Sunday, October 18, 2026
21.7 C
Odisha

    ଖଲ୍ଲିକୋଟ ବିଜେପିର ଗୋଷ୍ଠୀ ସଂଘର୍ଷ: ପଥରମାଡ଼ରେ ଜିଲ୍ଲା ସମ୍ପାଦକଙ୍କ ମୁଣ୍ଡ ଫାଟିଲା

    ଆଗକୁ ପଢନ୍ତୁ

    ଖଲ୍ଲିକୋଟ:  ଖଲ୍ଲିକୋଟ ବିଜେପିରେ ଚାଲିଥିବା ଅନ୍ତଃକନ୍ଦଳ ପଦାରେ ପଡ଼ିଛି। ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଗଣ୍ଡଗୋଳ ସମାଧାନ କରୁଥିବା ସମୟରେ ପଥର ମାଡ଼ରେ ଘୁମୁସୁର ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନୀଲ ପଣ୍ଡାଙ୍କ ମୁଣ୍ଡ ଫାଟି ଯାଇଛି। ସେହିପରି ତାଙ୍କର ଜଣେ ସମର୍ଥକ କାହ୍ନୁ ଚରଣ ଦଳାଇ ମଧ୍ୟ ଆହତ ହୋଇଛନ୍ତି। ତେବେ ନଗର ମଣ୍ଡଳ ସଭାପତି ଚୟନକୁ ନେଇ ବିରୋଧୀ ଗୋଷ୍ଠୀ ଏଭଳି କାଣ୍ଡ ଘଟାଇଥିବା ସାଧାରଣ ସମ୍ପାଦକ ଅନୀଲ ଅଭିଯୋଗ ଆଣିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ କମେଣ୍ଟ୍‌ ମରାକୁ ନେଇ ଗତକାଲି ଗଣ୍ଡଗୋଳ ହୋଇଥିଲା। ଗୋଟିଏ ଗୋଷ୍ଠୀ ବିଜେପି ନେତା ଅନୀଲଙ୍କ ସମର୍ଥକ ହୋଇଥିବା ବେଳେ ‌ଆଉ ଗୋଟିଏ ଗୋଷ୍ଠୀ ଆଉ ଜଣେ ବିଜେପି ନେତାଙ୍କ ସମର୍ଥକ। ବିଜେପି ନେତା ଅନୀଲ ଏହି ଘଟଣାରେ ହସ୍ତକ୍ଷେପ କରି ମାମଲା ବୁଝାସୁଝା କରି ସମାଧାନ କରିଥିଲେ। ଆଜି ସ୍ବାସ୍ଥ୍ୟପୁରୀ କଲୋନିସ୍ଥିତ ଅନୀଲଙ୍କ ବାସଭବନ ସମ୍ମୁଖରେ ଗୋଟିଏ ଛାତ୍ର ଗୋଷ୍ଠୀ ଛିଡ଼ା ହୋଇଥିଲେ। ଏହି ସମୟରେ ବିପକ୍ଷ ଛାତ୍ର ଗୋଷ୍ଠୀ ସେଠାକୁ ଠେଙ୍ଗା, ବାଡ଼ି ଧରି ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ପୁଣିଥରେ ଝଗଡ଼ା ଆରମ୍ଭ ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ବିଜେପି ନେତା ଅନୀଲ ତୁରନ୍ତ ଘଟଣାସ୍ଥଳକୁ ଯାଇ ସମସ୍ତଙ୍କୁ ବୁଝାସୁଝା କରୁଥିଲେ। ଏହି ସମୟରେ ହଠାତ୍‌ ପଥର ମାଡ଼ ହେବାରୁ ବିଜେପି ନେତା ଅନୀଲ ଓ ତାଙ୍କ ସମର୍ଥକ କାହ୍ନୁଙ୍କ ମୁଣ୍ଡ ଫାଟି ଯାଇଥିଲା।

    ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯାଇଛି। ଏହି ଘଟଣାକୁ ନେଇ ବିଜେପି ନେତା ଅନୀଲ କହନ୍ତି, ଛୋଟ କଥାକୁ ନେଇ ଜାଣିଶୁଣି ଏଭଳି ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ଚୟନକୁ ନେଇ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ଗତକାଲି ମଣ୍ଡଳ ସଭାପତି ଚୟନ ପରେ ବିରୋଧୀ ଗୋଷ୍ଠୀ ଏଭଳି କାଣ୍ଡ ଘଟାଇଛନ୍ତି। ସେହି ଗୋଷ୍ଠୀର ନେତା ଗତ କିଛିଦିନ ହେଲା ବିଜେଡିରୁ ବିଜେପିକୁ ଆସିଛନ୍ତି। ସେମାନଙ୍କ ଉଦ୍ଦେଶ୍ୟ କିଛି ଭିନ୍ନ ଥିଲା। ମଣ୍ଡଳ ସଭାପତି ଚୟନକୁ ନେଇ ଦଳ ଯାହା ନିଷ୍ପତ୍ତି ନେଇଥିଲା, ତାକୁ ସେମାନେ ଗ୍ରହଣ କରିପାରି ନଥିଲା। ଯାହାକୁ ନେଇ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ଆକ୍ରମଣ କରିଥିବା ବିଜେପି ନେତା ଅନୀଲ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତିଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।
    ଅନ୍ୟପଟେ ଏହି ଘଟଣାକୁ ନେଇ ଖଲ୍ଲିକୋଟ ଥାନା ପୁଲିସ ୩ଜଣ ଯୁବକଙ୍କୁ ଅଟକ ରଖିଛି। ଖବର ପାଇ ହରିଜନ ସାହିର ବହୁ ମହିଳା ଥାନାରେ ପହଞ୍ଚି ବିକ୍ଷୋଭ କରିଥିଲେ। ଅଟକ ଥିବା ୩ଜଣ ଯୁବକ ନିର୍ଦ୍ଦୋଷ ଥିବା ବେଳେ ତୁରନ୍ତ ସେମାନଙ୍କୁ ଛାଡ଼ି ଦେବାକୁ ଦାବି କରିଥିଲେ। ଏ ସମ୍ପର୍କରେ ଏକ ଦାବିପତ୍ର ମଧ୍ୟ ଦିଆଯାଇଛି। ପୁଲିସ ଏହି ଘଟଣାକୁ ନେଇ ଉଭୟ ପକ୍ଷର ଅଭିଯୋଗ କ୍ରମେ ଦୁଇଟି ପୃଥକ୍‌ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    92 %
    1.3kmh
    100 %
    Sat
    22 °
    Sun
    31 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ