକା ସର୍ତ୍ତରେ ନୁହେଁ ରୁଷ୍‌ ନିଜ ସର୍ତ୍ତ କାର୍ଯ୍ୟକାରୀ ହେଲେ ହିଁ ଯୁଦ୍ଧବିରତି ଲାଗୁ କରିବ ବୋଲି ଆଜି ସ୍ପଷ୍ଟ କରିଦେଇଛି। ଅନ୍ୟପକ୍ଷରେ ୟୁକ୍ରେନକୁ ପୁଣିଥରେ ସାମରିକ ସହାୟତା ଆରମ୍ଭ କରାଯିବ ଏବଂ ଗୁଇନ୍ଦା ସୂଚନା ପୂର୍ବଭଳି ପ୍ରଦାନ କରାଯିବ ବୋଲି ଆମେରିକା ଘୋଷଣା କରିଥିବାରୁ ଏହାକୁ ନେଇ ରୁଷ୍‌ କଡ଼ା ପ୍ରତିକ୍ରିୟା ରଖିଛି। ୟୁକ୍ରେନରେ ରୁଷ୍‌ ନିଜର ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ଲଢ଼େଇ ଚାଲିବ ଏବଂ ଅଧିକୃତ ଅଂଚଳ ଫେରାଇବାର ପ୍ରଶ୍ନ ଉଠୁନାହିଁ ବୋଲି ରୁଷ୍‌ କହିଛି। ୟୁକ୍ରେନ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କି ଜେଦ୍ଦାହରେ ହୋଇଥିବା ଚୁକ୍ତିକୁ ସ୍ୱୀକାର କରିଥିଲେ ମଧ୍ୟ ଏକାପାଖିଆ ଚୁକ୍ତିର କୌଣସି ଅର୍ଥ ନାହିଁ ବୋଲି ରୁଷ୍‌ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌ କହିଛନ୍ତି। ୟୁକ୍ରେନର ୩୦ ଦିନିଆ ଅସ୍ତ୍ରବିରତି ଯୋଜନା କେବଳ ଉପର ଠାଉରିଆ ଚୁକ୍ତିରେ କାର୍ଯ୍ୟକାରୀ ହୋଇପାରିବ ବୋଲି ନାହିଁ ବୋଲି ଆଜି କ୍ରେମ୍‌ଲିନ ପ୍ରବକ୍ତା ମଧ୍ୟ ସ୍ପଷ୍ଟ କରିଛନ୍ତି। ୟୁକ୍ରେନ ଅଂଚଳରୁ ରୁଷ୍‌ର ସେନା ପ୍ରତ୍ୟାହାର ନେଇ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଏବେ ଗୁରୁତ୍ବାରୋପ କରିବା ସହ ବଲ୍ ଏବେ ରୁଷିଆର କୋର୍ଟରେ ରହିଛି ବୋଲି ବୟାନ ଦେଇଥିବାରୁ ଏଥିରେ ରୁଷ୍‌ କ୍ଷୁବ୍ଧ ହୋଇଛି।

    କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସ୍କୋଭ ବୁଧବାର କହିଛନ୍ତି, ୟୁକ୍ରେନ ଓ ଆମେରିକା ଯେଉଁ ସବୁ ସର୍ତ୍ତ ବାବଦରେ ଆଲୋଚନା କରିଛନ୍ତି ତାହା ଏବେ ଆମ ପାଖରେ ଉପଲବ୍ଧ ନାହିଁ। ଏ ବାବଦରେ ତଥ୍ୟ ହାସଲ ପରେ ଆମେ ସମୀକ୍ଷା କରିବୁ ଏବଂ ତା’ପରେ ହିଁ  ଅଗ୍ରସର ହେବୁ। ସୂଚନାଯୋଗ୍ୟ, ୟୁକ୍ରେନର ପ୍ରାୟ ଏକ ପଞ୍ଚମାଂଶ ଅଞ୍ଚଳକୁ ରୁଷ୍ ଏବେ ନିୟନ୍ତ୍ରଣରେ ରଖିଛି ଏବଂ ଲଗାତାର ଆଗକୁ ବଢୁଛି। ଏବେ ରୁଷ୍‌ ଅଧିକୃତ ଅଂଚଳରେ ୟୁକ୍ରେନ ସେନାର ପ୍ରତିରୋଧ କରିବା କ୍ଷମତା ନଥିବା ବେଳେ ରୁଷ୍‌ର ଯେଉଁ ଅଂଚଳକୁ ୟୁକ୍ରେନ ଦଖଲ କରିଥିଲା ତାହାକୁ ମଧ୍ୟ ରୁଷ୍‌ ପୁନଃ ଅକ୍ତିଆର କରିବାକୁ ଭୀଷଣ ଲଢ଼େଇ ଜାରି ରଖିଛି।

    କିବ୍‌, ଖାର୍‌କିବ, ଓଡେସାରେ ରୁଷ୍‌ର କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ମାଡ଼
    କିବ୍: ରୁଷ୍ ୟୁକ୍ରେନର ତିନୋଟି ପ୍ରମୁଖ ସହର କିବ୍,  ଖାର୍‌କିବ ଓ ଓଡେସାକୁ ଗତରାତିରେ ଟାର୍ଗେଟ୍‌ କରିଛି। ରୁଷ୍‌ ସେନା ଏହି ତିନି ସହର ଉପରେ ୧୩୩ଟି ଡ୍ରୋନ୍ ଓ ୩ଟି କ୍ଷେପଣାସ୍ତ୍ର ମାଡ଼ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି।   ଅନେକ କୋଠା ଓ ସରକାରୀ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଓଡେଶାରେ କ୍ଷେପଣାସ୍ତ୍ର ଆକ୍ରମଣଜନିତ କ୍ଷୟକ୍ଷତି ଅଧିକ ଥିବା ଜଣାପଡିଛି ଏବଂ ସେଠାରେ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଛି।

    ବୁଧବାର ୟୁକ୍ରେନ ସେନା କହିଛି ଯେ ରୁଷିଆ ସାରାରାତି ଆକ୍ରମଣ କରି ବ୍ୟାପକ କ୍ଷତି ଘଟାଇବାକୁ ପ୍ରୟାସ କରିଥିଲା। ତେବେ ୟୁକ୍ରେନର ବାୟୁସେନା ୯୮ଟି ଡ୍ରୋନ୍‌କୁ ଖସାଇ ଦେବାରୁ ବଡ଼ ଧରଣର ବିପର୍ଯ୍ୟୟରୁ ରକ୍ଷା ମିଳିଛି।  ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରତିରୋଧ କୌଶଳ ଯୋଗୁଁ ଏହା ସମ୍ଭବ ହୋଇପାରିଛି।  ଅନ୍ୟପକ୍ଷରେ କ୍ଷେପଣାସ୍ତ୍ର ଆକ୍ରମଣଜନିତ କ୍ଷୟକ୍ଷତିର ଆକଳନ ଚାଲିଛି। ଏହା ପୂର୍ବରୁ ୟୁକ୍ରେନ ମସ୍କୋ ଉପରେ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଥିଲା, ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୭ ଜଣ ଆହତ ହୋଇଥିଲେ ଏବଂ ଅସ୍ଥାୟୀ ଭାବେ ବିମାନବନ୍ଦର ବନ୍ଦ କରିବାକୁ ରୁଷ୍ ବାଧ୍ୟ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25 ° C
    25 °
    25 °
    96 %
    3.6kmh
    100 %
    Thu
    25 °
    Fri
    28 °
    Sat
    31 °
    Sun
    28 °
    Mon
    30 °

    ସମ୍ବନ୍ଧିତ