Wednesday, October 14, 2026
26.2 C
Odisha

    ଏପ୍ରିଲରୁ ଉପକୂଳ ରାଜପଥ ନିର୍ମାଣ: ଏନ୍‌ଏଚ୍‌ଏଆଇ ଡାକିଲା ଟେଣ୍ଡର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବହୁପ୍ରତୀକ୍ଷିତ ଉପକୂଳ ରାଜପଥ ନିର୍ମାଣ ବାଟ ଫିଟିଛି। ନାନା ବାଦବିବାଦ, ବାରମ୍ବାର ନକ୍ସା ପରିବର୍ତ୍ତନ ପରେ ପ୍ରଥମ ପର୍ଯ୍ୟାୟରେ ୧୬୩ କିଲୋମିଟର ରାସ୍ତା ପାଇଁ ‌ଟେଣ୍ଡର ଆହ୍ବାନ କରିଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନଏଚଏଆଇ)। ଫେବ୍ରୁଆରି ଶେଷ ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ଟେଣ୍ଡର ପରେ ଏପ୍ରିଲରୁ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଉପକୂଳ ଅଞ୍ଚଳ ବିକାଶ ସହ ଗମନାଗମନ, ପର୍ଯ୍ୟଟନର ବିକାଶକୁ ଆଖିରେ ରଖି କେନ୍ଦ୍ର ସରକାର ଉପକୂଳ ରାଜପଥର ପରିକଳ୍ପନା କରିଥିଲେ। ୯ ବର୍ଷ ତଳେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଓଡ଼ିଶା ଆସି ଉପକୂଳ ରାଜପଥ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ। ହେଲେ ଏଯାଏ ରାସ୍ତା ହୋଇପାରି ନାହିଁ। ପ୍ରଥମେ ପ୍ରସ୍ତାବିତ ଉପକୂଳ ରାଜପଥ ପ୍ରକଳ୍ପ ପ୍ରାୟ ୪୪୦ କିମି ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ଯିବାର ଥିଲା। କିନ୍ତୁ ଏକ୍ସପର୍ଟ ଆପ୍ରାଇଜାଲ୍‌ କମିଟି(ଇଏସି) ଚିଲିକା, ବାଲୁଖଣ୍ଡ ଓ ଭିତରକନିକାଠାରୁ ଦୂରରେ ରାଜପଥ ନେବାକୁ ପରାମର୍ଶ ଦେଇଥିଲେ। ଏହାପରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀଠାରୁ ବାହାରି ରତନପୁର ଦେଇ ଦୀଘା ପର୍ଯ୍ୟନ୍ତ(୩୮୨ କିମି) ଉପକୂଳ ରାଜପଥ ହେବା ପାଇଁ ସ୍ଥିର ହୋଇଥିଲା। ହେଲେ ଜଗତସିଂହପୁର ଜିଲ୍ଲାରେ ସମୂଦ୍ରଠାରୁ ପ୍ରାୟ ୨୫ କିମି ଦୂରରେ ରାଜପଥ ନିଆଯିବାକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ନକ୍ସା-୩ରେ ପରିବର୍ତ୍ତନ ପାଇଁ ବାଲିକୁଦା, ଏରସମା ଓ ଅସ୍ତରଙ୍ଗର ପ୍ରାୟ ୮୦ଟି ପଞ୍ଚାୟତରେ ଲକ୍ଷାଧିକ ଲୋକ ‘ଉପକୂଳ ରାଜପଥ କ୍ରିୟାନୁଷ୍ଠାନ କମିଟି’ ଗଠନ କରି ବଡ଼ ଆନ୍ଦୋଳନ କରିଥିଲେ। ଯାହାର ପ୍ରଭାବରେ ପୂର୍ବରୁ ହୋଇଥିବା ଟେଣ୍ଡରକୁ ବାତିଲ କରାଯାଇଥିଲା।

    ଏବେ ବଡ଼ କଥା ହେଲା ନକ୍ସା-୩ରେ ହୋଇଥିବା ତ୍ରୁଟିକୁ ସୁଧାରି ନୂଆ ନକ୍ସା ତିଆରି ହୋଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେଇ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ ଅପଣ୍ଡାରା ପଞ୍ଚାୟତର ପୋଦରୁଆଁ ଗାଁ ଏବଂ ଏହାପରେ ନଲରା, ତାଳଗାଁ, ବରଦିଆ, ତେନ୍ତୁଲିବେଲାରୀ ଦେଇ ଉପକୂଳ ରାଜପଥ ଆଗକୁ ଯାଇଛି। ଏସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାର ଜନ ଶୁଣାଣି ଶିବିର ଆସନ୍ତାକାଲି ରହିଛି। ସେପଟେ ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଜନ ଶୁଣାଣି ସରିଛି। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରୀଆରୁ କେନ୍ଦ୍ରାପଡ଼ା ଜିଲ୍ଲା ମଶାକଣୀ ପର୍ଯ୍ୟନ୍ତ ମୋଟ ୧୬୩ କିଲୋମିଟର ରାସ୍ତା ହେବ। ରାସ୍ତା କାମକୁ ଦ୍ରୁତ ଗତିରେ କରିବା ପାଇଁ ଏହାକୁ ୪ଟି ଭାଗରେ ବିଭକ୍ତ କରାଯାଇ ଟେଣ୍ଡର କରାଯାଇଛି। ପ୍ରଥମେ ବଡ଼ପୋଖରୀଆରୁ ପୁରୀ ୪୭ କିମି, ଦ୍ବିତୀୟ ପ୍ୟାକେଜ୍‌ ପୁରୀରୁ ବାଙ୍ଗୁରୀଗାଁ ୪୨ କିମି, ତୃତୀୟରେ ବାଙ୍ଗୁରୀଗାଁରୁ ଭାୟା ଅସ୍ତରଙ୍ଗ ଦେଇ ଏରସମା ୪୮ କିମି ଏବଂ ଚତୁର୍ଥ ପର୍ଯ୍ୟାୟ ଏରସମାରୁ ମଶାକଣୀ ଯାଏ ୨୬ କିମି ରାସ୍ତା ପାଇଁ ଟେଣ୍ଡର ହୋଇଛି। ୪ଟି ପ୍ୟାକେଜ୍‌ ପାଇଁ ମୋଟ ୭୦୩୮ କୋଟି ଟଙ୍କାର ଟେଣ୍ଡର ଡକାଯାଇଛି। ଫେବ୍ରୁଆରି ୨୪ ଭିତରେ ଟେଣ୍ଡର ଚୂଡ଼ାନ୍ତ ପରେ ଏପ୍ରିଲରୁ କାମ ଆରମ୍ଭ ହେବା ନେଇ ଲକ୍ଷ୍ୟ ରଖାଯାଇଛି। ଦ୍ବିତୀୟ ପର୍ଯ୍ୟାୟ ରାସ୍ତା କେନ୍ଦ୍ରାପଡ଼ା ଖଦଳସାହିଠାରୁ ଦୀଘା ପର୍ଯ୍ୟନ୍ତ ପ୍ରାୟ ୧୭୧ କିମି ନିର୍ମାଣ ହେବ। ଏଥିପାଇଁ ବ୍ୟୟଅଟକଳ ହୋଇନାହିଁ ଓ ପରିବେଶ ମଞ୍ଜୁରି ମଧ୍ୟ ମିଳିନାହିଁ। ଏଥିଲାଗି ପ୍ରାୟ ଗୋଟିଏ ବର୍ଷ ଲାଗିବ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ