କାକଟପୁର : କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଲାଗି ହେଲା ଆମିଷ ଭୋଗ । ପାର୍ବଣ ପୂଜା ଅବସରରେ ପୁରୀ ଜିଲ୍ଲା କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ପରମ୍ପରା ଅନୁଯାୟୀ ମା’ଙ୍କ ରୋଷ ଘରେ ଏକ ସ୍ଵତନ୍ତ୍ର ଚୁଲିରେ ଆମିଷ ଭୋଗ ପ୍ରସ୍ତୁତ କରାଯାଇଥାଏ । ମା’ଙ୍କ ସୁଆର ସେବକ ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଯୋଗାଇ ଦିଆଯାଇଥିବା ମାଛକୁ ଭାଜି ଏକ ପିତଳ ଥାଳିରେ ରଖାଇଥାନ୍ତି ।
ପରେ ମୁହଁରେ କପଡା ବାନ୍ଧି ମାଛ ଭୋଗକୁ ହାତରେ ଧରି ରୋଷ ଘରରୁ ସିଧା ଗର୍ଭଗୃହକୁ ନେଇଥାନ୍ତି । ସେଠାରେ ପୂଜାପଣ୍ଡା ମଙ୍ଗଳାଙ୍କ ପାଦ ନିକଟରେ ରହିଥିବା ବନଦୂର୍ଗାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥାନ୍ତି । ପରେ ସୁଆର ସେବକ ସେହି ମାଛ ଭୋଗକୁ ନେଇ ରୋଷ ଘରକୁ ଫେରି ଆସିଥାନ୍ତି । ଏହି ପରମ୍ପରା ଆବାହମାନ ସମୟରୁ ପ୍ରଚଳନ ହୋଇ ଆସୁଛି ।
