Wednesday, October 14, 2026
26.2 C
Odisha

    ଇଣ୍ଡି ମେଣ୍ଟ ପାଇଁ ଏବେ ଅସ୍ତିତ୍ବ ସଙ୍କଟ: ବିରୋଧୀ ମେଣ୍ଟର ମିଆଦ ପୂରିଗଲାଣି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ବିରୋଧରେ ଆପ୍‌କୁ  ଇଣ୍ଡିମେଣ୍ଟର ତିନୋଟି ଦଳ ସମର୍ଥନ କରିବା ପରେ ମେଣ୍ଟର ଖୁବ୍‌ଶୀଘ୍ର ପତନ ଘଟିବ ବୋଲି ଚର୍ଚ୍ଚା ହେଉଛି। କେତେକ ସହଯୋଗୀ ଦଳ ବିରୋଧୀ ମେଣ୍ଟର ଅସ୍ତିତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସୃଷ୍ଟି ହୋଇଥିବା ବିରୋଧୀ ମେଣ୍ଟ ଏବେ ‘ଧ୍ବଂସ’ ପାଇଁ ବାଟ ଛାଡ଼ିଦେଇଛି ବୋଲି କୁହାଯାଉଛି। ଏହି ଝଡ଼ର କେନ୍ଦ୍ରସ୍ଥଳରେ ରହିଛି ଏହାର ସବୁଠାରୁ ବଡ଼ ସହଯୋଗୀ ଦଳ କଂଗ୍ରେସ, ଯିଏ ମେଣ୍ଟକୁ ଭାଙ୍ଗିଦେବାର ଧମକ ଦେଉଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଓ ଶିବସେନା (ୟୁବିଟି) ଆମ୍ ଆଦମୀ ପାର୍ଟି (ଆପ୍)କୁ ସମର୍ଥନ କରିଛନ୍ତି, ଯେତେବେଳେ କି ଏହି ଗୋଷ୍ଠୀର ସବୁଠାରୁ ବଡ଼ ସହଯୋଗୀ ଦଳ କଂଗ୍ରେସ ଆପ୍‌କୁ କଡ଼ା ଟକ୍କର ଦେଉଛି। ଆରଜେଡି ନେତା ତେଜସ୍ୱୀ ଯାଦବ ଦୁଇଦିନ ତଳେ କହିଥିଲେ ଯେ ଇଣ୍ଡିମେଣ୍ଟ କେବଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଥିଲା। ତେଣେ ନ୍ୟାସନାଲ କନଫରେନ୍ସ ନେତା ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଉ ଏକ ଝଟକା ଦେଇ ବିରୋଧୀ ମେଣ୍ଟକୁ ସମ୍ପୂର୍ଣ୍ଣ ଭାଙ୍ଗିଦେବାକୁ ପରାମର୍ଶ ଦେଇଛନ୍ତି।

    ଆଞ୍ଚଳିକ ଦଳମାନେ କଂଗ୍ରେସ ସହ ସେମାନଙ୍କ ସମ୍ପର୍କର ସମୀକ୍ଷା କରିବେ ଏବଂ ଏହାକୁ କନିଷ୍ଠ ଅଂଶୀଦାର ଭାବରେ ବିବେଚନା କରିବେ ବୋଲି କହିବା ପରେ କଂଗ୍ରେସ ଅସନ୍ତୁଷ୍ଟ ହୋଇଥିଲା। ସେମାନେ କଂଗ୍ରେସକୁ କୋଣଠେସା କରିବାର ତିନୋଟି ବଡ କାରଣ ରହିଛି। ପ୍ରଥମତଃ, ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବାର ଏକମାତ୍ର ଉଦ୍ଦେଶ୍ୟ ନେଇ ଇଣ୍ଡିମେଣ୍ଟ ଗଠନ କରାଯାଇଥିଲା। ନିର୍ବାଚନ ସରିବା ସହ ଏହି ଉଦ୍ଦେଶ୍ୟ ଧୂଳିସାତ୍ ହୋଇଯାଇଥିବାରୁ ଆଦର୍ଶଗତ ସମାନତାର ଅଭାବ ଯୋଗୁ ଏହି ଗୋଷ୍ଠୀ ଭିତରେ ଏକତା ନଷ୍ଟ ହୋଇଛି। ରାଜ୍ୟ ନିର୍ବାଚନ ପାଇଁ ଆଞ୍ଚଳିକ ମେଣ୍ଟ ରହିଛି, ଯାହା ଇଣ୍ଡିମେଣ୍ଟର ଉପଗୋଷ୍ଠୀ। ଫଳରେ ଜମ୍ମୁ-କଶ୍ମୀର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଦିଲ୍ଲୀ ଓ ମହାରାଷ୍ଟ୍ରରେ କଂଗ୍ରେସର ସହଯୋଗୀ ଦଳ ମଧ୍ୟରେ ମତଭେଦ ଦେଖାଦେଇଛି। ଦ୍ବିତୀୟତଃ ଆଞ୍ଚଳିକ ଦଳଗୁଡ଼ିକ ରାଜନୈତିକ ବିରୋଧାଭାସକୁ ଅନୁଭବ କରିଛନ୍ତି। ବିଜେପି ସହ ମୁହାଁମୁହିଁ ଲଢ଼େଇରେ ବିଫଳ ହୋଇଥିବା କଂଗ୍ରେସଠାରୁ ଇଣ୍ଡିମେଣ୍ଟଭୁକ୍ତ ଅନ୍ୟ ଦଳଗୁଡ଼ିକ ଦୂରେଇବାରେ ଲାଗିଛନ୍ତି। କଂଗ୍ରେସର ବିକାଶ ପାଇଁ ଦଳଗୁଡ଼ିକୁ ସେମାନଙ୍କ ଶକ୍ତି ସହ ବୁଝାମଣା କରିବାକୁ ପଡ଼ିବ। ଜମ୍ମୁ-କଶ୍ମୀର ଓ ଲୋକସଭା ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ କଂଗ୍ରେସ ବିଜେପି ସହ ମୁହାଁମୁହିଁ ଲଢ଼େଇରେ ନିଷ୍ପ୍ରଭ ହୋଇଯାଇଛି। ତୃତୀୟତଃ, ରାଜ୍ୟଭିତ୍ତିକ ଦଳଗୁଡ଼ିକ ଭାବୁଛନ୍ତି ଯେ ସେମାନଙ୍କ ଅବଦାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବୁଷ୍ଟର୍ ସଟ୍ ଦେଇଛି ଏବଂ ସେ ବିରୋଧୀ ଦଳ ନେତା ହୋଇଛନ୍ତି। ଅନ୍ୟପକ୍ଷରେ  ଅନେକ ଆଞ୍ଚଳିକ ଦଳ ନେତାଙ୍କ ଜାତୀୟ ଆକାଂକ୍ଷା ନଷ୍ଟ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ